ଓଡ଼ିଶା ପୋଲିସ୍ ଦ୍ଵାରା ୨୦୨୪-୨୫ ମସିହା ଡ଼ିସେମ୍ବର ମାସ ୩୦ ତାରିଖ ସୁଦ୍ଧା ୧୫ ହଜାର ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ

ଭୁବନେଶ୍ୱର: ଓଡ଼ିଶାରେ ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଏହି ପରିପ୍ରେକ୍ଷୀରେ ୨୦୨୪-୨୫ ମସିହାରେ ଡ଼ିସେମ୍ବର ମାସ ୩୦ ତାରିଖ ସୁଦ୍ଧା ୧୫ ହଜାର ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି। ଚଳିତ ବର୍ଷ ୧ କୋଟି ୭୭ ଲକ୍ଷ ଗଞ୍ଜେଇ ଗଛ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି। ରାଜ୍ୟର ବିଭିନ୍ନ ଥାନାରେ ୩୫୦ ଟି ମାମଲା ରୁଜୁ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୧୧୨ ଟି ମାମଲା ରୁଜୁ ହୋଇଥିବା ବେଳେ ୫ ହଜାର ୪୦୦ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ସେହିପରି ଗଜପତି ଜିଲ୍ଲାରେ ୩୪ ଟି ମାମଲା ରୁଜୁ ହୋଇଥିବା ବେଳେ ୧ ହଜାର ୨୨ ଏକରରୁ ଅଧିକ ଗଞ୍ଜେଇ ନଷ୍ଟ କରାଯାଇଛି। ହଜାର ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରିବା ପୋଲିସ ପାଇଁ ବଡ଼ ସଫଳତା ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଡିଜିପି କହିଛନ୍ତି। ରାଜ୍ୟର ୮ ଟି ଜିଲ୍ଲାରେ ଗଞ୍ଜେଇ ଚାଷ ବିରୁଦ୍ଧରେ ସ୍ପେଶାଲ ଡ୍ରାଇଭ ଚାଲିଛି । ରାୟଗଡା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲ୍ଳାରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଏହାର ମୂଳୋଉତ୍ପାଟନ ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି । ଡ୍ରୋନ ଏବଂ ସାଟେଲାଇଟ ସାହାଯ୍ୟରେ ଏକର ଏକର ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରା ଯିବା ପରେ ଏହାକୁ ନଷ୍ଟ କରାଯାଉଛି। ଏହା ସହ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କୁ ପୋଲିସ ସଚେତନ କରାଉଥିବା ବେଳେ ଗଞ୍ଜେଇ ଚାଷ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଚେତାବନୀ ଦେଇଛନ୍ତି।