ଦଶମହାବିଦ୍ୟା ଓ ତନ୍ତ୍ର

May 22, 2025 - 23:31
 68
ଦଶମହାବିଦ୍ୟା ଓ ତନ୍ତ୍ର

ଆଚାର୍ଯ୍ୟ ସତ୍ୟବ୍ରତ

###ଦଶ ମହାବିଦ୍ୟା ହେଲେ କାଳୀଙ୍କର ଜ୍ଞାନ ଶକ୍ତିର ଦଶରୂପ। ଦଶ ମହାବିଦ୍ୟାର ସାଧନା ଅତି ଉଚ୍ଚାଙ୍ଗ ସ୍ତରର ସାଧନା ବୋଲି କେବଳ ଦୀର୍ଘକାଳ ଧରି ସାଧନାରତ ଅଭିଜ୍ଞ ତାନ୍ତ୍ରିକ ସାଧକମାନେ ଏଇ ସାଧନା କୁ ଗ୍ରହଣ କରିବାର ବିଧାନ ରହିଛି।

ପ୍ରଥମ ଓ ପ୍ରଧାନ ମହାବିଦ୍ୟା ହେଲେ ମହାକାଳୀ, ମହାକାଳଙ୍କର ଶକ୍ତି। ଶାକ୍ତ ତନ୍ତ୍ରରେ ସେ ହେଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ଜନନୀ ଅର୍ଥାତ୍ ସେ ହେଲେ ପରମେଶ୍ବରୀ |

ଦ୍ଵିତୀୟ ମହାବିଦ୍ୟା ହେଲେ ତାରା, ସେ ହେଲେ ‘ବ୍ରହ୍ମାଣ୍ଡଭାଣ୍ଡୋଦରୀ’ ଅର୍ଥାତ୍ ସେ ପୃଥ‌ିବୀ ଓ ପ୍ରାଣୀକୁ ନୂଆକରି ସୃଷ୍ଟି କରନ୍ତି। ତାଙ୍କୁ ସାଧନା କରି ମଣିଷ ପଶୁ ସ୍ତରରୁ ବୀର ସ୍ତରକୁ ଯାଏ ଓ ପରେ ଦିବ୍ୟ ସ୍ତରକୁ ଯାଇ ମହାସିଦ୍ଧ ହେଇଥାଏ । ତାରା ଜ୍ୟୋତିର୍ମଣ୍ଡଳର ନିୟନ୍ତ୍ରଣକର୍ମୀ। ତେଣୁ ଗ୍ରହ ବିପାକ ଯୋଗୁଁ ବାଧା, କ୍ଷତି ବା ଶୋକ ଦୁଃଖ ଘଟିଲେ ତାରାଙ୍କର ଅର୍ଚ୍ଚନା କରାଯାଏ।

ଷୋଡ଼ଶୀ ଉତ୍କଣ୍ଠା ଭୟ, ତ୍ରାସ, ନୈରାଶ୍ୟ ପରି ମନସ୍ତାପରୁ ରକ୍ଷା କରନ୍ତି ଓ କାମନା, ବାସନା, ଲାଳସା ଇତ୍ୟାଦି ଷୋହଳ ପ୍ରକାରର ଅବିଚ୍ଛିନ୍ନ କ୍ଷୁଧା ତୃଷାରୁ ମୁକ୍ତି ଦିଅନ୍ତି ।

ଭୁବନେଶ୍ଵରୀ ହେଲେ ସ୍ଥିତିକାରିଣୀ। ଦେବୀଙ୍କର ରାଜରାଜେଶ୍ଵରୀ ରୂପ। ସେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଏଇ ତିନିଭୁବନର ଶାସନକର୍ତ୍ତୀ।

ଭୈରବୀ ହେଲେ କରାଳୀ ଓ କାମରୂପୀ। ସେ ନିଜ ଇଚ୍ଛା ଅନୁସାରେ ବହୁ ରୂପରେ ମଣିଷ, ଯକ୍ଷ, ରକ୍ଷ, ଗନ୍ଧର୍ବ, ପଶୁ ଓ ଗଗନଚାରୀ ଡାକିନୀ ବା ଯୋଗିନୀ ରୂପରେ ନିଜକୁ ବଦଳେଇ ପାରନ୍ତି।

ଛିନ୍ନମସ୍ତା ହେଲେ ଅଦ୍ଭୁତ ଓ ଅପୂର୍ବ ରୂପିଣୀ। ଏଇ ମୂର୍ତ୍ତି ଦେଖିଲେ ମନରେ ଆକର୍ଷଣ ପରିବର୍ତ୍ତେ ସାଧାରଣତଃ ବିକର୍ଷଣ ଭାବର ଉଦୟ ହୁଏ । ଆଖିକୁ ଯାହା ସୁନ୍ଦର ଦେଖାଯାଏ ମଣିଷ ତା ପ୍ରତି ଆକର୍ଷିତ ହୁଏ । ଯେଉଁ ଦୃଶ୍ୟ ମନରେ ଭୟ, ତ୍ରାସ ବା ଜଘନ୍ୟ ଭାବର ଉଦ୍ରେକ କରେ, ମଣିଷ ସେ ଦୃଶ୍ୟର ପାଖ ମାଡ଼େନା। ତାର ଏଇ ସଂସ୍କାର ବଦ୍ଧ ମନର ପରିବର୍ତ୍ତନ ପାଇଁ ଛିନ୍ନମସ୍ତା ରୂପର ଧ୍ୟାନ କରି ସେ ଜୀବନର ସଂହାର ଓ ମୃତ୍ୟୁ ରୂପକୁ ଦେଖି କାହିଁକି ବିଭ୍ରାନ୍ତ ଓ ବିଚଳିତ ହେଉଛି ସେକଥା ବୁଝିବାକୁ ଚେଷ୍ଟା କରେ | ଛିନ୍ନମସ୍ତାଙ୍କର ପାଦତଳେ ଅଛନ୍ତି ରତି ଓ କାମଦେବ। ସେମାନଙ୍କର ସଙ୍ଗମରୁ ପ୍ରାଣୀର ସୃଷ୍ଟି। ଦେବୀ ନବଯୌବନା ଓ ନଗ୍ନା | ସେ ନିଜର ମୁଣ୍ଡ କାଟି ନିଜ ରକ୍ତ ଧାରାରେ (ପ୍ରାଣଶକ୍ତିର ଧାରାରେ) ଜୀବପୋଷିନୀ ରୂପରେ ଅନ୍ୟମାନଙ୍କର ପ୍ରାଣ ରକ୍ଷା କରୁଛନ୍ତି । ମାତୃଦୁଗ୍ଧ, ମାଆର ରକ୍ତର ରୂପାନ୍ତର । ମାତ୍ର ଦୁଗ୍ଧ ହେଲା ଆକର୍ଷଣର ବିଷୟ ଓ ରକ୍ତ ହେଲା କ୍ଷତ ଓ ମୃତ୍ୟୁର ସଂକେତ । ତେଣୁ ଭୟ ଓ ଘୃଣା ଯୋଗୁଁ ବିକର୍ଷଣର ବିଷୟ |

ଧୂମାବତୀ ହେଲେ ରୁକ୍ଷ, କର୍କଶ ଓ କଳହପ୍ରିୟା । ସେ ହେଲେ ଘୋର ତାମସୀରୂପୀ। ଅତୃପ୍ତି, ନୈରାଶ୍ୟ, ବିଫଳତା, ବ୍ୟାକୁଳତା ଓ ବିମନା ଭାବର ପ୍ରତିମୂର୍ତ୍ତି। ମଣିଷ ଯେତେବେଳେ ନିଜର ଉତ୍‌ପତ୍ତିର କାରଣ ଭୁଲିଯାଏ, ସାଂସାରିକ ସଫଳତା ତାର ଏକମାତ୍ର କାମ୍ୟ ହୁଏ ତଥା ନିଜର ମନ ଓ ଆତ୍ମାର ପ୍ରୟୋଜନ ପୂରଣ କରେ ନାହିଁ, ସେତେବେଳେ ସେ ଯେଉଁ ଅବସ୍ଥାରେ ପଡ଼େ, ଧୂମାବତୀ ସେହି ମନର ଧୂମ୍ରାଚ୍ଛନ୍ନ ଅବସ୍ଥାର ଅଭିବ୍ୟକ୍ତି। ତାଙ୍କୁ ଧ୍ୟାନକଲେ ମଣିଷ ଧୀରେ ଧୀରେ ନିଜର ବିଭ୍ରାନ୍ତିର କାରଣ ବିଷୟରେ ସଚେତନ ହେଇ ଆଧ୍ୟାତ୍ମିକ ଜୀବନ ପ୍ରତି ଆଗ୍ରହାନ୍ବିତ ହୁଏ ।

ବଗଳା ମଣିଷକୁ ମିଥ୍ୟାଦୃଷ୍ଟି ଓ ମାୟାପାଶରୁ ମୁକ୍ତି ଦିଅନ୍ତି। ବଗଳାଙ୍କର ଯନ୍ତ୍ର ଓ ମନ୍ତ୍ର ଲେଖି ରକ୍ଷାକବଚ ତାବିଜ ତିଆରି କରି ପିଲାଙ୍କୁ ଅନେକେ ପିନ୍ଧାନ୍ତି।
ମାତଙ୍ଗୀ ହେଲେ ଦେବୀଙ୍କର ଦୁଇ ବିପରୀତ ଭାବର ଉନ୍ମତ୍ତ ରୂପ। ସେ ଯେତେବେଳେ କ୍ରୋଧରେ ଉନ୍ମାଦ ହୁଅନ୍ତି ସେତେବେଳେ ମତ୍ତ ମାତଙ୍ଗ (ହାତୀ) ପରି ସବୁ ଭାଙ୍ଗି ଚୁରି, ଦଳାଚକଟା କରି ସବୁ ଛାରଖାର କରନ୍ତି । ପୁଣି ଯେତେବେଳେ ଶିବଙ୍କ ସ‌ହିତ ମିଳିତ ହେବାର ଉନ୍ମାଦନା ଅନୁଭବ କରନ୍ତି ସେତେବେଳେ ମଧ୍ୟ ସେ ଆନନ୍ଦରେ ଉନ୍ମତ୍ତା ହୁଅନ୍ତି ।

ସାଧାରଣ ଆଖିରେ ଦେଖିଲେ ମନେହୁଏ ଯେ, କାଳିସୀ ଲାଗିଲାବେଳେ ଦେବୀଶକ୍ତି କାଳିସୀକୁ ମାଧ୍ଯମ କରି କାଳିସୀକୁ କଥା କୁହାନ୍ତି। ସେଇ ଶକ୍ତି ମାତଙ୍ଗୀଙ୍କର ଶକ୍ତି ବୋଲି ଅନେକେ ଭାବନ୍ତି । ମାତଙ୍ଗୀ ହେଲେ ଦେବୀଙ୍କର ରାଜସିକ ମୂର୍ତ୍ତି।

ମହାବିଦ୍ୟା କମଳା ହେଲେ ଦେବୀଙ୍କର ସାତ୍ତ୍ଵିକୀ ମୂର୍ତ୍ତି। ସେ ହେଲେ ପୂର୍ଣ ଚୈତନ୍ୟ ରୂପିଣୀ । ଚାରିଜଣ ଦିଗହସ୍ତୀ ତାଙ୍କ ଉପରକୁ ପାଣିପକାଇ ତାଙ୍କର ଅଭିଷେକ କରନ୍ତି। ସେ ହେଲେ ନିତ୍ୟତୃପ୍ତା, ବିରଜା ଓ ବିମଳା। ସେ ହେଲେ ମହାସୁଖର ଦୃଶ୍ୟମାନ ରୂପ ।

ଏମାନେ ସ୍ଵତନ୍ତ୍ର ମହାବିଦ୍ୟା ଦେବୀ ରୂପରେ ପୂଜିତ ହୁଅନ୍ତି ବା କାଳିଙ୍କ ସହିତ ପୂଜିତ ହୁଅନ୍ତି। ଅନେକ କ୍ଷେତ୍ରରେ କ୍ରମନ୍ବୟରେ ପୂଜିତ ହୁଅନ୍ତି ।

ଓଡ଼ିଶାରେ କାଳୀ, ତାରା ଓ କମଳାଙ୍କର ପୂଜା ସର୍ବସାଧାରଣ କରନ୍ତି। ଅନ୍ୟ ମହାବିଦ୍ୟା ଦେବୀମାନଙ୍କ ପୂଜା ହେଲା ଗୁପ୍ତ ପୂଜା। ସେଠି ସାଧାରଣ ଲୋକଙ୍କର ପ୍ରବେଶ ନଥାଏ ।

ବଡ଼ ଦେଉଳରେ ଜଗନ୍ନାଥ ଯେତେବେଳେ ବିଷ୍ଣୁରୂପରେ ପୂଜିତ ହୁଅନ୍ତି, ସେତେବେଳେ ‘ଶ୍ରୀ’ ବା ଲକ୍ଷ୍ମୀଦେବୀ ତାଙ୍କର ସ୍ତ୍ରୀ ରୂପରେ ପୂଜା ପାଆନ୍ତି । ବିଷ୍ଣୁଙ୍କ ପୂଜା ବୈଦିକ ରୀତିରେ ହୁଏ ଓ ତାନ୍ତ୍ରିକ ରୀତିରେ ମଧ୍ୟ ହୁଏ । କାରଣ ପଞ୍ଚରାତ୍ର ଗ୍ରନ୍ଥରେ କୃଷ୍ଣ ରୂପୀ ବିଷ୍ଣୁ ଶିବଙ୍କୁ ତନ୍ତ୍ରର ଗୂଢ଼ତତ୍ତ୍ଵର ବ୍ୟାଖାନ କରିଥିଲେ ବୋଲି କଥିତ ଅଛି | ଏଠି ବିଷ୍ଣୁ ପଞ୍ଚବିଧ ଜ୍ଞାନର ବ୍ୟାଖ୍ୟା କରିଥିଲେ । ୧. ବୈଷୟିକ ଜ୍ଞାନ, ୨. ଯୌଗିକ ଜ୍ଞାନ, ୩. ଜନ୍ମ ମରଣ ରହସ୍ୟ ଜ୍ଞାନ, ୪. ମୁକ୍ତିପ୍ରଦ ଜ୍ଞାନ ଓ ୫. ଭକ୍ତିପ୍ରଦ ଜ୍ଞାନ ।

ଜଗନ୍ନାଥଙ୍କୁ ଶୈବତନ୍ତ୍ର ଅନୁସାରେ ଯେତେବେଳେ ଭୈରବ ରୂପରେ ତନ୍ତ୍ରମତରେ ପୂଜାକରାଯାଏ, ସେତେବେଳେ ବିମଳା ତାନ୍ତ୍ରିକ ମହାବିଦ୍ୟା ରୂପରେ ପୂଜିତ ହୁଅନ୍ତି। ଅନେକେ ବିମଳାଙ୍କୁ ଭୈରବୀ ବୋଲି ମାନନ୍ତି ଓ ଭୈରବ ତନ୍ତ୍ର ଅନୁସାରେ ପୂଜାର ବିଧାନ ପାଳିତ ହୁଏ ।

ଦଶ ମହାବିଦ୍ୟା କାଳୀଙ୍କ ଦେହରେ ଲୀନ ହୁଅନ୍ତି ଓ ତାଙ୍କର ଭିନ୍ନଭିନ୍ନ ଶକ୍ତି ରୂପରେ ପ୍ରକାଶିତ ହୁଅନ୍ତି। ମହାବିଦ୍ୟା ସାଧନାରେ କାଳି ହେଲେ ପରମେଶ୍ଵରୀ, ଅନ୍ୟ ଈଶ୍ଵରୀମାନେ ତାଙ୍କ ଅଂଶ।

@ଆଚାର୍ଯ୍ୟ ସତ୍ୟବ୍ରତ