ଶିକ୍ଷା, ବୁଦ୍ଧି ଓ ମାନବିକତାର ଦୀପଶିଖା: ଏକ ବୈଜ୍ଞାନିକ ଦୃଷ୍ଟିକୋଣ

ଜଣେ ଉଚ୍ଚ ଶିକ୍ଷିତା, ବୈଜ୍ଞାନିକ ଚିନ୍ତାଧାରା ସମ୍ପନ୍ନ ତଥା ସଂସ୍କାରୀ ଝିଅ ଯାହାର ପରିବାରରେ ଶିଷ୍ଟାଚାର, ଶିକ୍ଷା ଓ ଆଧୁନିକ ଚିନ୍ତନକୁ ଅଧିକ ମହତ୍ତ୍ୱ ଦିଆଯାଉଥିଲା, ଯେଉଁଠାରେ ତଥାକଥିତ ଧାର୍ମିକ ପରମ୍ପରାକୁ ଅଗ୍ରାଧିକାର ଦିଆଯାଉନଥିଲା ଏବଂ ପୂଜାପାଠର କିଛି ମହତ୍ତ୍ଵ ନଥିଲା, ତଥାପି ମନରେ ଥିଲା ଗଭୀର ମାନବିକତା ଓ ଭଲପାଇବା।
ବିବାହ ପରେ ଝିଅଟି ଶାଶୁ ଘରକୁ ଗଲା, ଯେଉଁଠାରେ ପରିବାରର ସମସ୍ତ ସଦସ୍ୟ ଅତ୍ୟନ୍ତ ଧାର୍ମିକ, ପ୍ରାଚୀନ ପରମ୍ପରାରେ ବିଶ୍ୱାସ ରଖୁଥିବା, ବେଶ ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀରେ ପରିପୂର୍ଣ ଥିଲା। ଦିନକର କଥା ଶାଶୁ ବୋହୁକୁ କହିଲେ — "ଚାଲ ମନ୍ଦିର ଯିବା, ଭଗବାନଙ୍କ ଦର୍ଶନ କରିବା।" ବୋହୁ ନିଜକୁ ଅସହଜ ଅନୁଭବ କଲା, କିନ୍ତୁ ଗୁରୁଜନଙ୍କ କଥାକୁ କେମିତି ଅମାନ୍ୟ କରିବ? ଶାଶୁଙ୍କ କଥାରେ ରାଜି ହେଲା, ସହମତି ଜଣାଇଲା।
ମନ୍ଦିର ପହଞ୍ଚିବା ପରେ, ପ୍ରବେଶ ଦ୍ୱାରରେ ଥିବା ପଥର ତିଆରି ସିଂହ ମୂର୍ତ୍ତିକୁ ଦେଖି ବୋହୁ ଭୟର ଅଭିନୟ କରି କହିଲା, "ମା! ଏହି ସିଂହମାନେ ମତେ ଖାଇ ଯିବେ!" ଶାଶୁ ହସି କହିଲେ, "ଆରେ ବୋହୁ, ଏହା ତ ପଥରର ତିଆରି ମୂର୍ତ୍ତି, ଭୟ କଣ?"
ତାପରେ ଦୁହେଁ ମନ୍ଦିର ଭିତରକୁ ପସି ଗଲେ, ଯେଉଁଠାରେ ପଥରର କୃଷ୍ଣ ମୂର୍ତ୍ତି ସହ ଗାଈର ପ୍ରତିମା ଥିଲା। ବୋହୁ ନିଜ ସହ ଆଣିଥିବା ବାଲଟିକୁ ଗାଈ ମୂର୍ତ୍ତିର ସ୍ତନ ତଳେ ରଖିଦେଲା ଓ କହିଲା, "ମା! ଯଦି ଗାଈ କ୍ଷୀର ଦିଏ, ଘରକୁ ନେଇଯିବା ଖିରି ତିଆରୀ କରି ଖାଇବା।" ଶାଶୁ ଆଶ୍ଚର୍ଯ୍ୟ ହୋଇ କହିଲେ, "ଆରେ ମୂର୍ଖଙ୍କ ଭଳି କାହିଁକି ହେଉଛୁ, ଏହା ତ ପଥର ତିଆରି ଗାଈ! ଏ କଣ କ୍ଷୀର ଦିଏ?"
ପରେ ସେମାନେ ଶିବଙ୍କ ପ୍ରତିମା ପାଖକୁ ଗଲେ, ଯେଉଁଠାରେ ଶିବଙ୍କ ବେକରେ ପଥର ତିଆରି ସାପ ଦେଖାଯାଉଥିଲା। ବୋହୁ ଡରି ଚିତ୍କାର କଲା, "ମତେ ସାପ ଦଂଶନ କରିଦେବ!" ଶାଶୁ ଅନ୍ୟଥା ବୁଝେଇ କହିଲେ, "ଏହା ପଥର ରେ ତିଆରି ହେଇଛି, କଣ ପାଇଁ ଭୟ କରୁଛୁ ଲୋ ମା।"
ଶେଷରେ ଏକ ଦେବୀ ମୂର୍ତ୍ତି ପାଖକୁ ଗଲେ। ଶାଶୁ ମା କହିଲେ, "ଦେଖ, ଏଇ ଦେବୀ ହେଉଛନ୍ତି ବହୁତ ପ୍ରଭାବଶାଳୀ, ମୁଣ୍ଡିଆ ମାରି ଆଶିର୍ବାଦ ନେ।" ବୋହୁ ଶାଶୁ ମାଙ୍କ ପାଦ ତଳେ ମୁଣ୍ଡିଆ ମାରି କହିଲା, "ମୋ ପାଇଁ ଆପଣ ହିଁ ସାକ୍ଷାତ ଦେବୀ। ମତେ ଆପଣ ଆଶିର୍ବାଦ କରନ୍ତୁ।"
ସେ ନିଜ ମୂଳ ଚିନ୍ତାଧାରାକୁ ଅଧାର କରି ଶାଶୁ ମାଙ୍କୁ ନିମ୍ନଲିଖିତ ଭାବରେ ବୁଝାଇଲା:
"ମା,
ଯଦି ପଥର ତିଆରି ସିଂହ ମତେ ମାରି ପାରିବ ନାହିଁ,
ପଥର ତିଆରି ଗାଈ କ୍ଷୀର ଦେଇପାରିବ ନାହିଁ, ଓ
ପଥର ତିଆରି ସାପ ମତେ ଦଂଶନ କରିପାରିବ ନାହିଁ,
ତେବେ ପଥରରେ ତିଆରି ଦେବୀ ମତେ କିପରି ଆଶିର୍ବାଦ ଦେଇପାରିବେ?"
ଏମିତି ଭାବରେ ବୋହୁ ଏକ ସୂକ୍ଷ୍ମ ବାର୍ତ୍ତା ଦେଲା — ଆମେ ଯାହାକୁ ପୂଜିବା କଥା, ସେ ପ୍ରତ୍ୟେକ ମାନବ ଶରୀର ଭିତରେ ବିଦ୍ୟମାନ ଅଛନ୍ତି। ମାନବିକତା ହିଁ ସବୁଠୁ ଶ୍ରେଷ୍ଠ ଧର୍ମ, ଓ ନିଜର ଶିକ୍ଷା, ବୁଦ୍ଧି ଓ ଚିନ୍ତନ ଦ୍ୱାରା ଆମେ ସତ୍ୟ ପଥରେ ଚାଲିପାରିବା ଓ ନିଜର ଜୀବନକୁ ଚରିତାର୍ଥ କରି ପାରିବା।
ନିଷ୍କର୍ଷ:
ଏହି କାହାଣୀ ମାଧ୍ୟମରେ ଜଣେ ନୂତନ ପିଢ଼ିର ଶିକ୍ଷିତ ଓ ବୌଦ୍ଧିକ ଜ୍ଞାନ ପ୍ରାପ୍ତ ଝିଅ ଏକ ନୈତିକ ଶିକ୍ଷା ଦେଲେ ଯେ, ଗୁରୁଜନଙ୍କ ପ୍ରତି ଆଦର ଓ ସମ୍ମାନ ରଖି ମଧ୍ୟ, ନିଜର ବୁଦ୍ଧି, ବୈଜ୍ଞାନିକ ଚିନ୍ତାଧାରା ଓ ମାନବିକ ମୂଲ୍ୟବୋଧକୁ ପାଥେୟ କରି, ସମାଜରେ ଥିବା ଅନ୍ଧ ଭକ୍ତି ଓ ଶ୍ରଦ୍ଧା ବିରୁଦ୍ଧରେ ସଚେତନତାର ବାର୍ତ୍ତା ଓ ସ୍ଵାଧୀନ ମତ ପୋଷଣ କରାଯାଇପାରେ। ସେ ଦର୍ଶାଇବାକୁ ଚାହିଁଲେ ଯେ, ଧର୍ମ କେବଳ ପୂଜାପାଠ ଓ ଆଡ଼ମ୍ବର ନୁହେଁ — ମାନବିକତା ହିଁ ସର୍ବୋଚ୍ଚ ଧର୍ମ।
ଏହା ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା ବହନ କରୁଛି, ଯାହା ଆମେ ନିଜ ଶିକ୍ଷା ଓ ଚିନ୍ତନ ଶକ୍ତି ଆଧାରରେ ଜୀବନର ମୂଳ ଅର୍ଥକୁ ବୁଝି ନିଜର ଆଚରଣକୁ ଉତ୍ତମ ଦିଗକୁ ନେଇଯାଇପାରିବା।
ସଞ୍ଜୟ ପଟ୍ଟନାୟକ
ସୁନ୍ଦରଗଡ