ଚା'

May 5, 2025 - 23:30
 24
ଚା'

By: ରାଜେଶ କୁମାର ପତି

ସକାଳ ଆରମ୍ଭ ହୁଏ ତୁମରି ସ୍ପର୍ଶରେ ,
ସମସ୍ତେ ଥାଆନ୍ତି ବ୍ୟସ୍ତ ତୁମ ସହିତ ଚର୍ଚ୍ଚାରେ ,
ପାଞ୍ଚ ଟଙ୍କାରେ ଜାଣ ତୁମେ ଦେଶବିଦେଶ କଥା ,
ଏ ସବୁ ମନେ ରଖିବା କଣ ସହଜର କଥା ? ।। ୧
ଶୋଭା ପାଅ ତୁମେ ତ ସମସ୍ତଙ୍କ ହାତରେ ,
କି ଅବା ରାଜନେତା ଓ କବି ର ଲେଖନୀ ମୁନରେ ,
ହସ ଖୁସିର ଖୋଲିଥାଅ ତୁମେ ବିରାଟ ଆସର ,
ବାଦଶାହା ଅଟ ପ୍ରାୟ ତୁମେ ସବୁ ହୃଦୟର ।। ୨
ତୁମରି ବାସ୍ନାରେ ଯେ କେତେ ବିହ୍ୱଳ ହୁଅନ୍ତି ,
କଲେଜର କିଛି ମୁହୂର୍ତ୍ତ ତୁମ ସହିତ ବିତାନ୍ତି ,
ତର୍କ ବିତର୍କ ହୋଇଥାଏ ମଧ୍ୟ ତୁମ ପାଶେ ,
କେହିବି ଆସନ୍ତିନି ତୁମ ପାଖରୁ ନିରାଶେ ।। ୩
ପରୀକ୍ଷା ପ୍ରସ୍ତୁତି ପୂର୍ବରୁ ହଁ ତୁମେ ମନେପଡ଼ିଯାଅ ,
ନିଦର ଭାବନା ମନ ଭିତରୁ ଭୁଲାଅ ,
ଶୀତର କୋମଳ ଛୁଆଁକୁ ବୁଝାଅ ,

କୁହ ତ ଏ ଅମାନିଆ ମେଘକୁ କେମିତି ମନାଅ ? ।। ୪
ଭାବିଛି ମୁଁ କେତେକଣ ତୁମରି ପାଖରେ ,
ମୋ ମନର ସବୁ ଭାବ ହଁ ତୁମ ଅନ୍ତର ଭିତରେ ,
ଚୁପ୍ କରି ଶୁଣିଥାଅ ତୁମେ ମୋ ମନର କଥା ,
ତୁମରି ସ୍ପର୍ଶରେ ମେଣ୍ଟିଯାଏ ଦିନଯାକ ଥକ୍କା ।। ୫
ହୁଏତ ଆଜି ସେଥିପାଇଁ ଏବେ ମୁଁ କିଛି ଲେଖୁଛି ,
ତୁମରି ସାମ୍ନାରେ ତୁମ ଛବି ମୁଁ ଆଙ୍କୁଛି ,
ଏ କି ନିବିଡତା ମତେ କୁହ ତ ଥରେ ,
 ତୁମ ପାଇଁ ଲେଖିଲି ଆଜି ଏତିକି ,
ପୁଣି ଲେଖିବି ମଧ୍ୟ ଆଉ ଟିକେ ପରେ ।। ୬

           *************

    ପୁରୀ