ଉତ୍କଳ ସମ୍ମିଳନୀର ୧୨୨ ତମ ପୂର୍ତ୍ତି ପାଳନ ଓ ଅନ୍ତରଙ୍ଗ କଳିଙ୍ଗର ଅଷ୍ଟମ ବାର୍ଷିକୀ ଉତ୍ସବ ପାଳନ

Jan 1, 2026 - 02:03
 9
ଉତ୍କଳ ସମ୍ମିଳନୀର ୧୨୨ ତମ ପୂର୍ତ୍ତି ପାଳନ ଓ ଅନ୍ତରଙ୍ଗ କଳିଙ୍ଗର ଅଷ୍ଟମ ବାର୍ଷିକୀ ଉତ୍ସବ ପାଳନ

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଜନଜାଗରଣର ଅନ୍ୟତମ ଅଗ୍ରଦୂତ 'ଉତ୍କଳ ସମ୍ମିଳନୀ' ର ୧୨୨ତମ ସ୍ମୃତିଚାରଣ ମହୋତ୍ସବ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ଗ୍ରାମ ସ୍ଥିତ ଲିଟିଲ ଟ୍ବିଙ୍କିଲ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୌଳିକ ଓଡ଼ିଆ ସଂସ୍କୃତି ଓ ପୂଜ୍ୟପୂଜା ପରମ୍ପରାର ନିରବଚ୍ଛିନ୍ନ ପ୍ରସାର ଲାଗି ସାତବର୍ଷ ବ୍ୟାପୀ କାର୍ଯ୍ୟରତ 'ଅନ୍ତରଙ୍ଗ କଳିଙ୍ଗ' ଆନୁକୂଲ୍ୟରେ ଏହା ସୁଚାରୁରୂପେ ଆୟୋଜିତ ହୋଇଯାଇଛି । ଓଡ଼ିଆ ପ୍ରଦେଶକୁ ନେଇ ବରପୁତ୍ରମାନଙ୍କ ସ୍ମୃତିଚାରଣରେ ମଧୁପୁର ମହାବିଦ୍ୟାଳୟ ପରିସରରେ ମା' ରମାଦେବୀ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗଡ଼ ମଧୁପୁରର ପ୍ରାକ୍ତନ ରାଜା ନାରାୟଣ ଧୀର ନରେନ୍ଦ୍ର ବାହାଦୂର, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶୋଭାଯାତ୍ରା ଆରମ୍ଭ ହୋଇ ଲିଟିଲ ଟ୍ବିଙ୍କିଲ ଏକାଡେମୀ କାର୍ଯ୍ୟକ୍ରମ ସ୍ଥଳରେ ଆସି ପହଞ୍ଚିଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭିକ ସଭା ଓଡ଼ିଆ ସ୍ବାଭିମାନର ଯୋଗଜନ୍ମା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସାରସ୍ବତ ସାଧନାକୁ କେନ୍ଦ୍ର କରି ଶୀର୍ଷକ 'ଓଡ଼ିଆ ସାହିତ୍ୟକୁ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଅବଦାନ' ଉପରେ ଆଲୋଚନା ହୋଇଥିଲା। ମଧୁପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ସତ୍ୟପ୍ରିୟ ସାହୁ କାର୍ଯ୍ୟକ୍ରମର ପ୍ରାରମ୍ଭିକ ଉଦଘୋଷଣା ପ୍ରଦାନ କରିଥିଲେ । ଅତିଥି ଓ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିବା ବରିଷ୍ଠ ଗବେଷକ ଡ. ସନ୍ତୋଷ କୁମାର ମହାପାତ୍ର ମଧୁସୂଦନ ଦାସଙ୍କ ଜାତୀୟ ଚେତନା ଏବଂ ତାଙ୍କ ଆଦର୍ଶ ରସାଣିତ ମୂଲ୍ୟବୋଧଭିତ୍ତିକ ସାହିତ୍ୟିକ କୃତି ଉପରେ ବିଶେଷ ଆଲୋକପାତ କରିଥିଲେ । 

ଏଥି ସହ ମଧୁପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକମାନଙ୍କ ଦ୍ବାରା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜାତୀୟ ଜୀବନର ବିମୁଗ୍ଧ ପର୍ଯ୍ୟାଲୋଚନା କରି ସଭାରେ ଉପସ୍ଥିତ ଶ୍ରୋତାବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଆୟୋଜକ 'ଅନ୍ତରଙ୍ଗ କଳିଙ୍ଗ' ପକ୍ଷରୁ ଓଡ଼ିଆ ସାହିତ୍ୟ, ସଂସ୍କୃତି, କୃଷି, ସମାଜସେବା ଓ ଶିକ୍ଷା ଆଦି କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

'ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ସମ୍ମାନରେ' ଅବସରପ୍ରାପ୍ତ ଅଧ୍ୟକ୍ଷ ଓ ସାହିତ୍ୟିକ ଡ. ତୁହିନାଂଶୁ ରଥ, 'କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ସମ୍ମାନରେ' ସାହିତ୍ୟିକ ଓ ଅଧ୍ୟାପକ ଶ୍ରୀକାନ୍ତ ନାୟକ, 'ଚିତ୍ତରଞ୍ଜନ ଦାସ ସମ୍ମାନରେ' ଶିକ୍ଷାବିତ ବେଣୁଧର ଦୋବାଇ, 'ପଦ୍ମଶ୍ରୀ ନନ୍ଦ ପୃଷ୍ଟି ସମ୍ମାନରେ' ଶିକ୍ଷାବିତ ଜିତେନ୍ଦ୍ର ନାଥ କର, 'ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ସମ୍ମାନରେ' ବୟନଶିଳ୍ପୀ ନରେନ୍ଦ୍ର କୁମାର ବେହେରା, 'ପଦ୍ମଶ୍ରୀ ଚତୁର୍ଭୁଜ ମେହେର ସମ୍ମାନରେ' ବୟନଶିଳ୍ପୀ ବରୁଣ କୁମାର ଦାସ, କୃଷକନେତା ଗୌରାଙ୍ଗ ଦାସ ସମ୍ମାନରେ' ବାଉରୀବନ୍ଧୁ ସାମଲ, ପଦ୍ମଶ୍ରୀ କମଳା ପୂଜାରୀ ସମ୍ମାନରେ' 
 ସମାଜସେବୀ ଶ୍ରୀମତୀ ମଞ୍ଜୁଲତା ସ୍ବାଇଁ ଓ 'ସେବିକା ଗୋଦାବରୀ ଦେବୀ ସମ୍ମାନରେ' ସମାଜସେବି ମିନତି ସାହୁ ସମ୍ବର୍ଦ୍ଧିତ ହୋଇଛନ୍ତି।

କାର୍ଯ୍ୟକ୍ରମର ଉଦ୍‍ଯାପନୀ ସଭାରେ ସମସ୍ତ ସମ୍ବର୍ଦ୍ଧିତ ଅତିଥିମାନଙ୍କ ଗହଣରେ 'ଅନ୍ତରଙ୍ଗ କଳିଙ୍ଗ' ପକ୍ଷରୁ ପୁନଃମୁଦ୍ରିତ ହୋଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରାୟ ୬ଟି ଜାତୀୟତାଧର୍ମୀ କବିତାର ଏକ କ୍ଷୁଦ୍ର ସଙ୍କଳନ 'ଉତ୍କଳ ଗୌରବଙ୍କ ବୀରବାଣୀ' ଉନ୍ମୋଚିତ ହୋଇଥିଲା । ମଧୁପୁର ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହିତ କଲଣ ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ସ୍ଥାନୀୟ ବରିଷ୍ଠ ସଦସ୍ୟ ଓ 'ଅନ୍ତରଙ୍ଗ କଳିଙ୍ଗ' ତରଫରୁ ଶ୍ରୀଯୁକ୍ତ ଦେବ ତ୍ରିପାଠୀ, ଶ୍ରୀଯୁକ୍ତ ଅମ୍ବିକା ପଟ୍ଟନାୟକ, ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ଶେଖ୍ ଗୁଲଜାର୍ ହୁସେନ୍,ରଶ୍ମି ରଞ୍ଜନ ପଣ୍ଡା, ଦେବ ପ୍ରକାଶ ରାଉତ, ବସନ୍ତ କୁମାର ଶତପଥୀ, ଅମୃତେଶ ଖଟୁଆ ଉପସ୍ଥିତ ଥିଲେ ‌। ସମଗ୍ର କାର୍ଯ୍ୟକ୍ରମର ସଭା ସଂଯୋଜନା ଅନ୍ତରଙ୍ଗ କଳିଙ୍ଗର ଅନ୍ୟତମ ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ଅମ୍ବିକା ପଟ୍ଟନାୟକ ନିର୍ବାହ କରିଥିଲେ । ଏଥି ସହ କାର୍ଯ୍ୟକ୍ରମର ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ  କରାଯାଇ ସଭାକୁ 'ଅନ୍ତରଙ୍ଗ କଳିଙ୍ଗ' ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ବସନ୍ତ କୁମାର ଶତପଥୀ ।