୧୩ତମ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ସମର୍ପଣର ଉଦ୍ଯାପନୀ ସଂଧ୍ୟାରେ ଭକ୍ତି ସଙ୍ଗୀତ ସହିତ ସୁଫି କୱାଲିରେ ଦର୍ଶକ ବିଭୋର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ୧୩ତମ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ସମର୍ପଣର ଉଦ୍ଯାପନୀ ସଂଧ୍ୟାରେ ଦେଖିବାକୁ ମିଳିଥିଲା ଭକ୍ତି ସଙ୍ଗୀତ ସହିତ ସୁଫି କୱାଲି । ଅନ୍ତିମ ସଂଧ୍ୟାର ପ୍ରଥମ ଉପସ୍ଥାପନାରେ ଥିଲା ପୁରୀର ଶ୍ରୀ ଶିବ ପ୍ରସାଦ ରଥଙ୍କ ଦ୍ୱାରା ଭକ୍ତି ସଙ୍ଗୀତ । ସେ ଜଗନ୍ନାଥ ଭଜନ ତଥା ସନ୍ଥ କବି ଭୀମ ଭୋଇଙ୍କ ଦ୍ୱାରା ସଗୁଣ ଏବଂ ନିର୍ଗୁଣ ଭଜନର ଏକ ସମଷ୍ଟି ଦର୍ଶକଙ୍କ ଆଗରେ ଉପସ୍ଥାପନ କରିଥିଲେ । ତାଙ୍କର ଭକ୍ତି ସଙ୍ଗୀତ ଏବଂ ଭଜନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ତାଙ୍କୁ ତବଲାରେ ୟୁଞ୍ଜନ ମହାପାତ୍ର, କୀବୋର୍ଡ଼ ଓ ହାରମୋନିୟମରେ ଚିନ୍ମୟ ମଲ୍ଲ ଏବଂ ବଂଶୀରେ ଶ୍ୟାମ ରାଓ ସହଯୋଗ କରିଥିଲେ । ଅନ୍ତିମ ସଂଧ୍ୟାର ଶେଷ ପରିବେଷଣ ଥିଲା ଦିଲ୍ଲୀରୁ ଆସିଥିବା ଶ୍ରୀ ଧୃବ୍ ସଙ୍ଗରୀ (ବିଲାଲ ଚିସ୍ତି) ଓ ସାଥୀଙ୍କ ଦ୍ୱାରା ସୁଫି କୱାଲି ସଙ୍ଗୀତ । ସେମାନେ ପାରମ୍ପରିକ ସୁଫିଆନା କୱାଲି, ଗଜଲ, ଠୂମରୀ, ଭଜନ ଓ ଶାସ୍ତ୍ରୀୟ ବନ୍ଦିଶ ପରିବେଷଣ କରିଥିଲେ ଯାହା ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ବିଲାଲ୍ ଚିସ୍ତିଙ୍କୁ କଣ୍ଠରେ ଓ ହାରମୋନିୟମରେ ସହଯୋଗ କରିଥିଲେ ଜେନାବ ସଲାମତ୍ ଅଲ୍ଲୀ, ମାଣ୍ଡୋଲିନ୍ ଓ ତେନୋରରେ ଜେନାବ୍ ସିରାଜ ଖାନ୍, କୋରସରେ ଅଂଶ ସେଠ୍ ଏବଂ ଧମ୍ମା ଓ ଢୋଲକରେ ଜେନାବ୍ ସମୀର ଖାନ ସହଯୋଗ କରିଥିଲେ । ସଂଧ୍ୟାର ଅତିଥିମାନେ ଥିଲେ ଭୁବନେଶ୍ୱରର ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟର ପୂର୍ବତନ ପ୍ରଫେସର ଡ଼କ୍ଟର ସ୍ନିଗ୍ଧା ପଟ୍ଟନାୟକ, ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ଼କ୍ଟର ବିଜୟବାସିନୀ ମହାନ୍ତି, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପୂର୍ବତନ ମୁଖ୍ୟ କାର୍ଯ୍ୟନିବାହୀ ଡକ୍ଟର ସଙ୍ଗୀତା ଗୋସାଇଁ ଓ ଭୁବନେଶ୍ୱର ଆଇ.ଆଇ.ଟି.ଟି.ଏମ୍.ର ଅଧ୍ୟାପକ ଡ଼କ୍ଟର ଆଦ୍ୟାଶା ଦାସ ଏବଂ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଡ଼କ୍ଟର ଅରବିନ୍ଦ ବେହେରା । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଚିବ କ୍ଷୀରୋଦ କୁମାର ପଟ୍ଟନାୟକ ।