ଓଡିଆଭାଷାରେ ଶିକ୍ଷା ଓ ଓଡିଶାରେ ନିଯୁକ୍ତିପାଇଁ ରାଜଧାନୀରେ ଛାତ୍ର ସମାବେଶ
ଶିକ୍ଷାକୁ ବାସ୍ତବମୁଖୀ କରିବାପାଇଁ ଶିକ୍ଷା ପ୍ରମାଣପତ୍ର ସହିତ ନିଯୁକ୍ତିପତ୍ର ପ୍ରଦାନ ସମସ୍ତ ନିଯୁକ୍ତି ପରୀକ୍ଷାରୁ ବାଧ୍ୟତାମୂଳକ ଇଂଲିଶ ପତ୍ରର ଉଚ୍ଛେଦ ସୀମାନ୍ତ ଜିଲ୍ଲାଗୁଡିକରେ କେବଳ ଓଡିଆ ଅଧିକାରୀଙ୍କୁ ନିଯୁକ୍ତି ଅବସର ପରେ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ

ଭୁବନେଶ୍ୱର, ତା 19/08 (ନି.ପ୍ର) ପ୍ରାକୃତିକ ସମ୍ପତ୍ତିରେ ଧନୀ ଓଡିଶା ଆଜି ବେରୋଜଗାରୀରେ ଦେଶର ପ୍ରଥମ ସ୍ଥାନ ଅଧିକାର କରିଛି । ଓଡିଶାରୁ କ୍ରୋମାଇଟ, ମାଙ୍ଗାନିଜ ନ ଗଲେ ଭାରତର କୌଣସି ଇସ୍ପାତ କାରଖାନା ଚାଲି ପାରିବନାହିଁ । ଓଡିଶାର ବକସାଇଟ ଆଜି ମୋଟରଗାଡିଠାରୁ ରକେଟ ପର୍ଯ୍ୟନ୍ତ ସବୁ ନିର୍ମାଣର ଆବଶ୍ୟକତା ପୂରଣ କରୁଥିବାବେଳେ ଓଡିଆ ଭୋକରେ ରହୁଛି । ରାଜ୍ୟର ୧୫,୩୧୫ଟି ଶିଳ୍ପସଂସ୍ଥା ବନ୍ଦ ହୋଇସାରିଛି । ଅବଶିଷ୍ଟ ୪୮୭୭ଟି ଶିଳ୍ପସଂସ୍ଥା ମଧ୍ୟରୁ ୩୦୬୭ଟି ରୁଗ୍ଣ ଘୋଷିତ ହୋଇଛି । ସରକାରି ଚାକିରି ଲକ୍ଷଲକ୍ଷ ଟଙ୍କାରେ ନିଲାମ ହେଉଛି ବୋଲି ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶରୁ ଜଣାପଡୁଛି । ରାଜ୍ୟର ସମସ୍ତ ନିଯୁକ୍ତି ପରୀକ୍ଷା ଇଂରାଜୀରେ ହେଉଥିବାରୁ ଓଡିଶାର ଶିଳ୍ପପତି, କଣ୍ଟ୍ରାକ୍ଟର, ଖଣିମାଲିକ, ପ୍ରଶାସକ ଆଦି ସମସ୍ତେ ହେଉଛନ୍ତି ଅଣଓଡିଆ । ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପଦରେ ରିଲିଫ ବାଣ୍ଟିବା, ସମାଜରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା, ଜନ ସଚେତନା ସୃଷ୍ଟି କରିବା, ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଆଦି ସବୁ କାମରେ ନିୟୋଜିତ ବିଦ୍ୟାର୍ଥୀ ଶିକ୍ଷା ସମାପ୍ତି ପରେ ସମାଜପାଇଁ ଅଲୋଡା ହୋଇ ନିଯୁକ୍ତିପାଇଁ ବାରଦ୍ୱାର ଘୁରିବୁଲୁଛି । ଜ୍ଞାନର ମାନ ପରୀକ୍ଷା କରି ସରକାର ଦେଇଥିବା ପ୍ରମାଣପତ୍ର ଓଡିଆ ଯୁବକକୁ ନିଯୁକ୍ତି ଦେଉ ନ ଥିବାରୁ ବଞ୍ôଚବାପାଇଁ ଭିଟାମାଟି ଛାଡୁଛି, ଦାଦନ ହେଉଛି । ଓଡିଆ ପରିବାର ଧ୍ୱଂସ ହେଉଛି । ନିଜ ଭାଷାରେ ଶିକ୍ଷା ଓ ନିଯୁକ୍ତି ପାଇବା ସମ୍ବିଧାନର ମୌଳିକ ଅଧିକାର ଥିଲେ ବି ଓଡିଆରେ ଶିକ୍ଷା ଓ ନିଯୁକ୍ତି ନ ଥିବାରୁ ପ୍ରତିବାଦର ସାମର୍ଥ୍ୟ ହରାଇ ଦାସ ପାଲଟିଯାଇ ନିଜର ସମ୍ମାନ ଓ ସମ୍ବଳ ଅନ୍ୟ ହାତକୁ ଟେକିଦେଉଛି । ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଓଡିଆ ଭାଷା ପ୍ରତିଷ୍ଠାନ, ଓଡିଆରେ ସରକାରି କାମ, ଶାସ୍ତ୍ରୀୟ ଓଡିଆ ଗବେଷଣା ସବୁକିଛି ପ୍ରହସନରେ ପରିଣତ ହୋଇଗଲାଣି । ଜଗନ୍ନାଥ ଦିଅଁ ଏବେ ଲମ୍ବାଧାଡି ଭିତରେ ଓଡିଆଙ୍କଠାରୁ ଦୂରେଇ ଯାଇଛି । ମୁଖ୍ୟମନ୍ତ୍ରୀ ଓଡିଆଭାଷାପାଇଁ ବହୁ କାର୍ଯ୍ୟ କରୁଥିବାବେଳେ ଓଡିଆରେ ପରୀକ୍ଷା ପ୍ରଶ୍ନପତ୍ର ଆସିବା ନିଷ୍ପତ୍ତି ରାଜ୍ୟ କ୍ୟାବିନେଟ ନେଇଥିଲେ ମଧ୍ୟ ତାହା ବିଜ୍ଞପ୍ତିରେ ସ୍ଥାନ ପାଉନାହିଁ । ବିଧାୟିକାର ନିଷ୍ପତ୍ତି କାର୍ଯ୍ୟପାଳିକା ମାନୁ ନ ଥିବାରୁ ଓଡିଶାର ପ୍ରତିବର୍ଷ ୬ଲକ୍ଷ ଶିକ୍ଷିତ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଦିଗକୁ ଚାଲିଯାଉଛି ।
ଓଡିଶାର ଅର୍ଥନୈତିକ ବିକାଶପାଇଁ ଓଡିଆରେ ଶିକ୍ଷା ଏବଂ ଓଡିଶାରେ ନିଯୁକ୍ତିପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି କହିବା ସହିତ ବିଭିନ୍ନ ଛାତ୍ର ସଂଗଠନର ମିଳିତ ଅନୁଷ୍ଠାନ “ମୋ ଭାଷା” ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ଛାତ୍ର ସମାବେଶ ପ୍ରସ୍ତୁତି ଶିବିରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସହଦେବ ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନଗୋ, ପୂର୍ବତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ, ଶିକ୍ଷାବିତ ପ୍ରଫେସର ବ୍ରଜେନ୍ଦ୍ର ପ୍ରସାଦ ଦାସ ବିଦ୍ୟାର୍ଥୀମାନଙ୍କୁ ନିଜ ଅଧିକାର ବିଷୟରେ ସଚେତନ ହେବାପାଇଁ ପରାମର୍ଶ ଦେଇଥିଲେ । ନିରଦ ବରଣ ଖୁଂଟିଆ ଓ ଡକ୍ଟର ସୁବ୍ରତ ପୃଷ୍ଟିଙ୍କ ଆହ୍ୱାନ କ୍ରମେ ଛାତ୍ର ପ୍ରତିନିଧିଗଣ ନିଜନିଜର ସମସ୍ୟା ଉପସ୍ଥାପନ କରି ଓଡିଶାର ସମସ୍ତ ପ୍ରକାରର ଶିକ୍ଷା ଓ ପରୀକ୍ଷା ଓଡିଆରେ କରିବା, ସମସ୍ତ ବିଶ୍ୱବିଦ୍ୟାଳୟ ସ୍ତରୀୟ ସେମିଷ୍ଟାର, ଇଣ୍ଟରନାଲ ପରୀକ୍ଷା ଓ ପରୀକ୍ଷାଫଳ ଏକା ସମୟରେ ପ୍ରକାଶନପାଇଁ ଶିକ୍ଷା କ୍ୟାଲେଣ୍ଡର ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଦାନ,ଶାସ୍ତ୍ରୀୟ ଭାଷା ଓଡିଆ ମୂଳ ଭିତ୍ତିପତ୍ର ଆଧାରରେ ଓଡିଆ ଭାଷା, ଓଡିଆ ସାହିତ୍ୟ ଏବଂ ଓଡିଶାର ଇତିହାସ ପାଠ୍ୟକ୍ରମ ପ୍ରସ୍ତୁତ କରିବା, ଶିକ୍ଷାକୁ ନିଯୁକ୍ତିଭିତ୍ତିକ କରିବାପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ଆଧାରିତ ପାଠ୍ୟକ୍ରମ ପ୍ରଚଳନ କରିବା, ଶିକ୍ଷାକୁ ବାସ୍ତବମୁଖୀ କରିବାପାଇଁ ଶିକ୍ଷା ପ୍ରମାଣପତ୍ର ସହିତ ନିଯୁକ୍ତିପତ୍ର ପ୍ରଦାନ “ଓଡିଶାପାଇଁ ଓଡିଆ”ନ୍ୟାୟରେ ରାଜ୍ୟର ସମସ୍ତ ନିଯୁକ୍ତି ପରୀକ୍ଷା ଓଡିଆରେ ହେଉ ଓ ସେଥିରୁ ବାଧ୍ୟତାମୂଳକ ଇଂଲିଶ ପତ୍ର ଉଚ୍ଛେଦ, ଅବସରପରେ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯାଇ ଖାଲି ପଦବୀ ଶୀଘ୍ର ପୂରଣ କରିବା, ଓଡିଶାର ସମସ୍ତ କଳକାରଖାନାରେ ୯୫ଭାଗ ଓଡିଆଙ୍କ ନିଯୁକ୍ତି ଆଇନକୁ ଦୃଢ ଭାବରେ ପାଳନ କରିବା, ସୀମାନ୍ତ ଜିଲ୍ଲାଗୁଡିକର ପ୍ରଶାସନ, ନ୍ୟାୟ ଓ ଚିକିତ୍ସାପାଇଁ କେବଳ ଓଡିଆ ଅଧିକାରୀଙ୍କୁ ନିଯୁକ୍ତି, ଉଚ୍ଚମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ରଶିକ୍ଷିତ ଓଡିଆ ଭାଷା ଶିକ୍ଷକ ନିଯୁକ୍ତି ଆଦି ଦାବି ନେଇ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଛାତ୍ରନେତା ତାପସ କୁମାର ସାହୁ, ନୀଳମାଧବ ପାତ୍ର, ଶିବଶଙ୍କର ସାହୁ, ମନୋଜ ସାହୁ, ସୌମ୍ୟା ପ୍ରିୟଦର୍ଶନୀ, ସୌମ୍ୟ ଲାକ୍ରା, ଶତ୍ରୁଜିତ ରାଉତ, ମାନସ ସାହୁ, ମାମାଲି ସାହୁ, ହିମାଦ୍ରୀ ତନୟା ପ୍ରମୁଖ ପରିଚାଳନା କରିଥିଲେ ।