'ଗୋଷ୍ଠୀ-ସଞ୍ଚାଳିତ ସଂରକ୍ଷଣ ଓ ଜୀବିକାର ଆଭିମୁଖ୍ୟ' ଶୀର୍ଷକ ରାଜ୍ୟସ୍ତରୀୟ କର୍ମଶାଳା
ଭୁବନେଶ୍ୱର: ଗୋଷ୍ଠୀ-ଭିତ୍ତିକ ଜଙ୍ଗଲ ସୁରକ୍ଷା ତଥା ପରିବେଶ-ଅନୁକୂଳ କୃଷି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ନିର୍ମାଣ' ଆନୁକୂଲ୍ୟରେ 'ଗୋଷ୍ଠୀ-ସଞ୍ଚାଳିତ ସଂରକ୍ଷଣ ଓ ଜୀବିକାର ଆଭିମୁଖ୍ୟ' ଶୀର୍ଷକ ଏକ ରାଜ୍ୟସ୍ତରୀୟ କର୍ମଶାଳା ୨୬ ସେପ୍ଟେମ୍ବର ଦିନ ସି.ଓ୍ଵାଇ.ଏସ୍.ଡି ଠାରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଲୋକ ସଙ୍ଗଠନର ପ୍ରତିନିଧିଙ୍କ ସମେତ ବିଶିଷ୍ଟ ପରିବେଶ-ପ୍ରେମୀ ତଥା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ଅରବିନ୍ଦ ବେହେରା ଏବଂ ବରିଷ୍ଠ ବିଶାରଦ ଶ୍ରୀ ଏକାଦଶୀ ନନ୍ଦୀ ଯୋଗ ଦେଇଥିଲେ I ଆରମ୍ଭରେ 'ନିର୍ମାଣ'ର ମୁଖ୍ୟ ଶ୍ରୀ ପ୍ରଶାନ୍ତ ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୁଝାଇ କହିଥିଲେ ଯେ ନାନା ବାଧାବିଘ୍ନ ସତ୍ତ୍ଵେ ବି ଗ୍ରାମବାସୀମାନେ ମିଳିତ ଭାବେ କରୁଥିବା ଜଙ୍ଗଲ ସୁରକ୍ଷା ବୈଜ୍ଞାନିକ ମାନଦଣ୍ଡ ଦୃଷ୍ଟିରୁ କେତେ ସଫଳ ଓ ପ୍ରଭାଵକାରୀ, ତାହାର ବିଶ୍ଳେଷଣ ପାଇଁ ଅନୁଷ୍ଠାନ ପକ୍ଷରୁ ଦୁଇଟି ତୁଳନାତ୍ମକ ବୈଜ୍ଞାନିକ ଅନୁଧ୍ୟାନ କରାଯାଇଥିଲା ଯାହାର ଉତ୍ସାହଜନକ ଫଳାଫଳ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଏହାର ଆୟୋଜନ କରାଯାଇଛି I ଏହି ଅଧ୍ୟୟନରେ ଅଂଶଗ୍ରହଣ କରିଥିବା ଉଦ୍ଭିଦ ବିଜ୍ଞାନୀ ଡ଼ ହେମନ୍ତ କୁମାର ସାହୁ ନିଜର ବୈଜ୍ଞାନିକ ଉପସ୍ଥାପନାରେ ଦର୍ଶାଇଥିଲେ କିଭଳି ଗୋଷ୍ଠୀ ସୁରକ୍ଷିତ ଜଙ୍ଗଲରେ ବୃକ୍ଷଲତାର ସ୍ଥିତି ସୁରକ୍ଷା ନ ଥିବା ଜଙ୍ଗଲ ତୁଳନାରେ ଅଧିକ ଭଲ ରହିଛି I ସେଇଭଳି ପ୍ରାଣୀ ବିଜ୍ଞାନୀ ସୁଶ୍ରୀ ଅମୃତା ପାକଡ଼ାଶୀ ତାଙ୍କର ଅଧ୍ୟୟନର ତଥ୍ୟ ପ୍ରକାଶ କରି ଦର୍ଶାଇଥିଲେ ଯେ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ଦ୍ୱାରା ବଣ୍ୟ ଜୀବଜନ୍ତୁଙ୍କର ବିବିଧତା ମଧ୍ୟ ଅଧିକ ରହୁଛି I ଉପସ୍ଥିତ ଜଙ୍ଗଲ ପରିଚାଳନା କରୁଥିବା ମହିଳାମାନେ ମଧ୍ୟ କହିଥିଲେ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ଦ୍ୱାରା ଜଙ୍ଗଲର ଯଥେଷ୍ଟ ଅଭିବୃଦ୍ଧି ଘଟିଛି I କାର୍ଯ୍ୟକ୍ରମର ପ୍ରବୀଣ ଅଂଶଗ୍ରହଣକାରୀମାନେ ଏହି ଅନୁଧ୍ୟାନର ଫଳାଫଳ ପ୍ରତି ଆଗ୍ରହ ପ୍ରକାଶପୂର୍ବକ ଅନେକ ପ୍ରଶ୍ନ ପଚାରିବା ସହିତ କେତେକ ଗଠନମୂଳକ ମତାମତ ଦେଇଥିଲେ I ପରିଶେଷରେ ଶ୍ରୀ ପ୍ରଶାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ I