ବିଜୟନଗରମରେ ବାହାନଗା ଦୁର୍ଘଟଣାର ପୁନରାବୃତ୍ତି: ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ସୂଚନା

ବାହାନଗା ଟ୍ରେନ ଦୁର୍ଘଟଣା ମନରୁ ନ ଲିଭୁଣୁ ଆନ୍ଧ୍ରପ୍ରଦେଶର ବିଜୟାନଗରମ୍ ନିକଟରେ ହୋଇଛି ବଡ ଟ୍ରେନ ଦୁର୍ଘଟଣା । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ୫୦ ଜଣଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସିଗ୍ନାଲ ଓଭର ସୁଟିଂ ଯୋଗୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପଲାସା-ବିଶାଖାପାଟଣା ପାସେଂଜର ଟ୍ରେନ୍କୁ ସମାନ ଟ୍ରାକରେ ମାଡି ଆସି ପଛପଟୁ ଧକ୍କା ଦେଇଥିଲା । ବିଶାଖାପାଟଣା-ରାୟଗଡ଼ା ପାସେଂଜର । ମୃତକଙ୍କ ମଧ୍ୟରେ ଅଛନ୍ତି ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକ ପାଇଲଟ ପଲାସା ପାସେଞ୍ଜର ଟ୍ରେନ୍ର ଗାର୍ଡ । ଦୁର୍ଘଟଣାର ୨୦ ଘଂଟା ପରେ ଦୁର୍ଘଟଣାସ୍ଥଳର ଗୋଟିଏ ଟ୍ରାକରେ ଗଡ଼ିଛି ଟ୍ରେନ୍ ।
ଆକାରରେ ବିଶ୍ୱର ଚତୁର୍ଥ ବୃହତମ ରେଳପଥ, ଯାହା ଉପରେ ନିର୍ଭର କରିଥାନ୍ତି ପ୍ରତିବର୍ଷ ୮ଶହ କୋଟିରୁ ଅଧିକ ଯାତ୍ରୀ, ଆଉ ଯାହାକୁ ଭାରତୀୟଙ୍କ ଜୀବନ ରେଖା କୁହାଯାଏ । ଯେତେବେଳେ ଏହା ମୃତ୍ୟୁ ପଥ ପାଲଟିଯାଏ, ସେତେବେଳେ ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳେ । ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଏ ପରିବାର, ହସପିଟାଲ ବେଡ୍ରେ ଶୁଭୁଥାଏ ଆହତଙ୍କ ଯନ୍ତ୍ରଣାର ଚିକ୍ରାର । ବାହାନଗା ପରେ ପୁଣି ଛାତି ଥରାଇ ଦେଇଛି ବିଜୟନଗରମ୍ ଦୁର୍ଘଟଣା ।
ଆକାଶ ମାର୍ଗରୁ ଘଟଣା ସ୍ଥଳ ଦେଖିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡି । ହସପିଟାଲରେ ଆହତଙ୍କୁ ଭେଟିବା ସହ ବିଜୟନଗରମ୍ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ସେହିପରି ଓଡ଼ିଶାର ଏସଆରସିଙ୍କ ଟିମ୍ ସହ ରାଜସ୍ୱ ମନ୍ତ୍ରୀ ସୁଦାମ ମାଣ୍ଡି ଘଟଣାସ୍ଥଳକୁ ଯାଇଛନ୍ତି ।
ବିଜୟନଗରମର ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୨୦ ଘଂଟା ପରେ ଗଡ଼ିଲା ଟ୍ରେନ୍ । ପରୀକ୍ଷା ମୂଳକ ଭାବେ ଗୋଟିଏ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ହୋଇଛି । ପ୍ରଥମେ ମାଲବୁହା ଟ୍ରେନ୍ ପରୀକ୍ଷା ମୂଳକ ଭାବେ ଚାଲିଥିଲା । ଏହା ପରେ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ଆଲମଣ୍ଡା ଷ୍ଟେସନରୁ ଛାଡ଼ିଥିଲା । ଦୁର୍ଘଟଣାରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଟ୍ରେନର ଟ୍ରାକ ଉପରେ ପଡ଼ିଥିବା ବଗି ଏବଂ ଅନ୍ୟାନ୍ୟ ଜିନିଷ ସବୁ ହଟାଯାଇଥିଲା । ଏହି ଦୁର୍ଘଟଣା ପାଇଁ ୪୫ଟି ଟ୍ରେନ ବାତିଲ ହୋଇଥିଲା । ୪୧ଟି ଟ୍ରେନ ଆଂଶିକ ବାତିଲ ଓ ଗତିପଥ ପରିବର୍ତନ ହୋଇଥିଲା । ୪ଟି ଟ୍ରେନ ରିସିଡ୍ୟୁଲ ହୋଇଥିଲା । ଏବେ ଟ୍ରେନ୍ ଟ୍ରାକ୍ କାମ ଶେଷ ହେବା ପରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ କରିଛି । ଧୀରେ ଧୀରେ ସ୍ୱାଭାବିକ ହେଉଛି ସ୍ଥିତି ।