*ପ୍ରଣମ୍ୟ ପ୍ରହରାଜଙ୍କ ପ୍ରଥମ ପୁଣ୍ୟତିଥି*

Feb 28, 2026 - 23:32
Feb 28, 2026 - 23:34
 17
*ପ୍ରଣମ୍ୟ ପ୍ରହରାଜଙ୍କ ପ୍ରଥମ ପୁଣ୍ୟତିଥି*

ପ୍ରଥିତଯଶା ସାହିତ୍ୟିକ ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ, ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଓ ବର୍ଷା ପବ୍ଲିକେସନର ମିଳିତ ଆନୁକୂଲ୍ୟରେ  ଭୁବନେଶ୍ୱରର ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଆଜି ତା 28-2-2026 ଶନିବାର ସନ୍ଧ୍ୟାରେ  ପାଳିତ ହୋଇଯାଇଛି l ପ୍ରହରାଜ ଦୀର୍ଘ ଛଅ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି କବିତା, ଅନୁବାଦ, ପ୍ରବନ୍ଧ, ଉପନ୍ୟାସିକା,କାବ୍ୟନାଟିକା, ଗଳ୍ପ,ସମୀକ୍ଷା, ସମ୍ପାଦନା ଆଦିରେ ଓଡ଼ିଆ ଓ ଇଂରାଜୀ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି lଏହି ଉତ୍ସବରେ କବି ଶ୍ରୀ ସୂର୍ଯ୍ୟ ମିଶ୍ର ପ୍ରାରମ୍ଭିକ ଅଭିଭାଷଣ ରଖିଥିବାବେଳେ କବି ଅମରେଶ ପଟ୍ଟନାୟକ ସଭାପତିତ୍ୱ କରିଥିଲେ l ମୁଖ୍ୟ ବକ୍ତା ଭାବେ ଶ୍ରୀ ବିଭୁତି ଭୂଷଣ ମହାପାତ୍ର ଓ ମୁଖ୍ୟ ଅତିଥି ଭାବେ ଯୁବକବି ଓ ଆଲୋଚକ ଜ୍ଞାନୀ ଦେବାଶିଷ ମିଶ୍ର  ଯୋଗ ଦେଇଥିଲେ l

ବର୍ଷା ପବ୍ଲିକେସନ ତରଫରୁ  ପ୍ରକାଶିତ ସ୍ମରଣିକା 'ପ୍ରଣାମ ପ୍ରହରାଜ'ର ଶୁଭ ଉନ୍ମୋଚନ ଓ ପାଠକlର୍ପଣ ହେଲା l କବି ଓ ସ୍ତମ୍ଭକାର ଶ୍ରୀ କେଦାର ମିଶ୍ର, କବି ବାଦଲ ମହାନ୍ତିଙ୍କ ସମେତ  ଅନ୍ୟ ଅତିଥିବୃନ୍ଦ ପ୍ରହରାଜଙ୍କ କାବ୍ୟ ସମ୍ଭାରରେ ଆଧ୍ୟାତ୍ମିକ ଚେତନା, ଛନ୍ଦ, ଲାଳିତ୍ୟ, ଚିତ୍ରକଳ୍ପର ପ୍ରୟୋଗ ଓ କବିତାରେ ଶବ୍ଦ ସଂଯୋଜନାର ସୌନ୍ଦର୍ଯ୍ୟବୋଧ ଉପରେ ତାତ୍ତ୍ୱିକ ଆଲୋଚନା କରିବା ସହ ଏ ଉତ୍ସବ ପ୍ରହରାଜଙ୍କ ସାହିତ୍ୟକୃତିର ପୁନଃଆବିଷ୍କାର ଓ ତାଙ୍କ କୃତି ସ୍ୱତନ୍ତ୍ର ଶ୍ରେଣୀଭୁକ୍ତ ବୋଲି ମତ ବ୍ୟକ୍ତ କରିଥିଲେ l ପ୍ରହରାଜ ପରିବାର ତରଫରୁ ସମସ୍ତଙ୍କୁ ସମ୍ମାନ ଶ୍ରଦ୍ଧା ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ପ୍ରହରାଜଙ୍କ ସାନଭାଇ ପ୍ରହରାଜ ଜୟନାରାୟଣ ନନ୍ଦ ଭାଇଙ୍କ ସ୍ମୃତି ଚାରଣ ଓ ଗୁଣାତ୍ମକ ସାହିତ୍ୟ କୃତିର ଆଲୋଚନା କରିଥିଲେ l ଆଗାମୀ ଦିନରେ ପ୍ରହରାଜଙ୍କ ସାହିତ୍ୟକୁ ନୂଆପିଢ଼ି ନିକଟରେ ପହଁଞ୍ଚେଇବା ଓ ଏହାକୁ ପାଠକାଭିମୁଖୀ କରିବାର ସଂକଳ୍ପ ନିଆଗଲା l ପରିଶେଷରେ ଭୁବନେଶ୍ୱର ସାହିତ୍ୟ ସମାଜ ତରଫରୁ ଶ୍ରୀମତୀ ମାନିନୀ ଧନ୍ୟବାଦ ଅର୍ପଣ କରିଥିଲେ l