ଭିନ୍ନକ୍ଷମ ପିଲାଙ୍କ ପାଇଁ ସ୍ଵତନ୍ତ୍ର ଅଲିମ୍ପିକ ସମ୍ପର୍କିତ ତାଲିମ ଶିବିର
ବାରିପଦା: ସ୍ଥାନୀୟ ଲାଲବଜାର ପ୍ରାଥମିକ ବିଦ୍ୟାଳୟ ଠାରେ ଗତ ତା ୨୮ ଫେବୃୟାରି ଓ ୧ ମାର୍ଚ୍ଚ ୨୦୨୫ ରିଖ ଦୁଇ ଦିନ ବ୍ୟାପି ସ୍ଵତନ୍ତ୍ର ଅଲିମ୍ପିକ ଭାରତ ଓ ଏକୀକୃତ କ୍ରିଡା ସମ୍ପର୍କିତ ମୟୂରଭଞ୍ଜ ଅନ୍ତର୍ନିବେଶି ସାଧନ କର୍ମୀ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରଟି ସମଗ୍ର ଶିକ୍ଷା ମୟୂରଭଞ୍ଜ ଓ ଭୁବନେଶ୍ବର ସ୍ଥିତ ଓପନ ଲର୍ଣ୍ଣିଂ ସିଷ୍ଟମ (Open Learning System) ରେ କାର୍ଯ୍ୟ କରୁଥିବା ସ୍ଵତନ୍ତ୍ର ଅଲମ୍ପିକ ବିଭାଗର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା । ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶିଧର ସିଂ, କାର୍ଯ୍ୟକ୍ରମ ସଂଯୋଜକ ଭାବରେ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଶ୍ରୀ ନିରଞ୍ଜନ ନାୟକ, ସ୍ଵତନ୍ତ୍ର ଅଲିମ୍ପିକ ଓଡିଶାର ପ୍ରତିନିଧି ଭାବରେ ଅନ୍ତରାଷ୍ଟ୍ରୀୟ କୋଚ ସସ୍ମିତା ମହାପାତ୍ର, ରାଜ୍ୟ ପ୍ରକଳ୍ପ ସଂଯୋଜିକା ଅର୍ପିତା ମହାପାତ୍ର, ରାଜ୍ୟ ସାଧନ କର୍ମୀ ତ୍ରିନାଥ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିବସର କାର୍ଯ୍ୟକ୍ରମର ଆଭିମୁଖ୍ଯ ସମ୍ପର୍କରେ ପ୍ରଶିକ୍ଷକ ମାନେ ଆଲୋଚନା କରିବା ସହିତ ସାଧାରଣ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ଵତନ୍ତ୍ର ଅଲିମ୍ପିକରେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ପ୍ରଶିକ୍ଷାର୍ଥୀ ମାନଙ୍କ ସହିତ ବିସ୍ତୃତଭାବରେ ଆଲୋଚନା କରିଥିଲେ । ଦ୍ଵିତୀୟ ଦିବସରେ ଅନ୍ତର୍ନିବେଶି ମାଧ୍ୟମରେ କିପରି ଭିନ୍ନକ୍ଷମ ଓ ସାଧାରାଣ ବର୍ଗର ପିଲା ମାନଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳମାନ ଅୟୋଜନ କରା ଯାଇ ପାରିବ ତାହା ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଆୟୋଜନ କରାଯାଇଥିଲା । ଏଥିରେ ୪୪ ଜଣ ଅନ୍ତର୍ନିବେଶି ସାଧନ କର୍ମୀ, ସ୍ଵତନ୍ତ୍ର ବିଦ୍ୟାଳୟ ରୋଜ, ରଘୁନାଥପୁରର ୧୫ ଜଣ ବୌଦ୍ଧିକ ଅନଗ୍ରସର ଛାତ୍ର ଓ ୧୫ ଜଣ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାର ଖେଳ ଯଥା, ଏକୀକୃତ ଫୁଟବଲ, ଆଥଲେଟିକ୍ସ, ବ୍ୟାଡ ମିଣ୍ଟନ, ବୁଚି, ଫନ ଗେମ, ୱାର୍ମ ଅଫ କାର୍ଯ୍ୟକ୍ରମ ଆଦି ପ୍ରଦର୍ଶନ କରାଯାଇଥିଲା । ରୋଜ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସପନ କୁମାର ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ପୁର ୟୁ, ପି, ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ସୋମନାଥ ସିଂ, ସହକାରୀ ଶିକ୍ଷକ ଶ୍ରୀ ସୌମ୍ଯ ଦାସଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଖେଳରେ ସହଯୋଗ କରିଥିଲେ । ଉଦଯାପନୀ ଦିବସରେ ଜିଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ ମହୋଦୟ ଉପସ୍ଥିତ ରହି ତାଲିମର ଆଭିମୁଖ୍ଯ ବୁଝିବା ସହିତ ଭବିଷ୍ୟତରେ ଏହା କିପରି ସଫଳତା ହାସଲ କରି ପାରିବ ସେଥିପାଇଁ ପ୍ରଶାସନ ତରଫରୁ ଯେଉଁ ସବୁ ସହଯୋଗର ଆବଶ୍ୟକତା ଅଛି ତାହା ପ୍ରଦାନ କରାଯିବ ବୋଲି ମତ ପ୍ରକାଶ କରିଥିଲେ । ଶେଷରେ ସେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷା ସାଧନ କର୍ମୀ ବିରେନ୍ଦ୍ର କୁମାର ସାହୁ, ରେଖାରଣୀ ଦାସ, ରୋହିତ କୁମାର ବିଶ୍ଵାଳ ଓ ଦିଲ୍ଲୀପ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ ।