ଆଜିର ବୁଢ଼ା ଶଙ୍ଖାରୀ

ପ୍ରଜ୍ଞା ପାରମିତା ପାଣି
ଉଦୁଉଦିଆ ଖରାବେଳ। ଶଙ୍ଖାରୀ ବୁଢ଼ାଟିଏ ନିଜ ଦାଣ୍ଡ ପିଣ୍ଡାରେ ବସି ନାଲି ଶଙ୍ଖା ଗଢୁଛି। ଆଜିକାଲି ତ ଆଉ ତାକୁ ଘର ଘର ବୁଲି ଶଙ୍ଖା ବିକିବାକୁ ପଡୁନି। ଦିନ ଥିଲା ସେ ସାଇକେଲରେ ଗାଁ ଗାଁ ବୁଲି ଶଙ୍ଖା ବିକୁଥିଲା। କେତେ ମନ ଯୋଡ଼ି ଗୀତ ବୋଲୁଥିଲା। ଆଜି ବୟସ ୮୦ ଉପରେ। ଆଉ ବୁଲି ବୁଲି ଶଙ୍ଖା ବିକୁନି। ଗୋଟେ ଚୁଡ଼ି କମ୍ପାନୀ ଆସି ଘରୁ ତା ହାତ ତିଆରି ଚୁଡ଼ି ନେଇଯାଏ। ଘରେ ବସି ଶଙ୍ଖା ଗଢି ଗଢି ସେ କିଛି ରୋଜଗାର କରି ପାରେ। କିନ୍ତୁ ଆଜିବି ସ୍ମୃତିର ଆକାଶରେ ତାରା ଫୁଲ ଭଳି ଫୁଟି ଉଠେ ଅତୀତର ସେ ଦିନ ସବୁ। ବୁଲି ବୁଲି ଶଙ୍ଖା ବିକିବାରେ ପରିଶ୍ରମ ସିନା ପଡ଼େ କିନ୍ତୁ ଗୋଟେ ଅଲଗା ପ୍ରକାର ଶାନ୍ତି ମିଳେ। ପ୍ରତିଦିନ ନୂଆ ନୂଆ ହାତରେ ନୂଆ ନୂଆ ଶଙ୍ଖା ପିନ୍ଧାଇବାର ଖୁସି। ଆଉ ସେଇ ଗରିବ ମା ଭଉଣୀମାନେ ଶଙ୍ଖା ପିନ୍ଧିବା ପରେ ତାଙ୍କ ମୁହଁର ଖୁସି ଦେଖି ତା ପେଟ ପୁରିଯାଏ। ଏବେ ଆଉ ସେ ଦେଖି ପାରୁନି ସେ ନୂଆ ନୂଆ ମୁହଁ।
“ ଶଙ୍ଖାରୀ ପୁଅ ଘରେ ଅଛ? ”
ବୁଢ଼ା ନିଜ ଚଷମା ଟିକେ ଉପରକୁ କରି ଚାହିଁଲା। କଇଁ ଫୁଲ ଭଳି ଶ୍ୟାମଳ ବର୍ଣ୍ଣର ଝିଅଟିଏ। ହସ ହସ ମୁହଁ। ଆଖି ଦୁଇଟି ଚିହ୍ନା ଚିହ୍ନା ଲାଗୁଛି। କିନ୍ତୁ ଚିହ୍ନି ପାରୁନି ବୁଢ଼ା। ହଠାତ୍ ନଜର ପଡ଼ିଲା ବୁଢ଼ାର ଝିଅଟିର କପାଳ ଉପରେ। ଏମିତି କପାଳ ସେ ଆଉ ଥରେ ଦେଖିଥିଲା। ୨୦ବର୍ଷ ତଳେ ବୋଧେ। କୋଉ ଗୋଟେ ଗାଁକୁ ଶଙ୍ଖା ବିକି ଯାଇଥିଲା। ବୁଢାକୁ ହାତ ଦେଖି ଆସେ, କପାଳ ଦେଖି ଝିଅମାନଙ୍କ ଭବିଷ୍ୟତ କହିଦିଏ। କୁନି ଝିଅଟିଏ କାହା ଘରକୁ କୁଣିଆ ହେଇ ଆସିଥିଲା। ହାତ ଠାରି ଡାକିଲା,
“ଏ ଶଙ୍ଖାରୀ ପୁଅ। ଶଙ୍ଖା ଦବ?"
ଝିଅଟିର କି ନିରୀହ ମୁହଁ! ଦେଖିଦେଲେ ପେଟ ପୁରିଯିବ। ବୁଢ଼ା ତା ପାଖକୁ ଗଲା। ପଚାରିଲା, “ଆଲୋ ତୁ ଶଙ୍ଖା ପିନ୍ଧିବୁ? ତୋର କଣ ବୟସ ହେଲାଣି?”
“କାଇଁ ହେଇ ଯୋଉ ତମେ ସମସ୍ତଙ୍କୁ ଶଙ୍ଖା ଦଉଛ? ମତେ କାଇଁ ଦବନି?”
“କାହାକୁ କଣ କହୁଛୁ କିଲୋ ମାନି?" ଘର ଭିତରୁ କୁନି ଝିଅଟିର ମାଉସୀ ଡାକି ଡାକି ଆସିଲେ। ଶଙ୍ଖାରୀ ବୁଢ଼ାକୁ ଦେଖି କହିଲେ,
“ବୁଝିଲ ମଉସା। ଏଡିକି ବକଟେ ଝିଅ ମତେ ଏତେ ହଇରାଣ କଲାଣି। ମାଉସୀ ଘରକୁ ଆସିବ ବୋଲି ସ୍କୁଲ ଛୁଟି ନ ହଉଣୁ ଗୋଡ଼ ଟେକି ବସିଥିଲା। ଆସିଲା ଦିନରୁ ମୁଁ ଯାହାକି ହେଲାଣି!”
ଟିକେ ହସିଦେଇ ବୁଢ଼ା କହିଲା, “ଖବରଦାର ଝିଅ। ମୋ ମା ନାଁରେ ଜମା କିଛି କହିବୁନି।"
ଆଶ୍ଚର୍ଯ୍ୟ ହୋଇ ମାଉସୀ ପଚାରିଲେ, “ମା କଣ କୀହୋ?"
“ହେଇ ବା ତମ ଝିଆରୀ ମତେ ପୁଅ କରିଛି!" ଏତିକି କହି କୁନି ଝିଅଟିର କାନ ଟିକେ ଭିଡ଼ିଦେଲା ସେ।
ମୁହଁ ମୋଡ଼ିଦେଇ ଝିଅଟି କହିଲା, “ ମତେ ଶଙ୍ଖା ଦବ ନା ନାଇଁ?"
ପୁଣି ଯୋରେ ହସି ବୁଢ଼ା କହିଲା, “ ଆଲୋ ହୁଣ୍ଡି ବାହା ହେଲା ଝିଅ ସିନା ଶଙ୍ଖା ପିନ୍ଧେ। ତୁ କେମିତି ପିନ୍ଧିବୁ?”
ଝିଅଟିର ମାଉସୀ ଏଥର ତା ମଥା ସାଉଁଳି କହିଲେ, “କେଜାଣି? କଣ ୟା ଭାଗ୍ୟରେ ଅଛି? ଆଚ୍ଛା ମଉସା ତମେ ବା କପାଳ ପଢ଼ି ଜାଣ? କହିଲ ମୋ ଝିଅ କପାଳରେ କଣ ଅଛି?"
“ଏ ତ ସାକ୍ଷାତ ଲକ୍ଷ୍ମୀ ପ୍ରତିମା ଲୋ ଝିଅ। ଦେଖୁନ ଉଚ୍ଚ କପାଳି ବା। ତା ସ୍ବାମୀର ଭାଗ୍ୟ ୟା ଯୋଗୁଁ ଫିଟିବ। ସୌଭାଗ୍ୟବତୀ ହେବ ୟେ। ମୁଁ ଯଦି ବଞ୍ଚିଥିବି ଦେଖିବି।”
ଝିଅଟି ଏଥର କହିଲା, “ ଆଚ୍ଛା ବୁଢ଼ା ପୁଅ। ମୁଁ ଦେଖିଛି ସବୁ ଝିଅ ବାହା ହେଲା ବେଳେ କେତେ ଶଙ୍ଖା ପିନ୍ଧନ୍ତି। ତମେ ମୋ ପାଇଁ ମୋ ବାହାଘରକୁ ଶଙ୍ଖା ଗଢ଼େଇ ଦବ ତ?”
ବୁଢ଼ା ତା ବ୍ୟାଗରୁ କୁନି ଝିଅ ମାନଙ୍କ ମାପର ଚୁଡ଼ି କାଢି କୁନି ଝିଅକୁ ପିନ୍ଧାଉ ପିନ୍ଧାଉ ପଚାରିଲା, “ ହଁ ମୋ ମା ପାଇଁ ମୁଁ ଶଙ୍ଖା ଗଢି ଦେବି। ହେଲେ ତୁ କହୁନୁ ତୋର କି ଶଙ୍ଖା ଦରକାର?"
“ ମୋର ଆସମାନ ତାରା ଶଙ୍ଖା ଦରକାର।”
କୁନି ଝିଅଟିର ଉତ୍ତରରେ ବୁଢ଼ା ହାତ ଥରିବାକୁ ଲାଗିଲା। ଏ କଣ ମାଗିଦେଲା କୁନି ଝିଅଟି? ସେ ଶଙ୍ଖା ଯିଏ କିଣିପାରେ ସେ ପିନ୍ଧି ପାରେନି ଯିଏ ପିନ୍ଧି ପାରେ ସେ କିଣି ପାରେନି। ଏଇଟା ତ କିମ୍ବଦନ୍ତୀ ରହିଛି। ଅଭିଶପ୍ତ ସେ ଶଙ୍ଖା। କେଜାଣି କୋଉ ଦେବତାର ଅଭିଶାପ ସେ ଭୋଗୁଛି? ସେ ସମସ୍ତଙ୍କ ପାଇଁ ସୌଭାଗ୍ୟ ଆଣିପରେ କିନ୍ତୁ ତାକୁ ପିନ୍ଧିବା କଣ ସମସ୍ତଙ୍କ ଭାଗ୍ୟରେ ଥାଏ? ଆଉ ସେ ଶଙ୍ଖା ଭାଗ୍ୟରେ ଥାଏ ଖାଲି ଚୁନା ହେବା।
ଆଜି ଦୀର୍ଘ ୨୦ ବର୍ଷ ପରେ ସେଇ କପାଳ। ଇଏ କଣ ତାର ସେଇ ମା?
“କଣ ବୁଢା ପୁଅ ନିଜ ମାକୁ ଚିହ୍ନି ପାରୁନ?"
ବୁଢ଼ା ଖୁସିରେ ଗଦ୍ ଗଦ ହୋଇଗଲା। ଖୁସିରେ ମା କୁ ତାର ପାଖରେ ବସେଇ କେତେ ଖୁସିରେ ନିରିଖି ନିରିଖୀ ଦେଖି ଚାଲିଲା। ଝିଅଟି କହିଲା,
“ବୁଢ଼ା ପୁଅ। ପିଲାଦିନେ ମତେ କଥା ଦେଇଥିଲ ପରା ମୋ ବାହାଘରକୁ ତମେ ଶଙ୍ଖା ଗଢ଼ିଦବ ମୋ ପାଇଁ। ଏବେ ସେ ଦିନ ଆସିଗଲା। ଆଉ ୧୫ ଦିନ ପରେ ମୋ ବାହାଘର। ମୋ ପାଇଁ ଆସମାନତାରା ଶଙ୍ଖା ଗଢି ଦବ ନା?”
ଥରି ଉଠିଲା ବୁଢ଼ା, କାନ୍ଦି କାନ୍ଦି କହିଲା,
“ ନାଇଁ ମା। ସେମିତି କହନି। ତୁ କଣ ପଢିନୁ ସେ ଅଭିଶପ୍ତ ଶଙ୍ଖା କଥା? ନାଇଁରେ ମା। ମୋ ମା ଜୀବନରେ ସେ ଅଭିଶାପ ନ ପଡୁ। "
ଯୁକ୍ତି କରି ମାନି କହିଲା, “ଯଦି ସେ ଗପ ସତ। ତେବେ ଏଇଟା ବି ସତ। ସେ ଶଙ୍ଖା ପିନ୍ଧିଲେ କୁଆଡେ ଘରେ ସୁଖ ଆଉ ସୌଭାଗ୍ୟ ରହେ। ମୁଁ ସେ ଶଙ୍ଖା ପିନ୍ଧିବି।”
ବୁଢ଼ା ହାତ ଯୋଡ଼ି କହିଲା, “ନାଇଁ ରେ ମା। ସେ ଶଙ୍ଖା ଯିଏ କିଣି ପାରେ ସେ ପିନ୍ଧି ପାରେନି ଆଉ ଯିଏ ପିନ୍ଧି ପାରେ ସେ କିଣି ପାରେନି।”
“ମାନେ?” ମାନି ପଚାରିଲା।
“ସେ ଶଙ୍ଖା କିଣିବା ଯୋଗ୍ୟତା ଯାହାର ଅଛି ପିନ୍ଧିବା ଭାଗ୍ୟ ତାର ନାହିଁ। ଆଉ ପିନ୍ଧିବା ଭାଗ୍ୟ ଯାହାର ଅଛି କିଣିବା ଔକାତ ତାର ନାହିଁ ନହେଲେ ଜୀବନ ନାହିଁ। ତେଣୁ ସେ ଶଙ୍ଖା ଭୁଲିଯା। ”
ଜିଦ୍ କରି ମାନି କହିଲା, “ ଆଉ ୧୫ ଦିନ ପରେ ମୋ ବାହାଘର। ମୋ ପାଇଁ ତମେ ଆସମାନ ତାରା ଶଙ୍ଖା ଗଢି ଆଣିବ। ଏଇ ରହିଲା ନିମନ୍ତ୍ରଣ ପତ୍ର।”
ଝିଅଟି ଚାଲିଗଲା। ଆଉ ବୁଢ଼ା ଲାଗିଲା ଶଙ୍ଖା ତିଆରିରେ। ଚାହୁଁ ଚାହୁଁ ଦିନ ବିତିଗଲା। ବାହାଘର ଦିନ ବୁଢ଼ା ଶଙ୍ଖା ଧରି ମନ ଖୁସିରେ ଚାଲିଲା ତା ମା ବାହାଘରକୁ। ପହଞ୍ଚି ଦେଖେ ସବୁ ଶୁନଶାନ୍। ବୁଢ଼ା ଆଶ୍ଚର୍ଯ୍ୟ ହେଲା। ଏତେ ଜଲଦି ବାହାଘର ସରିଗଲା? ସେ କଣ ଡେରି କରିଦେଲା କି? ମଣ୍ଡପ ଭିତରେ ପହଞ୍ଚି ଦେଖେ ତ ମାକୁ ତାର ସମସ୍ତେ ନିନ୍ଦୁଛନ୍ତି। କାରଣ ମା ତାର ମଙ୍ଗୁଳା କନ୍ୟା। ବର ତାର ଆସିନି। ସେ କୁଆଡେ ଭଲ ପାଇ ବାହା ହଉଥିଲା। ପୁଅ ଘରେ କେହି ରାଜି ନଥିଲେ। ବାଧ୍ୟରେ ରାଜି ହୋଇ ଥିଲେ। କିନ୍ତୁ ଶେଷ ବେଳକୁ ସେ ପୁଅ ନିଜ ଘର ଲୋକଙ୍କ କଥାରେ ବାହା ହବାକୁ ନ ଆସି ଅନ୍ୟ ଜାଗାରେ ଚୋରାରେ ବାହା ହେଇଗଲା।
ବୁଢ଼ା ଶୁଣିଲା ସମସ୍ତେ ତା ମାଆର ଚରିତ୍ରକୁ ଆଙ୍ଗୁଠି ଉଠାଉଛନ୍ତି। ବୁଢାକୁ ଦେଖି ମାନି କହିଲା, “ ବୁଢ଼ା ପୁଅ। ମୋ ଶଙ୍ଖା ଆଣିଛ? କାଇଁ ଦେଲ।”
ଶଙ୍ଖା ହାତରେ ଧରି ମାନି କହିଲା, “ବାଃ କେତେ ସୁନ୍ଦର ଶଙ୍ଖା! ଆଚ୍ଛା ବୁଢ଼ା ପୁଅ କହିଲ, ତମେ ତ କେତେ ଶଙ୍ଖା ଗଢ଼ିଚ? ଏ ଶଙ୍ଖା ଅଭିଶପ୍ତ କାହିଁକି? କି ଭୁଲ ତାର? ତାକୁ ପିନ୍ଧିବାକୁ ଯାହାର ଅର୍ଥ ନାହିଁ କି ଭାଗ୍ୟ ନାହିଁ କି ଜୀବନ ନାହିଁ ଦୋଷ ସେମାନଙ୍କର। ବିଚରା ସେ ଶଙ୍ଖା କାଇଁ ବିନା ବ୍ୟବହାରରେ ଚୁନା ହେବ? ହେଇ ଦେଖ ନା ବୁଢ଼ା ପୁଅ। ମୁଁ ପିନ୍ଧିଲି ସେ ଶଙ୍ଖା। ବୁଢ଼ା ପୁଅ ତମେ କହିଥିଲ ନା ମୋ ପିଲାବେଳେ ମୋ କପାଳ ଦେଖି ମୁଁ କୁଆଡେ ସମସ୍ତଙ୍କ ପାଇଁ ବହୁତ୍ ଭାଗ୍ୟବତୀ। କିନ୍ତୁ ମୋ ଭାଗ୍ୟ ଏମିତି କାହିଁକି? ଏ ଆସମାନ ତାରା ଶଙ୍ଖା ହେଉଛି ମୁଁ। ଦୋଷ ଯାହାର ବି ହେଉ ଭାଙ୍ଗିବା ଖାଲି ମୋ ଭାଗ୍ୟରେ ଲେଖା।”
ଏତିକି କହି ମାନି କାନ୍ଦି କାନ୍ଦି ଯାଇ ଭିତରୁ କବାଟ କିଳୀ ଦଉଡ଼ି ଦେଇଦେଲା। ଅଧଘଣ୍ଟା ପରେ ବନ୍ଦ ଘର ଭିତରୁ ତା ମଲା ଦେହ ବାହାରିଲା। ବୁଢ଼ା କାନ୍ଦି କାନ୍ଦି କହିଲା, “ ମା ଲୋ! ମୁଁ ନମରି ଏଠିକି ଆସିଥିଲି କଣ ତୋ ମଲା ଦେହ ଦେଖିବାକୁ?”
******************
ପ୍ରଜ୍ଞା ପାରମିତା ପାଣି
କରତୀ ସାହି, ପୁରୀ