'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୯ଟି ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ। ପଞ୍ଚାୟତିରାଜ ବିଭାଗର ନୂଆ ଯୋଜନାକୁ ଅନୁମୋଦନ। ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନାକୁ ମିଳିଛି କ୍ୟାବିନେଟର ମଞ୍ଜୁରି। ପୂର୍ବ ପ୍ରଚଳିତ ପ୍ରୟାସ “ଆମା ଗାଁ ଆମ ବିକାଶ"ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ତାଙ୍କର ନିଜସ୍ବ ପାଣ୍ଠିରୁ ଆର୍ଥିକ ବର୍ଷ ୨୦୨୩ -୨୦୨୪ ରେ ଏକ ନୂତନ ରୂପରେଖ ରେ “ଆମ ଓଡିଶା ନବୀନ ଓଡିଶା” ନାମକ ଅଭିନବ ପ୍ରୟାସ କରିଛନ୍ତି । ଉକ୍ତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧିକୁ ତ୍ଵରାନ୍ନିତ କରିବା ସହିତ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା । ଏହି ଯୋଜନା ଅଧିନରେ ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ। ଯୋଜନାର କାର୍ଯ୍ୟକାରୀତା ପାଇଁ ଗାଇଡଲାଇନକୁ ମଧ୍ଯ ମିଳିଛି ମଞ୍ଜୁରି। ଯୁବପିଢିଙ୍କ ପାଇଁ କ୍ରୀଡା, ବ୍ୟାଙ୍କିଙ୍ଗ ସେବା ତଥା ଡିଜିଟାଲ ସେବା ନିମନ୍ତେ ସୃଷ୍ଟି କରାଯିବ ଆବଶ୍ୟକୀୟ ଭିଭିଭୂମି। ଏହା ବ୍ୟତୀତ ଜଗନ୍ନାଥ ସଂସ୍କୃତିର ହେବ ପ୍ରଚାର ପ୍ରସାର। ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବଲାଙ୍ଗିର ଜିଲ୍ଲାରେ ଥିବା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଦିଆଯିବ ଜମି। ସେହିପରି କୋରାପୁଟ ଜିଲ୍ଲାର ଲତାମପୁଟ ଡିଗ୍ରୀ କଲେଜର କୋଠା ନିର୍ମାଣ ପାଇଁ ଦିଆଯିବ ୫ ଏକର ଜମି।