ବିଧାୟିକାମାନଙ୍କ ନିମନ୍ତେ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜିତ

Aug 17, 2024 - 20:03
 7
ବିଧାୟିକାମାନଙ୍କ ନିମନ୍ତେ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜିତ

୧୭ତମ ଓଡିଶା ବିଧାନସଭାର ସଦସ୍ୟ ଓ ସଦସ୍ୟାଙ୍କ ପାଇଁ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜିତ ଭୁବନେଶ୍ୱର: ଅଗଷ୍ଟ ୧୭ ଓ ୧୮ ତାରିଖରେ ୨ ଦିନ ଧରି ବିଧାନସଭା ତରଫରୁ ଓଡିଶା ବିଧାନସଭାର ନବ ନିର୍ବାଚିତ ବିଧାୟକ ଓ ବିଧାୟିକାମାନଙ୍କ ନିମନ୍ତେ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଚନ୍ତି ଯେ ପ୍ରତି ବିଧାନସଭା ଗଠନ ପରେ ପରେ ମାନ୍ୟବର ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ବିଧାନସଭା ତରଫରୁ ଆୟୋଜନ କରାଯାଉଥିବା “ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ”, ଗଣତନ୍ତ୍ର ପାଇଁ ଶୁଭଙ୍କର। ଆପଣମାନଙ୍କୁ ମୁଁ ମନେପକାଇ ଦେବାକୁ ଚାହେଁ ଯେ, ୨୪ ବର୍ଷ ତଳେ ମୁଁ ଯେତେବେଳେ ବିଧାନସଭାକୁ ନିର୍ବାଚିତ ହୋଇ ପ୍ରଥମଥର ପାଇଁ ଆସିଥିଲି, ସେତେବେଳେ ମଧ୍ୟ ମୁଁ ଏପରି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ସଂସଦୀୟ ପରମ୍ପରାର ବିଧି ବ୍ୟବସ୍ଥା ବିଷୟରେ ଜ୍ଞାନ ଆହରଣ କରିଥିଲି। ପରବର୍ତ୍ତୀ ସମୟରେ ଏହିପରି କାର୍ଯ୍ୟକ୍ରମରେ ମୋତେ ଅତିଥି ଭାବେ ଆସିବାକୁ ପଡିଥିଲା ଏବଂ ମୁଁ ମାନ୍ୟବର ବିଧାୟକ ଓ ବିଧାୟିକାମାନଙ୍କ ପ୍ରଶିକ୍ଷଣରେ ମୋର ଅନୁଭୁତିକୁ ସେମାନଙ୍କ ସହ ବାଣ୍ଟିବାର ସୁଯୋଗ ପାଇଥିଲି। ତେଣୁ ଆଜିର ଶିକ୍ଷଣୀୟ କାର୍ଯ୍ୟକ୍ରମ ମୋତେ ବହୁତ ଆନନ୍ଦିତ କରିଛି। ଆଶା କରୁଛି ଯେ, ଏହି କାର୍ଯ୍ୟକ୍ରମର ଆଲୋଚନା ସମସ୍ତ ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ଆମ ସାମ୍ବିଧାନିକ ବ୍ୟବସ୍ଥାରେ ବାସ୍ତବ କ୍ଷମତାର ଅଧିକାରୀ ହେଉଛନ୍ତି ଆମ ଜନସାଧାରଣ । ଗଣତାନ୍ତ୍ରିକ ଶାସନ ପଦ୍ଧତିର ସଠିକ୍‌ କାର୍ଯ୍ୟକାରିତା ହିଁ ଆମ ଦେଶକୁ ଉନ୍ନତି ପଥରେ ଅଗ୍ରସର କରାଇ ଚାଲିଛି। ଯାହାଫଳରେ ବିଶ୍ୱ ଦରବାରରେ ଆମ ଦେଶର ଓ ରାଜ୍ୟ ଗୁଡିକର ସମ୍ମାନ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଓଡିଆ ଅସ୍ମିତା ଓ ପରମ୍ପରାକୁ ନେଇ ଆମ ଓଡିଶାକୁ ବିକଶିତ ଭାରତବର୍ଷର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।