ୱାଟକୋ ପକ୍ଷରୁ ବିଶ୍ଵ ଜଳ ଦିବସ ପାଳନ

Mar 22, 2024 - 22:36
 54
ୱାଟକୋ ପକ୍ଷରୁ ବିଶ୍ଵ ଜଳ ଦିବସ ପାଳନ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ‘ୱାଟର କର୍ପୋରେସନ ଅଫ ଓଡ଼ିଶା’ ‘ୱାଟକୋ’ ଆଜି ରାଜ୍ୟସ୍ତରୀୟ ‘ବିଶ୍ୱ ଜଳ ଦିବସ’ ପାଳନ କରିଛି । ଚଳିତ ବର୍ଷ ‘ବିଶ୍ଵ ଜଳ ଦିବସ’ର ବିଷଯବସ୍ତୁ ରହିଛି ‘ଶାନ୍ତି ପାଇଁ ଜଳ’ । ପ୍ରତିବର୍ଷ, ୨୨ ମାର୍ଚ୍ଚରେ ବିଶ୍ୱବ୍ୟାପୀ ଜଳ ଦିବସ ପାଳନ କରାଯାଏ, ଯାହା ଜଳ ସମ୍ବନ୍ଧୀୟ କୌଣସି ଏକ ପ୍ରମୁଖ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥାଏ ଏବଂ ବିଶ୍ୱରେ ଜଳ ଏବଂ ପରିମଳ ସଙ୍କଟକୁ ମୁକାବିଲା କରିବା ପାଇଁ ପ୍ରେରଣା ଯୋଗାଇଥାଏ । ଏହି କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥୀଭାଥନନ୍ ଯୋଗଦେଇ କହିଛନ୍ତି ଯେ, ବିଶ୍ଵର ସ୍ଥିରତା ଏବଂ ସମୃଦ୍ଧିରେ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଚଳିତ ବର୍ଷ ଗୁରୁତ୍ତ୍ଵ ଦିଆଯାଇଛି । ଯେତେବେଳେ ଆମେ ଜଳ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ କାର୍ଯ୍ୟକରୁ, ଆମେ ଏକ ନିରନ୍ତର ଉନ୍ନତି ଦିଗରେ ଅଗ୍ରଣୀ ହେଉ l ସମନ୍ୱୟ ରକ୍ଷା କରିବା ଏବଂ ସମୃଦ୍ଧତା ସୃଷ୍ଟି କରିବାରେ ଏହା ଆମକୁ ସହାୟକ ହୁଏ । ଆସନ୍ତୁ ପ୍ରତ୍ୟେକ ବୁନ୍ଦା ଜଳକୁ ଗଣନା କରିବା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ବୁଦ୍ଧିମତ୍ତା ସହିତ ଆମେ ଜଳର ବ୍ୟବହାର କରିବା ଆବଶ୍ୟକ ବୋଲି ସେ କହିଥିଲେ l ‘ୱାଟକୋ’ର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ସ୍ଵାଇଁ ତାଙ୍କ ଭାଷଣରେ ବିଶ୍ୱ ଜଳ ଦିବସ ଅବସରରେ ଆମେ ସମସ୍ତେ ଜଳ ପାଇଁ ଏକ ହୋଇ ଭବିଷ୍ୟତରେ ଏକ ସ୍ଥିର ଏବଂ ସମୃଦ୍ଧ ବିଶ୍ବର ମୂଳଦୁଆ ପକାଇବା ଉପରେ ଆଲୋକପାତ କରିଥିଲେ l ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ରାଜ୍ୟ ‘ଜନସ୍ୱାସ୍ଥ୍ୟ କାରିଗରୀ ସଂଗଠନ’ର ସର୍ବୋଚ୍ଚ ଯନ୍ତ୍ରୀ ପ୍ରସାନ୍ତ କୁମାର ମହାପାତ୍ର, ରାଜ୍ୟ ‘ଜଳ ଗୁଣବତ୍ତା ସୁନିଶ୍ଚିତ ସେଲ’ର ମୁଖ୍ୟ ପରାମର୍ଶଦାତା ଶିଶିର କୁମାର ରଥ, ‘ଓଡ଼ିଶା ଜଳ ଯୋଗାଣ ଏବଂ ପରିମଳ ପରିଷଦର ପରାମର୍ଶଦାତା ବସନ୍ତ କୁମାର ସେନାପତି ସହ ‘ୱାଟକୋ’, ‘ଜନସ୍ୱାସ୍ଥ୍ୟ କାରିଗରୀ ସଂଗଠନ’, ‘ଓଡ଼ିଶା ଜଳ ଯୋଗାଣ ଏବଂ ପରିମଳ ପରିଷଦ’ ଓ ‘ଜଳ ଗୁଣବତ୍ତା ସୁନିଶ୍ଚିତ ସେଲର ବରିଷ୍ଠ ଅଧିକାରୀମାନେ ସଭାରେ ଯୋଗ ଦେଇଥିଲେ । ‘ୱାଟକୋ’ର ଜେନେରାଲ୍ ମ୍ୟାନେଜର୍ ଦେବବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।