କୋମଳ ବଳ
ନିଜକୁ ଶକ୍ତିଶାଳୀ ମନେ କରୁଥିବା ରାଷ୍ଟ୍ରମାନେ ଆନ୍ତର୍ଜାତିକ ପ୍ରେକ୍ଷାପଟରେ ଯେଉଁ ଶକ୍ତି ପ୍ରଦର୍ଶନ କରିଥାନ୍ତି, ତାହା ଦୁଇ କିସମର ହୋଇଥାଏ। ଗୋଟିଏ କିସମ ହେଉଛି ପହିଲମାନ୍ ମାନେ ନିଜର ବଳିଷ୍ଠ ମାଂସପେଶୀ ପ୍ରଦର୍ଶନ କଲା ଭଳି ରାଷ୍ଟ୍ର ନିଜର ସାମରିକ କ୍ଷମତା ପ୍ରଦର୍ଶନ କରିବା, ଯେମିତି ଏବେ ଭୂମଧ୍ୟସାଗରକୁ ନିଜର ବିମାନବାହୀ ଜାହାଜ ପ୍ରେରଣ ମାଧ୍ୟମରେ ଅମେରିକା କରିଛି।
ଏହାକୁ ସାଧାରଣତଃ କଠିନ ଶକ୍ତି ପ୍ରଦର୍ଶନ ରୂପେ ବର୍ଣ୍ଣନା କରାଯାଇଥାଏ। ଅନ୍ୟ କିସମଟି ହେଉଛି ବେସାମରିକ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର ମାଧ୍ୟମରେ ଆନ୍ତର୍ଜାତିକ ସମୁଦାୟର ସ୍ବୀକୃତି ଲାଭ କରିବା, ଯେମିତି ଏବେ ଜି-୨୦ ଶୀର୍ଷ ସମ୍ମିଳନୀର ସଫଳ ଆୟୋଜନ ମାଧ୍ୟମରେ ଭାରତ ହାସଲ କରିପାରିଛି। ଏହାକୁ ଏକ କୋମଳ ଶକ୍ତି ପ୍ରଦର୍ଶନ ରୂପେ ଅଭିହିତ କରାଯାଇଥାଏ।
ଏଇଭଳି କୋମଳ ଶକ୍ତି ପ୍ରଦର୍ଶନର ଯାହା ଏକ ସର୍ବାଧିକ ଫଳପ୍ରଦ ମାଧ୍ୟମମାନଙ୍କ ମଧ୍ୟରୁ ଅନ୍ୟତମ ରୂେପ ବିବେଚିତ ହୋଇଥାଏ, ତାହା ହେଉଛି ଏକ ଦେଶ ଦ୍ବାରା ଅଲିମ୍ପିକ୍ସ ଖେଳକୁଦ ପ୍ରତିଯୋଗିତାର ସଫଳ ଆୟୋଜନ। ନିକଟରେ ମୁମ୍ବାଇ ଠାରେ ଅନୁଷ୍ଠିତ 'ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି'ର ୧୪୦ତମ ଅଧିବେଶନ ଅବସରରେ ୨୦୩୬ରେ ଆମ ଦେଶରେ ଅଲିମ୍ପିକ୍ସ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଭାରତ ଦେଇଥିବା ପ୍ରସ୍ତାବ ପଛରେ ରହିଥିବା ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଭାରତର ନବଆବିଷ୍କୃତ କୋମଳ ଶକ୍ତିର ପ୍ରଦର୍ଶନ, ଏଥିରେ କୌଣସି ସନ୍ଦେହ ନାହିଁ।
ଅବଶ୍ୟ ଏହା ନିଶ୍ଚିତ ଯେ ସଦ୍ୟସମାପ୍ତ ହାଙ୍ଗ୍ଝୁ ଏସିଆନ୍ ଗେମ୍ସରେ ଶତାଧିକ ପଦକ ଲାଭ କରିବା ପରେ ଭାରତର ଖେଳ କସରତ ଜଗତରେ ଯେଉଁ ନୂତନ ଉତ୍ସାହ ଉଦ୍ଦୀପନା ସୃଷ୍ଟି ହୋଇଛି, ସ୍ବାଭାବିକ ଭାବରେ ତାହା ଅଲିମ୍ପିକ୍ସ ଆୟୋଜନ କରିବା ଭଳି ଏକ ଉଚ୍ଚାକାଙ୍କ୍ଷାକୁ ଜନ୍ମ ଦେଇଛି। କିନ୍ତୁ ତା' ସହିତ ଯାହା ମିଶି ଯାଇଛି ତାହା ହେଲା ଅର୍ଥନୈତିକ ଜଗତରୁ ଆରମ୍ଭ କରି କୂଟନୈତିକ ଓ ବୈଷୟିକ ପରିସର ପର୍ଯ୍ୟନ୍ତରେ ଭାରତ ଆହରଣ କରିଚାଲିଥିବା ନୂତନ ଶକ୍ତି। ଉଦାହରଣ ସ୍ବରୂପ କୋଭିଡ୍ ପାଣ୍ଡେମିକ୍ ମୁକାବିଲାରେ ପୃଥିବୀର ସଫଳତମ ଅର୍ଥନୀତି ରୂପେ ଆବିର୍ଭୂତ ହୋଇଥିବା ଭାରତୀୟ ଅର୍ଥନୀତି ୨୦୩୦ ସୁଦ୍ଧା ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ସମସ୍ତ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ପର୍ଯ୍ୟବେକ୍ଷଣକାରୀ ଅନୁଷ୍ଠାନମାନେ ବର୍ତ୍ତମାନ ଏକମତ। ଜି-୨୦ ଶୀର୍ଷ ସମ୍ମିଳନୀରେ ସମସ୍ତ ଅଂଶଗ୍ରହଣକାରୀ ଦେଶମାନଙ୍କ ମଧ୍ୟରେ ଏକ ବିରଳ ସହମତି ହାସଲ କରିବାରେ ସଫଳ ହୋଇ ଭାରତ ଲାଭ କରିଥିବା ପ୍ରଶଂସା ହେଉଛି ତା'ର ବର୍ଦ୍ଧିଷ୍ଣୁ କୂଟନୈତିକ ମର୍ଯ୍ୟାଦାର ଏକ ପ୍ରତିଫଳନ। ଡିଜିଟାଲ୍ ଜ୍ଞାନକୌଶଳ କ୍ଷେତ୍ରରେ ଭାରତର ଉପଲବ୍ଧି ଯଦି ନେତୃସ୍ଥାନୀୟ ଥିଲା, 'ଚନ୍ଦ୍ରଯାନ' ଓ 'ଗଗନଯାନ' ଭଳି ଅଭିଯାନମାନ ମହାକାଶ ବିଜ୍ଞାନ କ୍ଷେତ୍ରରେ ତା' ପାଇଁ ଏକ ଅଗ୍ରଣୀ ସ୍ଥାନ ନିଶ୍ଚିତ କରିଛନ୍ତି। ଏହି ପୃଷ୍ଠଭୂମିରେ ଅଦୂର ଭବିଷ୍ୟତରେ ଅଲିମ୍ପିକ୍ସ ଆୟୋଜନ ଭଳି ଏକ କୋମଳ ଶକ୍ତି ପ୍ରଦର୍ଶନର ସୁଯୋଗର ସଦ୍ବ୍ୟବହାର କରିବା ନିମିତ୍ତ ଭାରତ ପ୍ରବୃତ୍ତ ହେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ତେବେ ଭାରତ ଏହି ଗୁରୁଦାୟିତ୍ବ ବହନ କରିବାକୁ ଉଦ୍ୟତ ହେଉଥିବା ବେଳେ ନିକଟ ଅତୀତେର ଏହି ସର୍ବୋଚ୍ଚ ସ୍ତରୀୟ ଆନ୍ତର୍ଜାତିକ ଖେଳ ପ୍ରତିଯୋଗିତା ଆୟୋଜନ କରିଥିବା ଅନ୍ୟ ଦେଶମାନଙ୍କର ଅନୁଭୂତି ଉପରେ ଦୃଷ୍ଟି ନିକ୍ଷେପ କରିବା ତା' ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆମର ମନେ ହୁଏ। ୨୦୦୪ରେ ଗ୍ରୀସ୍ର ଏଥେନ୍ସ (ଅଲିମ୍ପିକ୍ସର ପ୍ରାଚୀନ ଜନ୍ମଭୂମି)ରେ ଅନୁଷ୍ଠିତ ଅଲିମ୍ପିକ୍ସ ସେ ଦେଶ ପାଇଁ ଯେଉଁ ବିଶାଳ ଆର୍ଥିକ ବୋଝ ସୃଷ୍ଟି କରିଥିଲା, ପରବର୍ତ୍ତୀ ସମୟରେ ଗ୍ରୀସ୍ର ଅର୍ଥନୀତି ସମ୍ମୁଖୀନ ହୋଇଥିବା ଘୋର ସଂକଟର ତାହା ଅନ୍ୟତମ କାରଣ ଥିଲା ବୋଲି ଅର୍ଥନୀତିଜ୍ଞମାନେ ଏକମତ ହୋଇଥାନ୍ତି। ଗ୍ରୀସ୍ ଏବେ ମଧ୍ୟ ତା'ର ପ୍ରଭାବରୁ ସଂପୂର୍ଣ୍ଣ ରୂେପ ମୁକୁଳି ନାହିଁ। ୨୦୧୬ର ରିଓ ଅଲିମ୍ପିକ୍ସ ମଧ୍ୟ ବ୍ରାଜିଲ୍ ପାଇଁ ଅନୁରୂପ ଦଶା ସୃଷ୍ଟି କରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
ସେତେବେଳେ ସେଇ ନଗରୀମାନଙ୍କରେ ଯେଉଁ ବିଶାଳ ଷ୍ଟାଡିଅମ୍ ଓ ଅନ୍ୟାନ୍ୟ କ୍ରୀଡ଼ା କେନ୍ଦ୍ରମାନ ସୃଷ୍ଟି କରାଯାଇଥିଲା, ସେଗୁଡ଼ିକର ରକ୍ଷଣାବେକ୍ଷଣ ବ୍ୟୟବହୁଳ ହୋଇଥିବା ବେଳେ, ସେଥିରୁ ଉପୁଜୁଥିବା ଆୟ ହେଉଛି ସେ ତୁଳନାରେ ଅତ୍ୟନ୍ତ ନଗଣ୍ୟ। ୨୦୦୮ରେ ଚୀନ୍ ବେଜିଙ୍ଗ୍ ଠାରେ ଆୟୋଜନ କରିଥିବା ଅଲିମ୍ପିକ୍ସ ପାଇଁ ପ୍ରାୟ ୪୦ ବିଲିଅନ୍ ଡଲାର ବ୍ୟୟ କରିଥିବା ବେଳେ ସେଥିରୁ ହୋଇଥିବା ଅର୍ଜନର ପରିମାଣ ଥିଲା ମାତ୍ର ୩ ବିଲିଅନ୍ ଡଲାରରୁ କିଛି ଅଧିକ। ସେତେବେଳେ ପ୍ରାୟ ୫୦୦ ନିୟୁତ ଡଲାର୍ ବ୍ୟୟରେ ବେଜିଙ୍ଗ୍ ଠାରେ ଯେଉଁ 'ବିହଙ୍ଗ ନୀଡ଼' ('ବାର୍ଡ ନେଷ୍ଟ୍') ଷ୍ଟାଡିଅମ୍ ନିର୍ମିତ ହୋଇଥିଲା, ତାହାର ରକ୍ଷଣାବେକ୍ଷଣ ନିମିତ୍ତ ବର୍ତ୍ତମାନ ବାର୍ଷିକ ପ୍ରାୟ ୧୦ ନିୟୁତ ଡଲାର୍ ବ୍ୟୟ ଆବଶ୍ୟକ ହେଉଛି। ୨୦୧୨ର ଲଣ୍ଡନ୍ ଅଲିମ୍ପିକ୍ସ ଆୟ-ବ୍ୟୟ ଚିତ୍ର ଏହା ଠାରୁ ସାମାନ୍ୟ ଉତ୍ତମ ଥିଲା: ବ୍ୟୟ ୧୮ ବିଲିଅନ୍ ଡଲାର୍ ହୋଇଥିବା ବେଳେ ଆୟ ହୋଇଥିଲା ୫ ବିଲିଅନ୍ ଡଲାର୍। ତେବେ ଆୟର ମୁଖ୍ୟ ଅଂଶ ଟେଲିଭିଜନ ଅର୍ଜନରୁ 'ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟି' ତା'ର ଅଂଶ ନେଇଯିବା ପରେ ଆୟୋଜକ ଦେଶ ଭାଗରେ ଯାହା ବଳି ପଡ଼ିଥାଏ ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଥାଏ।
ଏକ ଧାରଣା ବଳବତ୍ତର ଥାଏ ଯେ ଅଲିମ୍ପିକ୍ସ ଆୟୋଜନ ଯୋଗୁଁ ସଂପୃକ୍ତ ଦେଶରେ ଉଲ୍ଲେଖନୀୟ ଭାବରେ ନିଯୁକ୍ତି ସୃଷ୍ଟି ହୋଇଥାଏ। କିନ୍ତୁ 'ଇଉରୋପିଆନ୍ ବ୍ୟାଙ୍କ୍ ଫର୍ ରିକନ୍ଷ୍ଟ୍ରକ୍ସନ୍ ଆଣ୍ଡ୍ ଡେଭଲପ୍ମେଣ୍ଟ୍' କରିଥିବା ଏକ ଅନୁଶୀଳନରୁ ଯାହା ଜଣାପଡ଼ିଛି, ତାହା ହେଲା, ଅଲିମ୍ପିକ୍ସ ଯୋଗୁଁ ଯେଉଁ ନିଯୁକ୍ତିମାନ ସୃଷ୍ଟି ହୋଇଥାଏ, ତାହା ହେଉଛି ମୁଖ୍ୟତଃ ଅସ୍ଥାୟୀ ଶ୍ରେଣୀର। ପୁଣି ଯଦି ସେ ଦେଶରେ ବେକାରି ସମସ୍ୟା ଉତ୍କଟ ହୋଇ ନ ଥାଏ, ତେବେ ମୁଖ୍ୟତଃ ପୂର୍ବରୁ କୌଣସି ନା କୌଣସି ନିଯୁକ୍ତିରେ ଥିବା ବ୍ୟକ୍ତିମାନେ ହିଁ ଏହି ନୂତନ ନିଯୁକ୍ତି ସାମୟିକ ଭାବରେ ଗ୍ରହଣ କରିଥାନ୍ତି। ଅନୁଶୀଳନ ଅନୁସାରେ ଲଣ୍ଡନ୍ରେ ଅଲିମ୍ପିକ୍ସ ଯୋଗୁଁ ସୃଷ୍ଟି ହୋଇଥିବା ମୋଟ ପ୍ରାୟ ୪୮,୦୦୦ ଅସ୍ଥାୟୀ ନିଯୁକ୍ତିର ମାତ୍ର ପ୍ରାୟ ୧୦ ଶତାଂଶ ବେକାରମାନଙ୍କ ପାଇଁ ଉପଲବ୍ଧ ହୋଇଥିଲା।
ଭାରତ ତେଣୁ ବିଧିବଦ୍ଧ ଭାବରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଦାବି ଉପସ୍ଥାପନ କରିବା ପୂର୍ବରୁ ଭାବପ୍ରବଣ ନ ହୋଇ ଏହି ଉଦ୍ୟମର ସମ୍ଭାବ୍ୟ ଲାଭକ୍ଷତି ହିସାବ କରି ଆଗେଇବା ବୁଦ୍ଧିମାନର କାର୍ଯ୍ୟ ହେବ। କୋମଳ ବଳ ପ୍ରଦର୍ଶନ ପାଇଁ ଆଗ୍ରହୀ ଭାରତ ଭୁଲିବା ଉଚିତ ନୁହେଁ: ବୁଦ୍ଧିମାନ୍ ହିଁ ବଳବାନ୍ ହୋଇଥାଏ।