ମାର୍ଚ୍ଚ ୯ ତାରିଖରେ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

Feb 20, 2024 - 00:12
 54

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ଆସନ୍ତା ମାର୍ଚ୍ଚ ୯ ତାରିଖରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା, ଟାଙ୍ଗୀ ଓ ବେଗୁନିଆଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଲୋକଅଦାଲତରେ ରଫାଯୋଗ୍ୟ ଫୌଜଦାରୀ ମାମଲା, ଚେକ୍‌ ବାଉନ୍ସ, ମନି ରିକଭରୀ, ଗାଡ଼ିମୋଟର ଦୁର୍ଘଟଣା, ଶ୍ରମ ଓ ନିଯୁକ୍ତି, ଜଳ ଓ ବିଦ୍ୟୁତ, ବୈବାହିକ ପାରିବାରିକ ମାମଲା, ଜମି ଅଧିଗ୍ରହଣ, ରାଜସ୍ୱ, ଖାଉଟି ଓ ଦେୱାନୀ ମାମଲାମାନ ଅପୋଷ ଆଲୋଚନା ମାଧ୍ୟମରେ ଫଇସଲା କରାଯିବ । ସେହିପରି କୋର୍ଟ କଚେରୀରେ ମୋକଦମା ନଥାଇ ଆନ୍ୟାନ୍ୟ ପ୍ରାକ୍‌ ମୋକଦ୍ଦମା ଯଥା: ବ୍ୟାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ପାରିବାରିକ ଓ ଅନ୍ୟାନ୍ୟ ଜନଉପଯୋଗୀ ମାମଲାମାନ ଉଭୟ ପକ୍ଷଙ୍କ ସହମତି ଜରିଆରେ ଆପୋଷ ସମାଧାନ କରାଯିବ । ଯଦି ଜନସାଧାରଣ ଉକ୍ତ ଲୋକ ଅଦାଲତ ମାଧ୍ୟମରେ ଅଦାଲତରେ ବିଚାରାଧିନ ଥିବା ମାମଲା ଅଥବା ମୋକଦ୍ଦମା ନଥାଇ ନିଜ ନିଜ ମଧ୍ୟରେ ଥିବା ପ୍ରାକ୍‌ ମୋକଦ୍ଦମା ବା ବିବାଦର ସମାଧାନ କରାଇବାକୁ ଚାହୁଁଛନ୍ତି, ତେବେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାର ଯଥେଷ୍ଟ ପୂର୍ବରୁ ନିକଟସ୍ଥ ଅଦାଲତ କିମ୍ବା ପ୍ରତ୍ୟେକ ବିଚାର ବିଭାଗୀୟ ଅଦାଲତ ପରିସରରେ କାର୍ଯ୍ୟ କରୁଥିବା ଆଇନ ସେବା ସହାୟକ ସଂସ୍ଥାରେ ନିଜ ନିଜର ଦରଖାସ୍ତ ଦେବା ସହ ମାମଲାର ସମାଧାନରେ ସହଯୋଗ କରିବାକୁ ପ୍ରାଧିକରଣଙ୍କ ସଚିବ ସୌଦାମିନୀ ସିଂ ପରାମର୍ଶ ଦେଇଛନ୍ତି । ଲୋକ ଅଦାଲତରେ ମୋକଦ୍ଦମା, ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ କରିବାକୁ ପଡ଼େ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ ଓ ବୈଧ ଅଟେ । ତେଣୁ ଦୀର୍ଘଦିନ ଧରି ଚାଲୁଥିବା ମୋକଦ୍ଦମାର ସହଜ ସମାଧାନ, ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟ ରୋକିବା ପାଇଁ ଏହାକୁ ଏକ ସୁଯୋଗ ମନେକରି ଜନସାଧାରଣ ନିକଟସ୍ଥ ଆଇନ ସେବା କମିଟି କିମ୍ବା ପ୍ରାଧିକରଣଙ୍କ ସହ ଯୋଗାଯୋଗ କରିବାକୁ ଶ୍ରୀମତୀ ସିଂ କହିଛନ୍ତି ।