ଗଂଜାମରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହାସମାରୋହରେ ପାଳିତ

ବ୍ରହ୍ମପୁର: ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ଟାଟା ଷ୍ଟିଲ ଫାଉଣ୍ଡେସନ ଓ ସବଳ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ରବିବାର ସକାଳ ୯ ଘଣ୍ଟା ସମୟରେ ଛତ୍ରପୁର ଉପର ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସହର ପରିକ୍ରମା କରି ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ସଚେତନତା ସ୍ଲୋଗାନ ଦେଇ ଠାକୁରାଣୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପହଂଚିଥିଲେ । ଉକ୍ତ ରାଲିକୁ ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଠାକୁରାଣୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୩ ଉପଲକ୍ଷେ ଗଂଜାମ ଜ଼ିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଉର୍ଦ୍ଧ ଭିନ୍ନକ୍ଷମ ଲୋକମାନେ ଯୋଗଦାନ କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓଙ୍କ ସଂଯୋଜନା ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭାରତୀୟ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମର ନିର୍ଦ୍ଦେଶକ ଭି. ଅଜିତ ରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାସଂଘର ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ବିଶ୍ୱ ଭିନ୍ନକ୍ଷମ ଦିବସ ୨୦୨୩ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରି ଭିନ୍ନକ୍ଷମ ଲୋକମାନେ କୌଣସି ଗୁଣରେ କମ ନୁହନ୍ତି, ଯଦି ସେମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଏ ତେବେ ସେମାନେ ମଧ୍ୟ ଭାରତର ଅର୍ଥନୀତିରେ ଅଂଶୀଦାର ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସଲର ପ୍ରଫେସର କର୍ଣ୍ଣଲ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ଭିନ୍ନକ୍ଷମତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସଂମ୍ମାନନୀୟ ଅତିଥି ଭାବେ ଭାରତୀୟ ତଟରକ୍ଷା ବାହିନୀ ଗୋପାଳପୁର ୟୁନିଟର ସେନାନାୟକ ଶ୍ରୀ ପ୍ରତୀପ ମୋଦକ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ସଂଖ୍ୟା ଓ ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରିଥିଲେ । ସଂମ୍ମାନନୀୟ ଅତିଥି ଭାବେ ଟାଟା ଷ୍ଟିଲର ଜିଲ୍ଲା ମୁଖ୍ୟ ରକି ମାର୍ଟିନ ଯୋଗ ଦେଇ ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ଟାଟା ଷ୍ଟିଲ ଫାଉଣ୍ଡେସନ ଓ ସବଳ ତରଫରୁ ସପ୍ତାହ ବ୍ୟାପୀ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ କିପରି ପାଳନ ହେଉଥିଲା ଓ ସେଥିରେ ସମର୍ଥର ଭୂମିକା କିପରି ପ୍ରଶଂସନୀୟ ଥିଲା ତା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ସଂମ୍ମାନନୀୟ ଅତିଥି ଭାବେ ଛତ୍ରପୁର ଡାକ୍ତର ଖାନାର ମେଡିକାଲ ସୁପରିଟେଣ୍ଡେଣ୍ଟ ଓ ମଲାଡର ଚିକିତ୍ସାଧିକାରୀ ଡ଼କ୍ଟର ସରୋଜିନୀ ସେଠ୍ୟ ଯୋଗ ଦେଇ ବିଶ୍ୱ ଭିନ୍ନକ୍ଷମ ଦିବସ ଓ ଭିନ୍ନକ୍ଷମତା ଉପରେ ଆଲୋକପାତ କରିଥିଲେ। ସଂମ୍ମାନନୀୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଛତ୍ରପୁର ଓକିଲ ସଂଘର ସମ୍ପାଦକ ଏଲ. ଗୋପାଲ ରାଓ ଯୋଗ ଦେଇ ଭିନ୍ନକ୍ଷମ ଲୋକମାନଙ୍କୁ ସମସ୍ତେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ସମର୍ଥ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିଵେକ୍ଷଣ କରିଥିବା ବେଳେ ଭିନ୍ନକ୍ଷମ କଳାକାର ଶ୍ରୀ ସୁଦର୍ଶନ ପାଢ଼ୀ ଓ ଡି. ସରସ୍ଵତି ରେଡ୍ଡୀ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ । ବିଶିଷ୍ଟ ଭିନ୍ନକ୍ଷମ ସମାଜସେବୀ ତଥା ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବିଶିଷ୍ଟ ସମାଜ ସେବୀ ଶ୍ରୀ ଧୋବା ସାହୁଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଭିନନ୍ଦନୀକା ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସଂମ୍ମାନୀତ କରାଯାଇଥିଲା । ଏଥି ସହ ଛତ୍ରପୁର ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଭିନନ୍ଦନୀକା ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସଂମ୍ମାନୀତ କରାଯାଇଥିଲା । ଶେଷରେ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓ ଧନ୍ୟବାଦ ଅର୍ପଣ କରିବା ପରେ ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ଲୋକମାନଙ୍କୁ ସୁସ୍ୱାଦୁ ଭୋଜନରେ ରେ ଆପ୍ୟାୟିତ କରାଯାଇଥିଲା ।