ବି.ଜେ.ଇ.ଏମ୍‌. ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍‌ଯାପିତ

Dec 19, 2023 - 15:47
 16
ବି.ଜେ.ଇ.ଏମ୍‌. ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର: ଭୁବନେଶ୍ୱରର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ତିନି ଦିନ ଧରି ଚାଲିଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ପଦ୍ମଭୂଷଣ କପିଲ ଦେବ ଯୋଗ ଦେଇ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଯେଉଁ ସମୟରେ ଯେଉଁ ବ୍ୟକ୍ତିତ୍ୱ ତୁମକୁ ପ୍ରଭାବିତ କରୁଛି, ସେ ପ୍ରକୃତ ହିରୋ ଓ ଆତ୍ମବିଶ୍ୱାସ, ପରିଶ୍ରମ ଅସମ୍ଭବକୁ ସମ୍ଭବ କରାଯାଇପାରିବ ବୋଲି କହିଥିଲେ । ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କର ଅନେକ ପ୍ରଶ୍ନ ଉପ-ସଭାପତି ଡ. ଅଶ୍ୱିନୀ କୁମାର ତିୱାରୀ ଉପସ୍ଥାପନ କରିଥିଲେ ଯାହାର ଉତ୍ତର କପିଲ ଦେବ ହୃଦୟସ୍ପର୍ଶୀ ଭାବେ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କଟକ-ଭୁବନେଶ୍ୱରର ଆରକ୍ଷୀ ଆୟୁକ୍ତ ଶ୍ରୀଯୁକ୍ତ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯୋଗ ଦେଇ କପିଲ ଦେବଙ୍କୁ ପିଲାଦିନର ହିରୋ କହିବା ସହ ବର୍ତ୍ତମାନ ଗ୍ୟାଜେଟ୍ ଯୁଗରେ ସୃଜନଶୀଳ ଚିନ୍ତାଧାରା, ବିଚାରଶୀଳ ଭାବନାର ଏକାନ୍ତ ଆବଶ୍ୟଖତା ରହିଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ରଘୁନାଥ ମିଶ୍ର କପିଲ ଦେବଙ୍କ ଜୀବନାଦର୍ଶ ଉପରେ ଆଲୋକପାତ ସହ ଶିକ୍ଷାଦାତା, ଅଭିଭାବକଙ୍କର ଅବଦାନ ପ୍ରତି ସମସ୍ତେ ଗର୍ବ ଅନୁଭବ କରିବା ଉଚିତ୍ ବୋଲି କହିଥିଲେ । ବିଦ୍ୟାଳୟର ପରିଚାଳକ ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ଥିବା ଭାରତର ଗର୍ବ କପିଲ ଦେବଙ୍କର କ୍ରିକେଟ ଜଗତକୁ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଛନ୍ତି । ପୁରାତନ ଛାତ୍ରୀ ତଥା କର୍ପୋରେଟର ଶ୍ରୀମତୀ କେ. ଶାନ୍ତି ବିଦ୍ୟାଳୟକୁ ଏକ ମନ୍ଦିର କହିବା ସହ ନିଜର ବିଦ୍ୟାଳୟ ଅନୁଭୂତି ବର୍ଣ୍ଣନା କରିଥିଲେ । ଆଲୁମନି ଆସୋସିଏସନ୍‌ର ସଭାପତି ଶ୍ରୀଯୁକ୍ତ ବିକ୍ରମ ପଟ୍ଟନାୟକ ବିଦ୍ୟାଳୟର ଅନୁଭୂତି ଓ କାର୍ଯ୍ୟଦକ୍ଷତାକୁ ବର୍ଣ୍ଣନା କରିଥିଲେ । ଆଲୁମନି ଆସୋସିଏସନର ସମ୍ପାଦକ ଡ. ଇତିଶ୍ରୀ ଷଡ଼ଙ୍ଗୀ ଆଲୁମନି ଶପଥ ପାଠ କରାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଥମ ବ୍ୟାଚ୍‌ର ଛାତ୍ର ଶ୍ରୀ ଟିଟନ ନାୟକ ବିଦ୍ୟାଳୟରେ ଶିକ୍ଷାଦାତା ମାନଙ୍କର ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପୁରାତନ ଅଧ୍ୟକ୍ଷ ଡଃ. ଜି. ଥଙ୍ଗାଦୁରାଇ ଓ ଶ୍ରୀଯୁକ୍ତ ଯୁଗଳ କିଶୋର ମହାନ୍ତି ଏବଂ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି କରିଥିବା ଶିଳ୍ପୀ ସରୋଜ କୁମାର ଭଞ୍ଜଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଥିଲା । ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଟପ୍ପରମାନଙ୍କୁ, ବିଜୟୀ ଆଲୁମନି ଫୁଟ୍‌ବଲ୍ ଟିମ୍‌, ଆଲୁମନି ଶିବଦତ୍ତ ଦାସ, କପିଲ ଦେବଙ୍କ ପି.ଏସ୍‌. ଶ୍ରୀଯୁକ୍ତ ରାଜେଶ୍ ପୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ପରିଚାଳନା କମିଟିର ଉପପରିଚାଳକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ନାୟକ, ବି.ଜେ. ଏଜୁକେସନ୍ ସୋସାଇଟିର ସଦସ୍ୟବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ବରିଷ୍ଠ ସଦସ୍ୟବୃନ୍ଦ, ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ (ସୁବର୍ଣ୍ଣ ଜୟନ୍ତୀ କମିଟିର ଆବାହକ), ଶ୍ରୀମତୀ ଶିବାନୀ ପଟ୍ଟନାୟକ, ଶ୍ରୀମତୀ ସ୍ମିତା ମହାନ୍ତି, ଶ୍ରୀମତୀ ସୁଚରିତା ଦାସ ଏବଂ ଶିକ୍ଷକ ପ୍ରତିନିଧି ଲକ୍ଷ୍ମୀଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।