କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା କମିଟି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ; ଗୋମାତା ଙ୍କୁ ରାଷ୍ଟ୍ର ମାତାର ମାନ୍ୟତା ଦାବି
ଭୁବନେଶ୍ୱର: ଆଜି କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ କମିଟି ତରଫରୁ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଅଛି। ଏହି ବିକ୍ଷୋଭ ର ମୂଳ ଉଦ୍ଦେଶ୍ୟ ତଥା ଦାବି ଗୁଡ଼ିକ ହେଲା ରାଜ୍ୟ ତଥା ଦେଶରେ ଗୋହତ୍ୟା କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା, ଗୋମାତା ଙ୍କୁ ରାଷ୍ଟ୍ର ମାତାର ମାନ୍ୟତା ଦେବା, ବାଂଲାଦେଶ ରେ ଗିରଫ ହୋଇଥିବା ହିନ୍ଦୁ ସାଧୁ ଙ୍କୁ ଭାରତ ସରକାରଙ୍କ ଉଦ୍ୟମରେ ମୁକ୍ତ କରିବା ଓ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଗିରଫ କରିବା । ଗତ ୨/୩ ଦିନ ତଳେ କାନାଡା ରେ ଥିବା ଖଲିସ୍ଥାନୀ ଆତଙ୍କବାଦୀ ପନ୍ନୁ ଏକ ମନ୍ତବ୍ୟ ଦେଇଥିଲା ସେ କହିଥିଲା ଭୁବନେଶ୍ୱର ସହର ତଥା Temple City କୁ Terror City ରେ ପରିଣତ କରିବ। ସେ ଆହୁରି ଓଡ଼ିଶା ରେ ହେଉଥିବା ଡି.ଜି.ପି. ଏବଂ ଆଇ.ଜି.ପି. ମାନଙ୍କ ସମ୍ବିଳନୀ କୁ ଭଣ୍ଡୁର କରିବା ପାଇଁ ଏବଂ ଭୁବନେଶ୍ୱର ସହର ରେ ଥିବା ସମସ୍ତ ମନ୍ଦିର ତଥା ମୁଖ୍ୟତଃ ରାମ ମନ୍ଦିର ଉପରେ ଆକ୍ରମଣ କରିବା ପାଇଁ ମାଓବାଦୀ ଓ ଆତଙ୍କବାଦୀ ମାନଙ୍କୁ ଆହ୍ୱାନ କରିଥିଲା। ତତ୍ ସହିତ ସେ ଦେଶର ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ଏନ୍. ଏସ.ଏ ମୁଖ୍ୟଙ୍କୁ ମଧ୍ୟ ଧମକ ଦେଇଛି। ଓଡ଼ିଶା ମାଟି ଏକ ସ୍ଵାଭିମାନୀ ମାଟି। ଆତଙ୍କବାଦୀ ପନ୍ନୁ ଆମ ଓଡ଼ିଶା ମାଟି ବାବଦରେ ଏହିପରି କଟୁ ମନ୍ତବ୍ୟ ଦେଇଥିବାରୁ ଏହାକୁ ବିରୋଧ କରି କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସଂଗଠନ ର ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ ଭୋଳ। ଏହା ଉପରେ କେନ୍ଦ୍ର ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି। ତତ୍ ସହିତ ଏହି ସମସ୍ତ ଦାବି ଗୁଡ଼ିକୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ମାଧ୍ୟମରେ କେନ୍ଦ୍ର ସରକାର ଙ୍କୁ ନିବେଦନ କରାଯାଇଛି। ଶ୍ରୀ ସନ୍ତୋଷ ଭୋଳ ଙ୍କ ନେତୃତ୍ୱ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ର ସମସ୍ତ ମୋର୍ଚ୍ଚା ର ରାଜ୍ୟ ପଦାଧିକାରୀ ଏବଂ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ର ସମସ୍ତ ମୋର୍ଚ୍ଚା ର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।