ଜନଜାତି ସମ୍ପ୍ରଦାୟର ଶିକ୍ଷା ଏବଂ ସେମାନଙ୍କର ବିକାଶ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ ଉଦ୍ଦେଶ୍ୟ: ମୁଖ୍ୟମନ୍ତ୍ରୀ

Jan 26, 2025 - 22:54
 49
ଜନଜାତି ସମ୍ପ୍ରଦାୟର ଶିକ୍ଷା ଏବଂ ସେମାନଙ୍କର ବିକାଶ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ ଉଦ୍ଦେଶ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ-୨୦୨୫ ଅବସରରେ ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ହରି ବାବୁ କୁମ୍ଭମପତି। ରାଜ୍ୟସ୍ତରୀୟ ପରେଡ୍ ରେ ସାମିଲ ହୋଇଥିଲେ ୪୯ଟି ମାର୍ଚିଙ୍ଗ କଣ୍ଟିନଜେଣ୍ଟ। ପରେଡ୍ ର ନେତୃତ୍ଵ ନେଇଥିଲେ ଯୁବ ଆଇପିଏସ୍ ଅଧିକାରୀ ଶୁଭମ୍ ଭୋସଲେ। ସେହିପରି, କଟକରେ ଜାତୀୟ ପତାକା ଉତ୍ତୋଳନ କଲେ ମୂଖ୍ୟମନ୍ତ୍ରୀ ମୋହନ ମାଝୀ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିକୁ ୭୫ ବର୍ଷ ପୂର୍ବେ ଆନୁଷ୍ଠାନିକ ଭାବେ ଦେଶରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ସ୍ଥାପିତ ହୋଇଥିଲା । ଏହାପରେ ନିରବଚ୍ଛିନ୍ନ ଭାବେ ଆମ ଦେଶ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ପାଥେୟକରି ଆଗେଇ ଚାଲିଛି। ଭାରତ ଆଜି ବିଶ୍ୱର ପଞ୍ଚମ ଶ୍ରେଷ୍ଠ ଅର୍ଥନୀତି ହୋଇଥିବା ବେଳେ, ଖୁବ ଶୀଘ୍ର ତୃତୀୟ ଶ୍ରେଷ୍ଠ ଅର୍ଥନୀତି ଭାବେ ପ୍ରତିଷ୍ଠା ହାସଲ କରିବାକୁ ଯାଉଛି । ବିଶ୍ଵର ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ଅଭୂତପୂର୍ବ ସମ୍ମାନ ପ୍ରଦାନ କରାଯାଉଛି। ଗତ ଦଶନ୍ଧିରେ ସାମାଜିକ, ଅର୍ଥନୈତିକର ପ୍ରତ୍ଯେକ ମାନକ ଏବଂ ସୂଚକାଙ୍କରେ ଉନ୍ନତି ପରିଲକ୍ଷିତ ହୋଇଛି, ଯାହାଦ୍ୱାରା ୧୪୦ କୋଟି ଭାରତବାସୀଙ୍କ ସାମର୍ଥ୍ୟ ଏବଂ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିଛି। ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ହେବାକୁ ଯାଉଛି। ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଦୁଇ ଦିନ ତଳେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ଫତ୍ତି ନିଆଯାଇଛି। ଏହି ବିଦ୍ୟାଳୟଗୁଡିକ ଅତ୍ୟାଧୁନିକ ବ୍ୟବସ୍ଥାରେ ପରିପୂର୍ଣ୍ଣ ରହିବ ଏବଂ ଆଗାମୀ ଚାରି ବର୍ଷ ମଧ୍ୟରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏଥିପାଇଁ ଆମ ସରକାର ୧୨ ହଜାର କୋଟି ଟଙ୍କା ଖର୍ଚ କରିବେ। ଏହା ସହିତ ନିପୁଣ ଓଡ଼ିଶା, ପି.ଏମ୍ ଶ୍ରୀ ଯୋଜନା, ଐତିହ୍ୟ ବିଦ୍ୟାଳୟ ଯୋଜନା ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ଗୁଡିକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହା ବ୍ୟତୀତ, ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଅତିରିକ୍ତ ୧ ଟଙ୍କା ବୃଦ୍ଧି କରାଯାଇଛି । ଦେଶର ଛାତ୍ର ଓ ଯୁବଶକ୍ତିର ବିକାଶରେ ଗୁଣାତ୍ମକ ଶିକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ଉଦ୍ଦେଶ୍ୟରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ନୂତନ ଶିକ୍ଷା ନୀତି-୨୦୨୦ ପ୍ରଣୟନ କରିଛନ୍ତି । ଏଥିରେ ଶିକ୍ଷା ପ୍ରଣାଳୀକୁ ବିଶ୍ୱସ୍ତରୀୟ କରିବାର ଯୋଜନା କରାଯାଇଥିବା ବେଳେ ମାତୃଭାଷାରେ ଉଚ୍ଚ ଶିକ୍ଷା ହାସଲ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଜନଜାତି ସମ୍ପ୍ରଦାୟର ଶିକ୍ଷା ଏବଂ ସେମାନଙ୍କର ବିକାଶ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ ଉଦ୍ଦେଶ୍ୟ। ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ଏବଂ ପାଠ ପଢା ଛାଡିବାର ହାର ହ୍ରାସ କରିବା ପାଇଁ ଆମ ସରକାର ଜାନୁଆରୀ ୫ ତାରିଖ ଦିନ “ଶହିଦ ମାଧୋ ସିଂହ ହାତଖର୍ଚ୍ଚ” ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିରେ ନବମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଏହା ଦ୍ୱାରା ୨ ଲକ୍ଷ ଜନଜାତି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ଗତ ସରକାର ସମୟରେ ଆଦିବାସୀମାନଙ୍କ ଜମି ହସ୍ତାନ୍ତର ପାଇଁ ଅନୁମତି ଦିଆଯାଇ ସେମାନଙ୍କୁ ଭୂମିହୀନ କରିବା ପାଇଁ ଯେଉଁ ଚଞ୍ଚକତା ହୋଇଥିଲା, ତାକୁ ଆମ ସରକାର ନବ ଗଠିତ ଆଦିବାସୀ ଉପଦେଷ୍ଟା କମିଟି ବୈଠକରେ ରଦ୍ଦ କରିଛନ୍ତି । ଆଦିବାସୀମାନଙ୍କ ସ୍ୱାର୍ଥ, ସ୍ୱାଭିମାନ ଓ ସଂସ୍କୃତିର ସୁରକ୍ଷା ପାଇଁ ଆମ ସରକାର ଶତପ୍ରତିଶତ ପ୍ରତିଶୃତିବଦ୍ଧ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।