ପଦ୍ମଫୁଲ ଓ ପ୍ରଜାପତି

Jan 13, 2025 - 20:12
 47
ପଦ୍ମଫୁଲ ଓ ପ୍ରଜାପତି

ସଂଜୟ ଭଟ୍ଟ
****

ଅନେକ ଫୁଲର ନୀଳ ନିମନ୍ତ୍ରଣ ପାଇଛି ପବନ ହାତେ,
ପ୍ରଜାପତି ମନ ପାଗଳ ପଣରେ ଠିକଣା ଭୁଲିଛି କେତେ।

କିଏ ଯାଚି ଦିଏ କୋମଳ ପରଶ ଆଲିଙ୍ଗନ ମୋହ ମୋତେ,
କ୍ଷଣିଏ ସରାଗେ ଆଦରି ନେଇଛି ଆକୃଷ୍ଟ କରିନି ସେତେ ।

ଅନେକ ଫୁଲର ସୁବାସ ସଦନେ ଖୋଜୁଥିଲି ଯେଉଁ ବାସ,
ସପନେ ନିଇତି ଝଲକ ପାଏ ମୁଁ ଦିବ୍ୟଫୁଲ ମିଠା ରାସ।

ହେଲେ ଆନମନା ହୋଇଛି ମାତର ପାଇନି କେବେ ବି ଦୃଶ,
ଆଜି ଏ ଗଗନ ପବନରେ ରଙ୍ଗ ବୋଳିଲା କି ମଧୁମାସ।
ଏହି ସରୋବର ଚାରିଦିଗେ ବୁଲେ ଅନ୍ୟତ୍ର ଯାଏନା ମନ,
ଏକା ପଦ୍ମଗନ୍ଧା ସୁବାସ ସଂପଦେ ଶିହରିତ ହୁଏ ତନ।

ସୁବାସିତ ଆଜି ମୋ ମନ ମୟୂର ଯିବି ପ୍ରୀୟତ୍ତମା ପାଶେ,
ସିଂହ ବଳ ପ୍ରୀତି ସଂଚରେ ଶରୀରେ ଭିତ ନିମିଷକେ ନାଶେ।

ରଙ୍ଗର ପାଖୁଡା ଇସାରାରେ ଆଜି ନିଶ୍ବାସ ହୁଏ ପ୍ରଖର,
ବନ ଉପବନେ ତଲାସୀ ପାଇଛି ମଧୁ ଯନ୍ତ୍ରଣା ପ୍ରେମର।

ଦିବ୍ୟ ଅନୁରାଗେ ତଲ୍ଲିନ ପରାଣ ସାହସ ବାନ୍ଧିଛି ଏବେ,
ମୋ ଡେଣାରେ ରଙ୍ଗ ଭରିଛି ବିଧାତା ବଳ ଦେଇଥାନ୍ତ ଯେବେ।

ଅଲଭ୍ୟ ମଧୁର ମକରନ୍ଦ ପାନ ଭାଗ୍ୟରେ ହୁଅନ୍ତା ଲେଖା,
ଅବଶ୍ୟ ଏତିକି ଶେଷ ଇଚ୍ଛା ମୋର ଇତିହାସ ଚିତ୍ରଲେଖା।