ଶିଶିର ସରସ-୨୦୨୪ ରେ ସ୍ଥାନ ପାଇବ ୨୬ଟି ରାଜ୍ୟକୁ ନେଇ ୪୦୦ ଷ୍ଟଲ୍

Jan 4, 2024 - 18:27
 60
ଶିଶିର ସରସ-୨୦୨୪ ରେ ସ୍ଥାନ ପାଇବ ୨୬ଟି ରାଜ୍ୟକୁ ନେଇ ୪୦୦ ଷ୍ଟଲ୍

ଭୁବନେଶ୍ୱର: ଓଡ଼ିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆସନ୍ତା ଜାନୁଆରି ୬ ତାରିଖରୁ ଆରମ୍ଭ ହେବ ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ଶିଶିର ସରସ-୨୦୨୪ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଜାନୁଆରି ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏଥର ଶିଶିର ସରସ ମେଳା । ଜାନୁଆରି ୬ ତାରିଖ ଶନିବାର ସନ୍ଧ୍ୟା ୭:୩୦ ମିନିଟ ସମୟରେ ଶିଶିର ସରସ-୨୦୨୪ର ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜନ ହେବ । ଗୁରୁବାର, ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଏସ୍.ଆଇ.ଆର୍.ଡି କ୍ୟାମ୍ପସ ପରିସରରେ ଥିବା ଓରମାସ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳୀନରେ ଓରମାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ଉଦବୋଧନ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନି, କହିଥିଲେ ଯେ, “ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଶିଶିର ସରସ ମେଳାକୁ ସଫଳ କରିବା ପାଇଁ ଓରମାସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥର ମେଳାରେ ଓଡ଼ିଶା ସମେତ ୨୬ଟି ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ କାରିଗରମାନଙ୍କ ହାତ ତିଆରି ଜିନିଷର ଭଲ ବିକ୍ରିବଟା ହେବ ଏବଂ ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା କରୁଛୁ। ଚଳିତ ବର୍ଷ ମେଳାର ବ୍ୟାପକ ପ୍ରଚାର ପ୍ରସାର ଏବଂ ସଫଳ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ”। ସମ୍ମିଳନୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନି, ସୂଚନା ଦେଇ କହିଥିଲେ ଯେ, କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ୱାରା ପ୍ରାୟୋଜିତ ଶିଶିର ସରସ ମେଳାରେ ଏଥର ମୋଟ ୪୦୦ଟି ଷ୍ଟଲ ଖୋଲାଯିବ । ଏଥିରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ମହିଳା ଏସ୍.ଏଚ୍.ଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ମାନଙ୍କ ସହିତ 26ଟି ରାଜ୍ୟର ମହିଳା ଏସ୍.ଏଚ୍.ଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ମାନଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲରେ ବିକ୍ରି ହେବ । ସେହିପରି ୨୪ଟି ଷ୍ଟଲକୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଆଜିବୀକା ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ ପାଇଁ ମେଳାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସରକାରୀ ଫ୍ଲାଗସିପ୍ ଯୋଜନା ସ୍କିମ୍ ଗୁଡ଼ିକୁ ନେଇ ମେଳାରେ ପାନୀୟ ଜଳ, ଗୃହ, ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ଏବଂ ପରିବହନ ବିଭାଗ ଆଦି ତରଫରୁ ଆଇ.ଇ.ସି ଷ୍ଟଲ ଖୋଲାଯିବାକୁ ମଧ୍ୟ ଯୋଜନା ରଖାଯାଇଛି। ମେଳାରେ ମନୋରଞ୍ଜନ ପାଇଁ ପ୍ରଖ୍ୟାତ କଳାକାରମାନେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ | ସେହିପରି ବରିଷ୍ଠ ନାଗରିକଙ୍କ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି, କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର କିଡ୍ସ ଜୋନର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ବୈଠକରେ ଓରମାସ ପକ୍ଷରୁ ସୂଚନା ଦିଆଯାଇଛି । ମେଳା ସମୟରେ ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ ଲାଗି ପୁଲିସ ଏବଂ ଟ୍ରାଫିକ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଓରମାସ ପକ୍ଷରୁ ସୂଚନା ଦିଆଯାଇଛି। ବିଭିନ୍ନ ଘରୋଇ ତଥା ରାଷ୍ଟ୍ରାୟତ ବ୍ୟାଙ୍କ ପକ୍ଷରୁ ମେଳା ପରିସରରେ ଏ.ଟି.ଏମ ମେସିନ ଲଗାଇବା, ପାନୀୟ ଜଳ ଯୋଗାଣ, ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ (ହାଲୁକା ଯାନ) ରଖିବା ପାଇଁ ସ୍ୱତନ୍ତ୍ର ପାର୍କିଂ ଜୋନର ବ୍ୟବସ୍ଥା, ମେଳା ପରିସରକୁ ପରିଷ୍କାର ପରିଚ୍ଛନ ରଖିବା ଦିଗରେ ବି.ଏମ.ସି ପକ୍ଷରୁ ମେଳାରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ମେଳାକୁ ଆସୁଥିବା ପରିଦର୍ଶକଙ୍କ ପାଇଁ ଓପନ କୁଇଜ, ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରଇଂ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଶିଶିର ସରସ-୨୦୨୪ ମେଳାରେ ମିଶନ ଶକ୍ତି ମହିଳା ଏସ.ଏଚ.ଜି ମାଆମାନଙ୍କ ଦ୍ୱାରା ହାତ ତିଆରି ଜିନିଷ ଷ୍ଟଲ, କେ.ଭି.ଆଇ.ସି, କେ.ଭି.ଆଇ.ବି, ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଷ୍ଟଲ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଆମ ବ୍ୟାଙ୍କ ଷ୍ଟଲ, ଏଚ୍ ଆଣ୍ଡ ସି.ଆଇ, ଟି.ଡି.ସି.ସି. ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆଦି ତରଫରୁ ବିଭିନ୍ନ ଷ୍ଟଲ ମଧ୍ୟ ଖୋଲାଯାଉଛି। ମେଳାରେ ପଣ୍ଡିଚେରୀର କାଗଜରୁ ତିଆରି ସାମଗ୍ରୀ, ଉତ୍ତର ପ୍ରଦେଶର ଲୁହାରୁ ତିଆରି ସାମଗ୍ରୀ, ଛତିଶଗଡ଼ର ଟସର ଲୁଗା, ଆସାମର ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର ଓ ମଣିପୁରର ଶୀତ ବସ୍ତ୍ର, ପଶ୍ଚିମ ବଙ୍ଗର ଝୋଟରୁ ତିଆରି ଜିନିଷ ଓ ହସ୍ତତନ୍ତ ସାମଗ୍ରୀ, ମଧ୍ୟ ପ୍ରଦେଶର ଚନ୍ଦେରୀ ପୋଷାକ, ମଣିପୁର ତଥା ଉତ୍ତର ପୂର୍ବ ରାଜ୍ୟର କୃତ୍ରିମ ଫୁଲ, ଗୁଜୁରାଟର ଘର ସାଜସଜ୍ଜା ସାମଗ୍ରୀ ଏବଂ କାଠ ଉପକରଣ, ପଞ୍ଜାବର ଫୁଲକରୀ ପୋଷାକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନ ଓ ପଶ୍ଚିମବଙ୍ଗର ହସ୍ତତନ୍ତ ସାମଗ୍ରୀ ସହିତ ଓଡ଼ିଶାର ଆଦିବାସୀ ଅଳଙ୍କାର, ଡୋକ୍ରା ଜିନିଷ, ଟେରାକୋଟା, ଅଦରକାରୀ କାଗଜରୁ ତିଆରି ଘର ସାଜସଜ୍ଜା ସାମଗ୍ରୀ, ଖାଦ୍ୟ ଓ ମସଲା ଆଦି ଜିନିଷ ମଧ୍ୟ ମେଳାରେ ବିକ୍ରି ବଟା କରାଯିବ । ମେଳା ପ୍ରତିଦିନ ସକାଳ ୧୧:୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। କାର୍ଯ୍ୟକ୍ରମରେ ଓରମାସର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।