ଏନ୍.ସି.ଏନ୍.ଏଫ୍, ଓଡିଶା ଓ କୋଆଲିସନ୍ ଫର୍ ଚେଞ୍ଜ ଇନ୍ ଓଡିଶା ତରଫରୁ ବ୍ୟାପକ ଭାବରେ ଗଛ ଲଗାଇବାକୁ ଅନୁରୋଧ

Jun 5, 2024 - 20:52
 57

ଭୁବନେଶ୍ୱର: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ସ୍ଥିତି ସମସ୍ତଙ୍କୁ ଜଣା। ତାପମାତ୍ରା ୫୦ ଡିଗ୍ରୀରୁ ଉର୍ଦ୍ଧ୍ବକୁ ବଢ଼ି ଥିବା ବେଳେ ଠିକ୍ ସମୟରେ ବର୍ଷା ନ ହେବା ତଥା ହଠାତ୍ ବନ୍ୟା ପରିସ୍ଥିତି ଉପୁଜିବା ଆଜି ସମଗ୍ର ମାନବଜାତି ପ୍ରତି ବିରାଟ ଆହ୍ବାନ ସୃଷ୍ଟି କରିଛି। ତେଣୁ ଏହିପରି ପରିସ୍ଥିତିକୁ ମୁକାବିଲା କରିବାକୁ ହେଲେ ବର୍ତ୍ତମାନ ଆମକୁ ଅଧିକରୁ ଅଧିକ ଗଛ ଲଗାଇବା ସହିତ ତାହାର ଉତ୍ତମ ଯତ୍ନ ନେବାର ସମୟ ଆସିଛି ବୋଲି ପ୍ରାକୃତିକ କୃଷିର ପ୍ରଚାର ପ୍ରସାର ତଥା ଜଳ ସଂରକ୍ଷଣ ପାଇଁ କାର୍ଯ୍ୟରତ ଏନ୍.ସି.ଏନ୍.ଏଫ୍ ଓ କୋଆଲିସନ୍ ଫର୍ ଚେଞ୍ଜ ଇନ୍ ଓଡିଶା ତରଫରୁ ବ୍ୟାପକ ଭାବରେ ଗଛ ଲଗାଇବାକୁ ଅନୁରୋଧ କରାଯାଇଛି। ପ୍ରାକୃତିକ କୃଷିକୁ ଆଗେଇ ନେବାକୁ ହେଲେ ଜଳ, ଜଙ୍ଗଲ ତଥା ଜୈବ ବିବିଧତାକୁ ରକ୍ଷା କରିବାକୁ ପଡ଼ିବ ବୋଲି ସଂଗଠନ ତରଫରୁ କୁହାଯାଇଛି। ଚଳିତ ବିଶ୍ଵ ପରିବେଶ ଦିବସ ଅବସରରେ ତଥା ବିଶିଷ୍ଠ ପରିବେଶବିତ୍ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଫେସର ରାଧାମୋହନଙ୍କର ଶ୍ରାଦ୍ଧ ଦିବସ ( ୧୧, ଜୁନ୍) ଅବସରରେ ସମସ୍ତେ ନିଜ ଘର ବାଡ଼ିରେ ତଥା ନିଜ ଅଞ୍ଚଳରେ ବୃକ୍ଷ ରୋପଣ କରିବାକୁ ସଂଗଠନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ରାସାୟନିକ ସାର ତଥା କୀଟନାଶକର ଅନିୟମିତ ଓ ଅନିୟନ୍ତ୍ରିତ ବ୍ୟବହାର ଫଳରେ ଆଜି ମାଟି ମାଆ ଦୁର୍ବଳ ହୋଇ ଯାଇଛି ଓ ଏହାର ଉତ୍ପାଦକତା ବହୁ ମାତ୍ରାରେ କମି ଯାଇଛି l ରାସାୟନିକ କୃଷି କେବଳ ମାଟିର ଉର୍ବରତା ନଷ୍ଟ କରିନି ବରଂ ବିହନ ବିବିଧତା, ଫସଲ ବିବିଧତା ଓ ସର୍ବୋପରି ସ୍ଥାନୀୟ ଜୈବ ବିବିଧତାକୁ ଲୋପ କରିବାରେ ପ୍ରମୁଖ ଭୂମିକା ନେଇଛି l ଏହାଛଡା ଅନେକ ଦୁରାରୋଗ୍ୟ ବ୍ୟାଧି ଯଥା ମଧୁମେହ, କର୍କଟ, କିଡନୀ ଜନିତ ରୋଗ ଇତ୍ୟାଦି ଆଜିକାର ପିଢ଼ି ପାଇଁ ଏକ ବିରାଟ ସମସ୍ୟା ହିସାବରେ ମୁଣ୍ଡ ଟେକିଛି। ଏହିପରି ପରିବେଶ ଜନିତ ସମସ୍ୟା ତଥା ସ୍ବାସ୍ଥ୍ୟ ଗତ ସମସ୍ୟାର ମୁକାବିଲା କରିବାକୁ ହେଲେ ଆମକୁ ପ୍ରାକୃତିକ କୃଷିକୁ ଆପଣେଇବା ସହିତ ବୃକ୍ଷ ରୋପଣ କରିବା ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଇଛି। ପ୍ରାକୃତିକ କୃଷିରେ ବ୍ୟବହାର ହେଉଥିବା ବୃକ୍ଷ ହେଉ କି ନିଜ ଅଞ୍ଚଳରେ ଦେଖା ଯାଉଥିବା ବିଭିନ୍ନ ପ୍ରକାର ବୃକ୍ଷ ଯଥା ନିମ, କରଞ୍ଜ, ଆତ, ପିଜୁଳି, ବେଗୁନିଆ, ଜଡ଼ା, ଅରଖ, ବେଲ,ଡାଳିମ୍ବ, ଆମ୍ବ, ଜାମୁ, ଇତ୍ୟାଦି ବୃକ୍ଷ ରୋପଣ କରିବା ସହିତ ମଞ୍ଜି ବଲ ( Seed Ball) ବ୍ୟବହାର କରି ଜଙ୍ଗଲ ପୁନର୍ଜୀବିତ କରିବାକୁ ନିବେଦନ କରାଯାଇଛି। ପରିବେଶକୁ ସୁରକ୍ଷା କରିବାରେ ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ, ମହିଳା ସଂଗଠନ, ଶିକ୍ଷାନୁଷ୍ଠାନ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ରାଜନୈତିକ ସଂଗଠନ, ପରିବେଶବିତ୍, ମିଡ଼ିଆ ସଂଗଠନ, ବଣିକ ସଂଗଠନ, ଧାର୍ମିକ ତଥା ସାଂସ୍କୃତିକ ସଂଗଠନ, ବୁଦ୍ଧିଜୀବୀ ତଥା ସମସ୍ତ ଜନସାଧାରଣ ଙ୍କର ଏହିଦିଗରେ ଯଥେଷ୍ଟ ଭୂମିକା ରହିଛି। ଏହି ଗ୍ରୀଷ୍ମରେ ଆମ୍ବ ପଣସ ତଥା ଅନ୍ୟାନ୍ୟ ଫଳ ଖାଇବା ପରେ ଉକ୍ତ ମଞ୍ଜି ରେ ଆମେ ଗଛ ସୃଷ୍ଟି କରିପାରିଲେ ତାହା ଆମ ଭବିଷ୍ୟତକୁ ସୁରକ୍ଷିତ କରିବ ବୋଲି ମତ ପ୍ରକାଶ ପାଇଛି।