ମୁଁ କାଳିଆ କହୁଛି l
ମୁଁ କାଳିଆ କହୁଛି l ତୁମର ସେହି ଅଧାଗଢା ଜଗା l ମୋର ହାତ ଅଧା, ଗୋଡ଼ ଅଧା ବୋଲି ବୋଧେ ଅଧା ରାସ୍ତାରେ ଫିଙ୍ଗିଦେଇ ଚାଲିଗଲ l ମୁଁ ଚାଲିପାରୁନି ବୋଲି ବୋଧେ ଛାଡି ଦେଇଗଲ l ବୋଧେ ଡାକି ପାରିବିନି ବୋଲି ଦୁସ୍ଥ କରି ଦେଇଗଲ l କାନ ସିନା ମୋର ନାହିଁ, ହେଲେ ତୁମ ମାନଙ୍କର ତ ଅଛି ନା l କେମିତି ମୋ ଡାକକୁ ଶୁଣି ପାରୁନ l ଆଛା, ବୋଧେ ଆଖିର ପତା ନାହିଁ ବୋଲି ଏମିତି କଲ, ଜାଣିଛ ଏ କାଳିଆ ଆଖିକୁ ନିଦ ଆସେନି l ସେଥିପାଇଁ ରାତିସାରା ଏ କୁହୁଡି କାକରରେ ଅନିଦ୍ରା କରିଦେଲ l ତଥାପି ମନଉଣା ନାହିଁ ମ l କେତେ କଷ୍ଟ ଏ ଦାରୁ ଦେହଟା ମୋର ସହିଛି l ଦିନେ ବଡ଼ ଦାଣ୍ଡରେ ମୋ ଦେହରେ ନିଆଁ ଲାଗିଥିଲା, ସହିଛି l ଦିନେ ତକି ଖାଁ ମୋତେ ଅପବିତ୍ର କରିବାକୁ ରାଜା ରାମଚନ୍ଦ୍ରଙ୍କୁ ରଜିଆ ସଙ୍ଗେ ବିବାହ କଲା, ସେ ନିର୍ଯାତନା ବି ସହିଛି l ଫିରୋଜ ଶାହା ବି ଦିନେ ମୋ ଦେହକୁ ଦଉଡ଼ିରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇଥିଲା, ସେ ଯନ୍ତ୍ରଣା ବି ସହିଛି l କଳାପାହାଡ଼ ବି ଆକ୍ରମଣ କରିଥିଲା, ତଥାପି ମୁଁ ସହିଛି....
ଏ ଓଡ଼ିଆ ମୋ ପ୍ରାଣ l ଏ ଓଡ଼ିଆ ମୋ ସ୍ପନ୍ଦନ l ଏ ଉତ୍କଳ ବିନା ମୁଁ ଅଣନିଶ୍ୱାସୀ ହୋଇଯାଏ l କଷ୍ଟ ଦେବାର ଅଛି ତ ମୋତେ ଦିଅ l ଯନ୍ତ୍ରଣା ଦେବାର ଅଛି ତ ଏକାନ୍ତରେ ମୋତେ ଦିଅ l ହେଲେ ଦାଣ୍ଡ ମଝିରେ ଏ ଦାରୁ ଦିଅଁଟା ସହ ଖେଳନି l ଏ କୋଟି କୋଟି ଲୋକଙ୍କ ହୃଦୟକୁ ଆଘାତ ଦିଅନି....
ସଂଜରେ ବଳିତା ଜାଳି ମନ୍ତ୍ର ଧ୍ୱନିରେ ମୁଣ୍ଡିଆ ଖାଇ ବାୟା ସେହି କାଳିଆ l ହଜାର ହଜାର ଲୋକଙ୍କ ଗହଳି ଭିତରେ ଚନ୍ଦନ କର୍ପୁରରେ ବାସି ଉଠୁଥିବା ଇଏ ସେହି କାଳିଆ l ଝିଲମିଲ ଆଲୁଅ ଭିତରେ ଚକା ଆଖିରେ ଚାହିଁ ରହିଥିବା ଇଏ ସେହି କାଳିଆ l ଆଉ ସଭିଏଁ ଗଲାପରେ କାକର ଭିଜା ରାତିରେ ପଡିଆ ମଝିରେ ପରିତ୍ୟକ୍ତ ଭାବେ ପଡି ରହିଥିବା ଇଏ ସେହି କାଳିଆ l ଏପଟେ ଠାକୁର ନୁହେଁ ଏପଟେ ମୂର୍ତ୍ତି ନୁହେଁ ଏ କୋଟି କୋଟି ଲୋକଙ୍କ ପ୍ରାଣ ସ୍ପନ୍ଦନ l ଏ ବଞ୍ଚିବାର ରାହା, ଏ ବିଶ୍ୱାସ ଆଉ ଭାବନାର ଜୀବନ୍ତ ସମାହାର l ଏ ଠାକୁର କେବଳ ମନ୍ଦିରରେ ନୁହେଁ, ପ୍ରତିଟି ଓଡ଼ିଆର ହୃଦୟରେ l କିନ୍ତୁ, ଆଜି ଏ ଠାକୁର ଅବସ୍ଥା କେବଳ ଛାତି ନୁହେଁ, କଲମ ବି ଥରାଇ ଦେଉଛି l ଯେଉଁଠି ହତାଦର ହୋଇ ଏ ପାଷାଣ ଠାକୁରଟା ପଡି ରହିଛି ସେ ହେଉଛି ନେହେରୁ ଷ୍ଟାଡିୟମରେ ହୋଇଥିବା ଭଦ୍ରାଣି ମହୋତ୍ସବ l ଭଦ୍ରକରେ ଏ ମହୋତ୍ସବ ଶେଷ ହୋଇଛି l ଆଉ ମହୋତ୍ସବ ସରିଲା ପରେ ଓଡ଼ିଆ ଜାତିର ବିଶ୍ୱାସ ଅପବିତ୍ର ଭାବେ ପଡି ରହିଛି l ଯାହାକୁ ନେଇ ସ୍ଥାନୀୟ ଲୋକେ ପ୍ରତିକ୍ରିୟାଶୀଳ ହୋଇଛନ୍ତି l
ଜାନୁଆରୀ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ହେଲେ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁ ଜଗନ୍ନାଥ ଅବହେଳିତ ଅବସ୍ଥାରେ ପଡି ରହିଛନ୍ତି l ଯେଉଁ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜା କରି ଏ ଜିଲ୍ଲା ମହୋତ୍ସବ ଆରମ୍ଭ ହୋଇଥିଲା ସେହି ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଛି l ସେପଟେ ଡେପୁଟି କଲେକ୍ଟର କହିଛନ୍ତି, ଜଗନ୍ନାଥଙ୍କୁ କିଛି ଅପମାନ ହୋଇନାହିଁ, କିମ୍ବା ଅବହେଳିତ ଭାବେ ମହାପ୍ରଭୁ ପଡି ନାହାନ୍ତି l ଏ ଠାକୁର କେବେ ସମ୍ମାନ ଖୋଜିନି l କାରଣ ସେ ହିଁ ସାରା ଦୁନିଆର ମୁଖ୍ୟ l ଏ ଠାକୁର ନିଷ୍ଠୁର ଯନ୍ତ୍ରଣା ସହିଛି l ସେଥିପାଇଁ ସେ ଯନ୍ତ୍ରଣାର ଯଉଘରେ ତିଷ୍ଠିଛି l ଏ ଠାକୁରର ହାତ ନାହିଁ କିନ୍ତୁ ପ୍ରତି ଦିନ ଦରିଦ୍ରଙ୍କୁ କୋଳେଇ ନଉଛି l କିନ୍ତୁ ଏ କି ସମୟ ! ସାରା ଦୁନିଆର ରକ୍ଷକ ଯିଏ, ନିଜ ରକ୍ଷା ପାଇଁ ଧାଉଁଛି ସିଏ l ଶେଷରେ ଏ ଅଧାଗଢା ଦିଅଁଟେ ଯେମିତି କହିବାକୁ ଚାହୁଁଛି, "ଖେଳନା ନୁହେଁ, ମୁଁ କାଳିଆ କହୁଛି".....