ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଓଡ଼ିଶା ସଂସ୍କୃତି ସମ୍ପର୍କିତ ଚିତ୍ରକଳା ଶିବିର ଉଦଯାପିତ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବନ ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ମଦନପୁର ସ୍ଥିତ ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏକ ସଙ୍ଗରେ ବିଭିନ୍ନ କିସମର ପ୍ରାୟ ୪୫୦୦ ବୃକ୍ଷ ରୋପଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପି. ସି. ସି.ଏ. ଫ(ବନରକ୍ଷୀ) ଶ୍ରୀଯୁକ୍ତ ଦେବୀ ଦତ୍ତ ବିଶ୍ଵାଳ, ପି ସି ସି ଏ ଫ (କେନ୍ଦୁପତ୍ର) ଉଷା ମାକ୍ରୋ, ପି ସି ସି ଏ ଫ (ବନ୍ୟପ୍ରାଣୀ) ଏ ସ. କେ ପାପଲି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ, ବିଶ୍ଵ ବିଦ୍ୟାଳୟର କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ, ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ଧରଣୀଧର ରଣା, ବିତ୍ତ ନିୟନ୍ତ୍ରକ ଶ୍ରୀଯୁକ୍ତ ରାଜେଶ କୁମାର ମହାନ୍ତ ଓ ଅଧ୍ୟାପକ ମଣ୍ଡଳୀ ପ୍ରମୁଖ ଉପସ୍ଥିତ ରହି ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏଥି ସହ ବିଶ୍ଵ ବିଦ୍ୟାଳୟର ଦୃଶ୍ୟ କଳା ବିଭାଗ ଦ୍ଵାରା ଆୟୋଜିତ ଓଡ଼ିଶାର ସାଂସ୍କୃତିକ ବିଶେଷତ୍ଵ ସମ୍ପର୍କିତ ତିନି ଦିନିଆ ସ୍ଵତନ୍ତ୍ର ଚିତ୍ର କଳା ଶିବିରର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ଓ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଏହି ଶିବିରରେ ଦୃଶ୍ୟ କଳା ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ପରମ୍ପରା ଉପରେ ପର୍ଯ୍ୟବେସିତ ଚିତ୍ରକଳା ଗୁଡିକର ଭୂୟସୀ ପ୍ରଶଂସା କରିଥିଲେ l କୃତି ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଆଗାମୀ ଦିନରେ ଉତ୍କଳୀୟ ସଂସ୍କୃତିର ବିଭିନ୍ନ ପ୍ରସଙ୍ଗ କୁ ନେଇ ଏହି ଭଳି ଶିବିର ଆୟୋଜନ କରିବା ସମ୍ପର୍କରେ ବିଶ୍ଵ ବିଦ୍ୟାଳୟର କୁଳପତି ସୂଚନା ଦେଇଥିଲେ l