ଜନଜାତି ଚିତ୍ରକଳା କର୍ମଶାଳା ଉଦଘାଟିତ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣଆ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ପାଳନ ହେଉଥିବା ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହର ଦ୍ବିତୀୟ ଦିବସରେ ପ୍ରତିଷ୍ଠାନ ପରିସରରେ ତିନି ଦିବସୀୟ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆଜି ଠାରୁ ଆରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବେ ଏହି କର୍ମଶାଳା ତଥା ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ । ଜନଜାତି ସଂସ୍କୃତି ଓ ଐତିହ୍ୟକୁ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶନ କରାଯିବ । ଏ ଅବସରରେ ଚିତ୍ରକଳାର ସଂରକ୍ଷଣ ଓ ପ୍ରସାର ନିମନ୍ତେ ଏହାକୁ ସ୍ବତନ୍ତ୍ର ବିଷୟବସ୍ତୁ ଭାବେ ପାଠ୍ଯକ୍ରମରେ ଅନ୍ତର୍ଭୁକ୍ତ କରାଯିବା ତଥା ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ବିଭାଗୀୟ ଶାସନ ସଚିବ । କାର୍ଯ୍ୟକ୍ରମରେ ବି.କେ କଲେଜ୍ ଅଫ୍ ଆର୍ଟ୍ସର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢୀ ଆଧୁନିକ ଯୁଗରେ ଚିତ୍ରକଳା ସମ୍ପର୍କରେ ଗୁରୁତ୍ବ ଦେଇଥିଲେ । ଅନ୍ୟତମ ବକ୍ତା ଭାବେ ଶ୍ରୀଯୁକ୍ତ ମାନସ କୁମାର ଜେନା, ଜନଜାତିଙ୍କ ଚିତ୍ରକଳାର ସୃଜନତା ଉପରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଅତିଥି ମାନଙ୍କୁ ସ୍ବାଗତ ଜଣାଇବା ସହ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରତିଷ୍ଠାନର ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରଥ । ଏହି ପ୍ରଦର୍ଶନୀ ୧୮ ତାରିଖ ଯାଏଁ ଚାଲିବ । ଏଥିସହିତ ଜନଜାତୀୟ ଗୌରବ ଦିବସ ଅବସରରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଛାତ୍ର ଯୋଗଦାନ କାର୍ଯ୍ୟକ୍ରମ ଓ ଜନଜାତି କବି ସମ୍ମିଳନୀର ମଧ୍ୟ ଆୟୋଜନ କରାଯିବ ।