ଆଡ଼ପମଣ୍ଡପ ବିଜେ ବେଳେ ଚାରମାଳ ଉପରେ ବଡ଼ଠାକୁର ମୁହଁମାଡ଼ି ପଡ଼ିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଚିଠି

Jul 11, 2024 - 22:06
 10

ଭୁବନେଶ୍ୱର: ପୁରୀରେ ଆଡ଼ପମଣ୍ଡପ ବିଜେ ବେଳେ ଚାରମାଳ ଉପରେ ବଡ଼ଠାକୁର ମୁହଁମାଡ଼ି ପଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳର ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଚିଠିରେ ଲେଖିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ଅସ୍ଥିତାର ପ୍ରତୀକ। ଓଡିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ। ସେ ହେଉଛନ୍ତି ଏ ଜାତିର ମଉଡମଣି । ଜଗତର ନାଥ ଜଗନ୍ନାଥ । ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଆସି ପୁରୀ ଧାମରେ ସମ୍ମିଳିତ ହୋଇଥାନ୍ତି । ସାରା ବିଶ୍ବର କୋଣ ଅନୁକୋଣରେ ରଥଯାତ୍ରା ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଥାଏ । ଏତଦ୍ ବ୍ୟତୀତ ଟିଭି ଓ ସେସିଆଲ ମିଡିଆ ଜରିଆରେ ସାରା ବିଶ୍ଵର କୋଟି କୋଟି ଜଗନ୍ନାଥପ୍ରେମୀ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାକୁ ସଂଦର୍ଶନ କରି ଦିବ୍ୟ ଆନନ୍ଦ ଲାଭ କରିଥାନ୍ତି । ଚଳିତ ବର୍ଷ ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡିବେଳେ ଯେଉଁ ଅଘଟଣ ଘଟିଲା, ତାହା ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି । ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ । ମହାପ୍ରଭୁ ହେଉଛନ୍ତି ଓଡିଆ ଜାତିର ଇଷ୍ଟ। ତାଙ୍କର ପହଣ୍ଡି ବେଳେ ଏଭଳି ଅଘଟଣ ଅଶୃତପୂର୍ବ । ଚାରମାଳରେ ପହଣ୍ଡି ସମୟରେ ବଡଠାକୁର ମୁହଁ ମାଡି ପଡିଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ବିଦାରକ। ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେଏଭଳି ଘଟଣା କେବେ ଘଟି ନ ଥିଲା । ଆଖରେ ଦେଖ୍ ମଧ୍ୟ ଏଭଳି ଅଘଟଣକୁ ବିଶ୍ବାସ କରି ହେଲାନାହିଁ । ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ଵିଗୁଣିତ କରିଛି। ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି । ସରକାରଙ୍କର ଏଭଳି ଅଭିମୁଖ୍ୟ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ କରିବାରେ ସମର୍ଥ ହେଲାନାହିଁ । ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ମୁରବୀ । ଆମ ବିଶ୍ବାସର କେନ୍ଦ୍ରବିନ୍ଦୁ । ଏହି ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଆପଣ ନିଜେ ଦାୟିତ୍ଵ ନେଇ ଏଭଳି ଅଘଟଣ ଯେଭଳି ପୁନରାବୃତ୍ତି ନ ଘଟିବ ତାହା ସୁନିଶ୍ଚିତ କରିବେ । ମୋର ବିଶ୍ବାସ ଏ ଦିଗରେ ଆପଣଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ କୋଟି କୋଟି ଭକ୍ତଙ୍କୁ ଆଶ୍ବସ୍ତ କରିବାରେ ସହାୟକ ହେବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।