"ଅଠରଭାୟା :: ପାଇକ ବିଦ୍ରୋହ ସମୟର ଐତିହାସିକ ବୀରଶିଳା"

Nov 20, 2023 - 18:37
 10
"ଅଠରଭାୟା :: ପାଇକ ବିଦ୍ରୋହ ସମୟର ଐତିହାସିକ ବୀରଶିଳା"

ଅଲୋଡ଼ା ଅବହେଳିତ ଅବସ୍ଥାରେ ପଡ଼ିରହିଛି ଓଡ଼ିଆ ପାଇକମାନଙ୍କର ବୀରତ୍ୱର ଗାଥା ବହନ କରୁଥିବା ଭଗ୍ନ ବୀରଶିଳା ସମୂହ। ୧୮୧୭ ମସିହାର ପାଇକ ବିଦ୍ରୋହ ସମୟରେ ମହାନ ପାଇକ ନେତା ବକ୍ସି ଜଗବନ୍ଧୁଙ୍କ ସପକ୍ଷରେ ଯୁଦ୍ଧ କରି ପ୍ରାଣବଳି ଦେଇଥିବା ପାଇକ ବୀରମାନଙ୍କର ଏହି ସ୍ମୃତିସ୍ତମ୍ଭଗୁଡିକୁ ଆମେ ଦେଖିଥିଲୁ ଖୋର୍ଦ୍ଧା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମହତପଲ୍ଲା ଗାଁର ଏକ ମାଟି ଢିପ ଉପରେ। 

ପୂର୍ବରୁ ହିରୋଷ୍ଟୋନ ସମ୍ପର୍କରେ ଅନେକ ଥର ଲେଖିଛି। ଏହା ଓଡ଼ିଶାର ସାମାରିକ କଳା ସଂସ୍କୃତିର ପ୍ରତୀକ। ଓଡିଶାରେ ହିରୋଷ୍ଟୋନ ବା ବୀରଶିଳା ସବୁର ବ୍ୟବହାର ଅତି ପୁରାତନ ସମୟରୁ ଦେଖିବାକୁ ମିଳେ। ଯୁଦ୍ଧରେ ଉଲ୍ଲେଖନୀୟ ଅବଦାନ କରିଥିବା ଅଥବା ଯୁଦ୍ଧକରି ପ୍ରାଣଦାନ କରିଥିବା ବୀରଯୋଦ୍ଧାମାନଙ୍କ ସ୍ମୃତିରେ ଏପ୍ରକାର ହିରୋଷ୍ଟୋନ ସବୁ ସ୍ଥାପନ କରାଯାଉଥିଲା। ପ୍ରାୟ ଭୌମକରମାନଙ୍କ ରାଜୁତି ସମୟ ଠାରୁ ଆରମ୍ଭ କରି ଇଂରେଜ ଶାସନ ପର୍ଯ୍ୟନ୍ତ (ଅଷ୍ଟମରୁ ଉନ୍ନବିଂଶ ଶତାବ୍ଦୀ) ବିଭିନ୍ନ ଶୈଳୀର ବୀରଶିଳା ଓଡ଼ିଶାର ଅନେକ ସ୍ଥାନରେ ଦେଖିବାକୁ ମିଳେ। ମହତପଲ୍ଲାର ବୀରାଶିଳାଗୁଡିକରେ ଏହି ବୀରମାନେ ଧନୁରେ ଲକ୍ଷ୍ୟ ସାଧନା ଭଙ୍ଗୀରେ ଚିତ୍ରିତ ହୋଇଛନ୍ତି, ଅନ୍ୟ କିଛି ମୂର୍ତ୍ତିରେ ଢାଲ ଓ ଖଡ୍ଗଧାରୀ ଯୋଦ୍ଧାଙ୍କ ଚିତ୍ରଣ ମଧ୍ୟ ରହିଛି। 

ସ୍ଥାନୀୟ ଲୋକକଥା ଅନୁସାରେ ଏ ସ୍ଥାନଟିର ନାମ 'ଅଠର ଭାୟା'। ଏଠାରେ ଥିବା ଅଠରଟି ସ୍ମୃତିସ୍ତମ୍ଭ ଅଠର ଜଣ ପାଇକ ଭାଇଙ୍କ ପ୍ରାଣ ଦାନର ପ୍ରତୀକ। ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହ ସମୟରେ ବ୍ରିଟିଶ ସୈନ୍ୟମାନେ ବକ୍ସି ଜଗବନ୍ଧୁଙ୍କୁ ଗିରଫ କରିବାକୁ ଯିବା ସମୟରେ ଏହି କାଞ୍ଜିଆଗଡ ନିକଟରେ ପାଇକ ବିଦ୍ରୋହୀମାନଙ୍କ ଦ୍ୱାରା ପ୍ରବଳ ଯୁଦ୍ଧର ସମ୍ମୁଖୀନ ହୋଇଥିଲେ, ସେହି ଯୁଦ୍ଧରେ ଏହି ଅଠର ଜଣ ଯୋଦ୍ଧା ଜୀବନଦାନ ଦେଇଥିଲେ ବୋଲି ଜନଶ୍ରୁତି ରହିଛି। ସେମାନଙ୍କ ବଳୀଦାନକୁ ମନେ ରଖିବା ପାଇଁ ମାଙ୍କଡା ପଥର ଉପରେ ଏସବୁ ଛବି ଅଙ୍କନ କରାଯାଇଥିଲା ଓ ଏହି ସ୍ଥାନରେ ସ୍ତମ୍ଭଗୁଡିକ ସଜାଡି ରଖାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହା ଆଜି ନଷ୍ଟ ପ୍ରାୟ ହୋଇଗଲାଣି। ଅନେକ ମାଟି ତଳେ ପୋତି ହୋଇଯାଇଛି। ଏ ସମ୍ପର୍କରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଶୀଘ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏହି ବୀରଶିଳାଗୁଡିକୁ ଓଡିଶା ଷ୍ଟେଟ ମ୍ୟୁଜିଅମକୁ ସ୍ଥାନାନ୍ତରିତ କରିବା ତଥା ମାଟି ତଳେ ଥିବା ଅନ୍ୟ ବୀରଶିଳାଗୁଡିକୁ ଖନନ କରି ବାହାର କରିବା ଉଚିତ। ଏହିପରି ଅନେକ ହିରୋଷ୍ଟୋନ ଆମେ ପୂର୍ବରୁ ପୁରୀ କଣାସ ବ୍ଲକ ତିପୁରୀ ଗାଁରେ ଅବହେଳିତ ଅବସ୍ଥାରେ ପଡିରହିଥିବା ଦେଖିବାକୁ ପାଇଥିଲୁ। ପାଇକ ବିଦ୍ରୋହ ପରି ଐତିହାସିକ ଘଟଣାର ମୂକସାକ୍ଷୀ ଏହି ସ୍ମୃତିସ୍ତମ୍ଭ ସବୁର ଏତାଦୃଶ ଅବସ୍ଥା ଦେଖି ଦୁଃଖ ଲାଗୁଛି।