ଶ୍ରୀ ମନ୍ଦିର ଚାରି ଦ୍ବାର
ଶ୍ରୀମନ୍ଦିର ତତ୍ତ୍ଵ ଓ ତଥ୍ୟ

ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ମେଘନାଦ ପାଚେରୀରେ ଚାରିଦିଗରେ ଚାରିଗୋଟି ଦ୍ୱାର ଅଛି ଓ ତନ୍ମଧ୍ୟରୁ ପୂର୍ବ ଦିଗର ଦ୍ୱାରଟି ମୁଖ୍ୟ, ଏହାକୁ ସିଂହଦ୍ୱାର କୁହାଯାଏ ।ଏହାକୁ ଧର୍ମ ବା ମୋକ୍ଷ ଦ୍ୱାର ବୋଲି କୁହାଯାଏ । ହନୁମାନ ଏହାର ଦ୍ୱାରପାଳ ଅଟନ୍ତି ।
ମାଦଳା ପାଞ୍ଜି ଅନୁଯାୟୀ ରାଜା ମତଭାନୁ କପିଳେନ୍ଦ୍ର ଦେବଙ୍କ ୧୫ଅଙ୍କରେ ଏହି ସିଂହଦ୍ୱାର, ମେଘନାଦ ପାଚେରୀ, ବାହାର ବେଢ଼ା, ଦୁଇ ପାର୍ଶ୍ୱରେ ଦୁଇଟି ବୃହତ ସିଂହ ମୂର୍ତ୍ତି ସ୍ଥାପନା କରାଇଛନ୍ତି । ଗୋଲାକାର ସ୍ଥମ୍ଭ ସଂଲଗ୍ନିତ ଜୟ ବିଜୟ ମୂର୍ତ୍ତି ଓ ମୂର୍ତ୍ତି ଦୁଇଟି ପଛରେ ମୁଗୁନି ପ୍ରସ୍ତରର ଅନ୍ୟ ଦୁଇଟି ଜୟ ବିଜୟ ବିଗ୍ରହ ସିଂହଦ୍ୱାର (ମୂଖ୍ୟଦ୍ୱାର)ରେ ଲାଗି ରହିଛି, ଯାହାର ଉଚ୍ଚତା ଅଢେଇ ଫୁଟ ଓ ଚତୁର୍ଭୁଜ ବିଶିଷ୍ଟ ଅଟନ୍ତି ।
ଅନ୍ୟ ଦ୍ୱାର ଗୁଡ଼ିକ ହେଲା ବ୍ୟାଘ୍ର ଦ୍ୱାର (ପଶ୍ଚିମ ଦିଗର ଦ୍ୱାର), ହାତୀ ଦ୍ୱାର (ଉତ୍ତର ଦିଗର ଦ୍ୱାର) ଓ ଅଶ୍ୱଦ୍ୱାର (ଦକ୍ଷିଣ ଦିଗର ଦ୍ୱାର) ମୁଖ୍ୟ ମନ୍ଦିର ସାମନାରେ ଜଗମୋହନ ଓ ମଝିରେ ପବିତ୍ର କଳାଘାଟ ଦ୍ୱାର । ନାଟମନ୍ଦିରରୁ ଜଗମୋହନକୁ ଯିବା ବାଟରେ ଥିବା ଦ୍ୱାର ହେଲା ‘ଜୟ-ବିଜୟ’ ଦ୍ୱାର । ଏହା ବ୍ୟତୀତ ବେହରଣ ଦ୍ୱାର, ସାତପାହାଚ ଦ୍ୱାର, ଧୁକୁଡି ଦ୍ୱାର, ପଣ୍ଡା ଦ୍ୱାର, ମୁଦୁଲି ଦ୍ୱାର ଓ ଘଣ୍ଟାଦ୍ୱାର ଆଦି ଅଛି ।