କଲଣ ଗ୍ରାମରେ ଐତିହାସିକ ପ୍ରାଚୀନ ବୌଦ୍ଧ କୀର୍ତ୍ତି ଆବିଷ୍କୃତ

Apr 4, 2025 - 00:00
 19
କଲଣ ଗ୍ରାମରେ ଐତିହାସିକ ପ୍ରାଚୀନ ବୌଦ୍ଧ କୀର୍ତ୍ତି ଆବିଷ୍କୃତ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ଗ୍ରାମ ସ୍ଥିତ ଲିଟିଲ୍ ଟୁଇଙ୍କିଲ୍ ଇଂରାଜୀ ବିଦ୍ୟାଳୟର ଜମିରେ କିଛି ପୁରାତନ ପ୍ରସ୍ତରରେ ସ୍ତମ୍ଭ ଓ ଲେଖା ବାହାରିଛି। ଗତ ତିରିଶ ତାରିଖ ଦିନ ଲିଟିଲ୍ ଟୁଇଙ୍କିଲ୍ ଇଂରାଜୀ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ବିଦ୍ୟାଧର ସାହୁ , ସାଂସ୍କୃତିକ ଅନୁଷ୍ଠାନ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନର ସଭାପତି ନିରଞ୍ଜନ ସାହୁ, ମଧୁପୁର ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସତ୍ୟପ୍ରିୟ ସାହୁ ଓ ସାମାଜିକ ଅନୁଷ୍ଠାନ ସାଥୀ ଓ ସାରଥୀର ସମ୍ପାଦକ ଶ୍ରୀ ପୁରୁଷୋତ୍ତମ ଖୁଣ୍ଟିଆ ସେହି ଜମି ମଧ୍ୟରେ ଛିଡ଼ା ହୋଇ କିଛି ଶ୍ରମିକଙ୍କ ସହାୟତାରେ ସାମାନ୍ୟ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ।

ଦୁଇଟି ସ୍ତମ୍ଭ ପ୍ରାୟ ଚାରି ଫୁଟ ଉଚ୍ଚତା ବିଶିଷ୍ଟ ଦେଖିବାକୁ ମିଳିବା ପରେ ଆଉ ଏକ ବଡ଼ ଖଣ୍ଡିତ ପଥର ଅକ୍ଷର ଖୋଦେଇ ହୋଇଥିବାର ଲକ୍ଷ୍ୟ କରାଯାଇଥିଲା, ଯାହା ସମ୍ପୂର୍ଣ୍ଣ ଭାବେ ଅସ୍ପଷ୍ଟ; ହୁଏତ ବହୁ ପୁରାତନ ହୋଇଥିବାରୁ ଅକ୍ଷର ଜାଣିବା ନିହାତି କଷ୍ଟକର। 

ପ୍ରକାଶ ଥାଉ କି ପୂର୍ବରୁ ପ୍ରାୟ ୧୯୯୫ ମସିହାରେ ଏହି କଲଣ ଗ୍ରାମରୁ ଏକ ବୋୖଦ୍ଧ ମୂର୍ତ୍ତି ଆବିଷ୍କୃତ ହୋଇଛି, ଯାହା ଏବେ ମଧୁପୁର ମହାବିଦ୍ୟାଳୟରେ ସୁରକ୍ଷିତ କରି ରଖାଯାଇଛି ଗ୍ରାମବାସୀ ମାନଙ୍କ ଦ୍ୱାରା। ସେହି ଆବିଷ୍କୃତ ବୁଦ୍ଧଦେବଙ୍କ ମୂର୍ତ୍ତି ଭୌମକର ମାନଙ୍କର ରାଜୁତି ସମୟର ବୋଲି କିଛି ବିଶେଷଜ୍ଞ, ଗବେଷକ ଅନୁମାନ କରନ୍ତି।

ଏବେ ଆବିଷ୍କୃତ ପଥର ସ୍ତମ୍ଭ ଗୁଡ଼ିକ ଲିଟିଲ୍ ଟୁଇଙ୍କିଲ୍ ଜମି ମଧ୍ୟରେ ଥିବା ପୋଖରୀ ହୁଡ଼ାରେ ସେହିପରି ଅକ୍ଷତ ଅବସ୍ଥାରେ ରହିଅଛି। ଏହି ସମସ୍ତ କଥାକୁ ବିଚାରକୁ ନେଇ ଏହା ଉପରେ ପ୍ରତ୍ନତତ୍ତ୍ଵ ବିଭାଗ ଦୃଷ୍ଟି ଦେବାକୁ ଅନୁରୋଧ। 

ଏହି ଖନନ କାର୍ଯ୍ୟ ବାବଦରେ, ଏତିକି କୁହାଯାଇପାରେ ଯେ, ବରିଷ୍ଠ ଗବେଷକ ପଦ୍ମଶ୍ରୀ ଡ. ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କର ''ପ୍ରାଚୀନ ଉତ୍କଳ" ପୁସ୍ତକରେ ପୂର୍ବରୁ ପ୍ରକାଶ କରିଛନ୍ତି ଯେ; ଭୌମକର ବଂଶର ରାଜୁତି ସମୟରେ ବ୍ରାହ୍ମଣୀ ଅବବାହିକାରେ ଅନେକ ବୋୖଦ୍ଧକୀର୍ତ୍ତି ଗଢ଼ି ଉଠିଥିଲା ଏବଂ କଲଣ ଗ୍ରାମ ଏକ ପେଣ୍ଠଗ୍ରାମର ମାନ୍ୟତା ଲାଭ କରିଥିଲା ଯାହା ବୋୖଦ୍ଧଭିକ୍ଷୁମାନଙ୍କର ଗ୍ରାସାଚ୍ଛାଦନ ନିମିତ୍ତ ଉଦ୍ଦିଷ୍ଟ ଥିଲା, ଏହି ଗାଆଁର ନିକଟତମ ଅଞ୍ଚଳ ସମୂହରେ ବାସ କରୁଥିବା ଭିକ୍ଷୁମାନଙ୍କର ଖର୍ଚ୍ଚ ଆଦି ଏଠାରୁ ଅମଳ ହେଉଥିବା ଶସ୍ୟ ବିକ୍ରୟ କରାଯାଇ ସେମାନଙ୍କ ଭରଣପୋଷଣ ନିର୍ବାହ ହେଉଥିଲା, ଯାହା ରାଜା ଖଞ୍ଜି ଦେଇଥିଲେ। ତେଣୁ ଇତିହାସ ତଥ୍ୟ ଉପରେ ଆଧାରିତ କଲଣର ସ୍ଵାତନ୍ତ୍ର୍ୟକୁ ଅସ୍ଵୀକାର କରାଯାଇନପାରେ ବୋଲି ନିରଞ୍ଜନ ସାହୁ ପ୍ରକାଶ କରିଛନ୍ତି। 

ଏହି ସ୍ତମ୍ଭ ଆବିଷ୍କୃତ ହେବା ପରଠାରୁ ଏଠାର ବୁଦ୍ଧିଜୀବିମାନେ ଅଧିକ ଆଶାବାଦୀ ହୋଇ ପଡ଼ିଛନ୍ତି ଓ ଏହା ଉପରେ ପ୍ରତ୍ନତତ୍ତ୍ଵ ବିଭାଗ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତିି।