ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକି ଶିକ୍ଷକ ନିଲମ୍ବିତ
ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକି ଜଣେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଏହି ଘଟଣା ଘଟିଛି ବରଗଡ ଜିଲ୍ଲାରେ। ନିଲମ୍ବିତ ଶିକ୍ଷକ ଜଣଙ୍କ ଛେଲିଆ ପୋଢ। ସେ ଗାଇସିଲାଟ ବ୍ଲକ ଫିରିଙ୍ଗିମାଲ ପଂଚାୟତ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ। ଗାଇସିଲାଟ ସରକାରୀ ନୋଡାଲ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଫେବ୍ରୁଆରୀ ୨୬ ତାରିଖ ସେଣ୍ଟର ସୁପରଭାଇଜର ଭାବରେ ତହସିଲଦାର ଗାଇସିଲାଟ ସରକାରୀ ନୋଡାଲ ହାଇସ୍କୁଲକୁ ଗସ୍ତ କରିଥିଲେ। ସେ ସମୟରେ ରୁମ ନଂ ୧ରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ଛେଲିଆ ପୋଢ ପରୀକ୍ଷା କେନ୍ଦ୍ର ଭିତରକୁ ନିୟମ ଉଲଂଘନ କରି ପଶିବା ସହ କବାଟ ନିକଟରେ କେଉଁ ନଂ ଏ ହେବ ଓ କେଉଁ ନଂ ବି ହେବ ଡାକୁଥିଲେ। ସୁପରଭାଇଜର ଭାବରେ ଗାଇସିଲାଟ ତହସିଲଦାର ଯାଇଥିବା ସମୟରେ ସେ ଧରାପଡିଥିଲେ । ଏନେଇ ତହସିଲଦାର ସବିଶେଷ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିଲେ। ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଛେଲିଆ ପୋଢଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିଲେ।