ଆଜି ପହିଲି ରଜରେ ସବୁଠି ଉତ୍ସବର ମାହୋଲ
ଭୁବନେଶ୍ୱର: ଆଜି ପହିଲି ରଜ। ରଜ ହେଉଛି ଓଡ଼ିଶାର ଏକ ପାରମ୍ପରିକ କୃଷି ଭିତ୍ତିକ ପର୍ବ। ଘରେ ଘରେ ମହକୁଛି ପୋଡ଼ ପିଠା, ଅରିଶା ପିଠା ଓ ରଜ ପାନ। ଚଳିତ ବର୍ଷ ରଜକୁ ନିଆରା ରୂପରେ ପାଳନ କରିବାକୁ ଆଗେଇ ଆସିଛନ୍ତି ବିଭିନ୍ନ ସଂଗଠନ। ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଭୁବନେଶ୍ୱର ପାନ୍ଥଣିବାସରେ ଦୋଳି, ପିଠା, ପାନ ଓ ମେହେନ୍ଦିର ବ୍ୟବସ୍ଥା କରାଯାଇଛି। ଗତକାଲି ଆରମ୍ଭ ହୋଇଥିବା ରଜ ମହୋତ୍ସବ ପାନ୍ଥନିବାସରେ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ସକାଳୁ ପାନ୍ଥନିବାସରେ ବିଧାୟକ ସୁରେଶ ରାଉତରାୟ ପହଞ୍ଚି ଦୋଳି ଖେଳି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ ସହର ଓ ମଫସଲ ସବୁ ଅଞ୍ଚଳରେ ଏହି ଶ୍ରଦ୍ଧା, ଆନନ୍ଦ ଓ ଭାଇଚାରାର ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଉଛି। ଭୁବନେଶ୍ୱର ପାତ୍ରପଡ଼ାରେ ମଧ୍ୟ ରଜ ମହୋତ୍ସବ ଆୟୋଜିତ ହୋଇଛି। ଏଠାରେ ପ୍ରାୟ ୩୦୦ ଦୋଳି ଲଗାଯାଇଛି। ସେହିପରି ଟମାଣ୍ଡୋରେ ୨୫୦ ଦୋଳି ଓ ମଦନପୁରରେ ୨୦୦ ଦୋଳିର ବ୍ୟବସ୍ଥା ରହିଛି।