ଶ୍ରୀଜୟଦେବ ସମ୍ମାନ ରେ ସମ୍ମାନିତ ହେଲେ ଯାଜପୁର ର ହିତେଶ କୁମାର

Aug 5, 2025 - 23:20
 1
ଶ୍ରୀଜୟଦେବ ସମ୍ମାନ ରେ ସମ୍ମାନିତ ହେଲେ ଯାଜପୁର ର ହିତେଶ କୁମାର

ତା ୦୩ ଅଗଷ୍ଟ ୨୦୨୫ ରିଖ ରେ " କୋରାଇ ମଣ୍ଡଳ ସାହିତ୍ୟ ସଂସଦ, କୋରାଇ, ଯାଜପୁର ରୋଡ " ରେ ଆୟୋଜିତ " ଶ୍ରୀଜୟଦେବ ଉତ୍ସବ - ୨୦୨୫" ରେ ଯାଜପୁର ରୋଡ ର ଗର୍ବ ଓ ଗୌରବ " ଶ୍ରୀ ହିତେଶ କୁମାର"  ଙ୍କୁ ରାଜ୍ୟ ର ଗର୍ବ ଓ ଗୌରବ ର ସମ୍ମାନ " ଶ୍ରୀଜୟଦେବ ସମ୍ମାନ " ରେ ସମ୍ମାନିତ କରାଯାଇଛି। ପ୍ରସିଦ୍ଧ ତବଲା ବାଦକ ସ୍ବର୍ଗତଃ ପ୍ରଫୁଲ୍ଲ କୁମାର ମହାପାତ୍ର ଙ୍କ ନାତି ଓ ବିଶିଷ୍ଟ ଚିତ୍ରଶିଳ୍ପୀ ନିବେଦିତା ମହାପାତ୍ର ଙ୍କ ସୁପୁତ୍ର ହିତେଶ କୁମାର ଦୀର୍ଘ ୧୦ ବର୍ଷ ଧରି ନିଜର " ହିତେଶ କୁମାର ଫିଲ୍ମସ " ବ୍ୟାନର ରେ ୮୦ରୁ ତଦୁର୍ଦ୍ଧ କ୍ଷୁଦ୍ର, ଅତି କ୍ଷୁଦ୍ର, ପ୍ରାମାଣିକ, ସାମାଜିକ ସଚେତନା ମୂଳକ ଚଳଚ୍ଚିତ୍ର ନିର୍ମାଣ କରି ୫୦ ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ହେଉଥିବା ଚଳଚ୍ଚିତ୍ର ମହୋତ୍ସବ ରେ ଶହ ଶହ ଚଳଚ୍ଚିତ୍ର ମଧ୍ୟ ରୁ ବିଜୟ ଲାଭ କରିବା, ପୁରସ୍କୃତ ହେବା କେବଳ ଯାଜପୁର ସହର ନୁହେଁ, ଆମ ରାଜ୍ୟ ଓ ଦେଶ ପାଇଁ ଗୌରବ ର ବିଷୟ। 

ଏହି କାର୍ଯ୍ୟକ୍ରମ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ଓଡ଼ିଆ ଭାଷା ର ବିକାଶ, ଅଭିବୃଦ୍ଧି, ଆଲୋଚନା ସହ କବିତା ଆସର ଆମ ଓଡ଼ିଆ ଭାଷାର ପୃଷ୍ଠଭୂମିକୁ କିପରି ଭବିଷ୍ୟତରେ ଆହୁରି ତ୍ୱରାନ୍ୱିତ ହୋଇପାରିବ ସେଥିଲାଗି ଅନେକ ଓଡ଼ିଆ ସାହିତ୍ୟ ର ବିଦ୍ୱାନ ବ୍ୟକ୍ତିତ୍ୱ ଓ ଓଡ଼ିଆ ଭାଷା କୁ ଭଲ ପାଇବା, ସମ୍ମାନ ଦେଉଥିବା ଗୁଣି ଲୋକ ଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଅନୁପ୍ରାଣିତ।

 

ଡ଼. ସୂର୍ଯ୍ୟମଣି ଖୁଣ୍ଟିଆ, ଶ୍ରୀଯୁକ୍ତ ଦୟାନିଧି ନାୟକ, ଶ୍ରୀଯୁକ୍ତ ବାଇଧର ମାଝୀ, ଶ୍ରୀଯୁକ୍ତ ବିନୋଦ ବିହାରୀ ସାହୁ, ପ୍ରାକ୍ତନ ଅଧ୍ୟକ୍ଷ ଶିବ ଚରଣ ମାଝୀ, ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ରାଉତ, ଅଧ୍ୟକ୍ଷ ଡ଼. ମୋହନ ଚରଣ ଖୁଣ୍ଟିଆ, ଡ଼. ନନ୍ଦ କିଶୋର ସିଂହ, ଡ଼. ରାଜ କିଶୋର ପାଢ଼ୀ, ପଣ୍ଡିତ ବିରେନ୍ଦ୍ର କୁମାର ଶତପଥୀ, ଡା. ରୁଦ୍ର ନାରାୟଣ ପୃଷ୍ଟି, ଡ଼. ଅଶୋକ କୁମାର ସିଂହ ପରି ମାନ୍ୟଗଣ୍ୟ ଗୁଣି ବିଦ୍ୱାନଙ୍କ ସମ୍ମିଳନ ରେ ଓଡିଶା ର ଗର୍ବ ଓ ଗୌରବ ଶ୍ରୀଜୟଦେବ ଙ୍କ ଓଡ଼ିଆ ସାହିତ୍ୟ ପାଇଁ ଅବଦାନ, ଗୀତଗୋବିନ୍ଦ ଓ ଶ୍ରୀଜଗନ୍ନାଥଙ୍କ ଭକ୍ତିବାଣୀରେ ଉତ୍ସବ ମୁଖରିତ ହୋଇଉଠିଥିଲା।  

କଳାକାର ପରିବାର ରୁ ଆସିଥିବା ହିତେଶ ଙ୍କ ମାମୁଁ ମନମୋହନ ମହାପାତ୍ର ଜଣେ ବିଶିଷ୍ଠ ତବଲା ବାଦକ, ମାଉସୀ ଗୀତିସ୍ମିତା ଓ ମଧୁସ୍ମିତା ସୁମଧୁର କଣ୍ଠଶିଳ୍ପୀ। ହିତେଶ ପିଲାଟି ବେଳୁ ଚଳଚ୍ଚିତ୍ର ଦେଖିବା ରେ ଏତେ ଆକର୍ଷିତ ଥିଲେ, ସେବେଠୁ ସେ ମନୋରଞ୍ଜନ ନୁହେଁ, ଅଧ୍ୟୟନ ମନୋବୃତ୍ତି ରେ ଚଳଚିତ୍ର ଦେଖିଆସୁଥିଲେ, ଯାହା ଆଜି ର ଦିନ ରେ ତାଙ୍କୁ ଏକ ସଫଳ ନିର୍ମାତା ରୂପେ ପ୍ରତିଷ୍ଠା କରାଇପାରିଛି। 
ତାଙ୍କର ସମସ୍ତ ଫିଲ୍ମ ସମାଜ କୁ ବାର୍ତ୍ତା ଦେବା ସହ ସମାଜ ରେ ସୁଧାର ଆଣିବା, ଦିଗଦର୍ଶନ ଦେଖେଇବା ରେ ସାହାଯ୍ୟ କରି ଆସିଛି। ସବୁଠାରୁ ଅତ୍ୟନ୍ତ ଗର୍ବ ର କଥା ତାଙ୍କର ସର୍ବାଧିକ ଚଳଚ୍ଚିତ୍ର " ଓଡ଼ିଆ " ଭାଷା ରେ ନିର୍ମିତ। ସେ ନିଜେ ଏହାର ଉତ୍ତର ରେ କୁହନ୍ତି, "ଉଚ୍ଚ କରିବାକୁ ଯେବେ କର ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା।" ଓଡ଼ିଆ ଭାଷା ରେ ଫିଲ୍ମ ନିର୍ମାଣ କଲେ, ଅନେକ ଦେଶ ବିଦେଶ ରେ ଚଳଚ୍ଚିତ୍ର ମହୋତ୍ସବ ରେ ସମସ୍ତେ ଓଡ଼ିଆ ଭାଷା ବିଷୟ ରେ ଜ୍ଞାତ ହେବାସହ ଆମ ଭାଷା ର ପ୍ରଚାର ପ୍ରସାର ହେବ। ଆମ ମାତୃଭାଷା ର ବିକାଶ ଓ ଗର୍ବ ର ସହ ଆମ ଭାଷା କୁ ବିନିଯୋଗ କରିବା ତାଙ୍କର ମୂଳଲକ୍ଷ। 

ତାଙ୍କର ଚଳଚ୍ଚିତ୍ର ମଧ୍ୟରୁ "ଶ୍ରୀ ଜଗନ୍ନାଥ, ଅଭିମାନିନୀ, ବିଜୟିନୀ, ମହିରୂହ, ଜୟ ତୁ ଜୟ ତୁ ଭାରତମ, ମା ପରି କିଏ ହବ" ରାଜ୍ୟ କି ଦେଶ ନୁହେଁ, ଲଣ୍ଡନ ଓ ସିଡ୍ନୀ ପରି ଅନ୍ତର୍ଜାତୀୟ ସ୍ତର ରେ ଅନେକ ପୁରସ୍କାର ସହ ଅନେକ ଭଲପାଇବା ସାଉଁଟିଛି। 

ହିତେଶ କୁମାର ଏହି ପୁରସ୍କାର ସମୟ ରେ ନିଜ ମା' ଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରିବାକୁ ଉତ୍ସାହ ପ୍ରକାଶ କରିଥିଲେ, କାରଣ ଯେପରି ଏକ ସଫଳ ପୁରୁଷ ପଛରେ ଜଣେ ନାରୀ ର ହାତ ଥାଏ, ସେପରି ହିତେଶ ଙ୍କ ପଛରେ ତାଙ୍କ ମା ଙ୍କ ଦୃଢ଼ ମନୋବଳ, ନିଷ୍ଠା, ସ୍ନେହ ଓ ଆଶୀର୍ବାଦ ରହିଛି, ଯେଉଁଥିପାଇଁ ହିତେଶ ଆଜି ସଫଳତା ର ଶୀର୍ଷ ରେ ଅବତୀର୍ଣ୍ଣ ହେଲେ ବି ନିଜ ମା, ମାଟି ମା ଓ ଓଡ଼ିଆ ଭାଷା ପାଇଁ ନିଜର କର୍ତ୍ତବ୍ୟ କେବେ ଭୁଲିନାହାନ୍ତି, ଯାହା ଆଜି ର ଯୁବପିଢି ପାଇଁ ଏକ ଦିଗଦର୍ଶନ।