ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା
ଭୁବନେଶ୍ୱର: ମେ ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ମେ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ । ଏହା ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଲଘୁଚାପ ଅଧିକ ଘନୀଭୂତ ହୋଇ ଆଜି ସୁଦୃଶ ଲଘୁଚାପରେ ପରିଣତ ହୋଇଛି । କାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବ ଓଡ଼ିଶା ଉପରେ ରହିବନି ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ଉତ୍ତରପୂର୍ବ ଦିଗରେ ଗତି କରିବ । ଅଧିକ ଘନୀଭୂତ ହୋଇ ୨୪ ତାରିଖ ସକାଳେ ଅବପାତର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିପାରେ । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଆଜିଠାରୁ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ବହିବ ପବନ । ମେ ୨୪ ତାରିଖ ସକାଳ ବେଳକୁ ପବନର ବେଗ ସମୁଦ୍ରରେ ଅଧିକ ରହିବ । ଏହାକୁ ଦୃଷ୍ଟିରେ ରଖି ୨୩ ତାରିଖରୁ କେନ୍ଦ୍ରୀୟ ଓ ୨୪ରୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ଫେରି ଆସିବାକୁ ସତର୍କ କରାଯାଇଛି । ଆସନ୍ତା ୨୫ ତାରିଖ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୫ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।