ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୦୭-୧୦ ବ୍ୟାଚ୍ ବନ୍ଧୁମିଳନ

Jun 11, 2023 - 18:00
 7
ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୦୭-୧୦ ବ୍ୟାଚ୍ ବନ୍ଧୁମିଳନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୨୦୦୭-୦୯ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ବାଣୀବିହାର ପରିସରସ୍ଥ ମା’ ତାଳପଦେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରଥମେ ମା’ ତାଳପଦେଶ୍ୱରୀ ଓ ପରେ ବାଣୀବିହାର ମୁଖ୍ୟ ଫାଟକସ୍ଥ ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦିବଂଗତ ଛାତ୍ରଛାତ୍ରୀ ଯଥା ଦର୍ଶନ ବିଭାଗର ଲିଜାରାଣୀ ସେଠୀ, ଇତିହାସ ବିଭାଗର ଅଶ୍ୱିନୀ କୁମାର ସିଠ ଏବଂ ଓଡ଼ିଆ ବିଭାଗର ମଳୟ ପ୍ରଧାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ଅନୁଷ୍ଠିତ ସଭାକାର୍ଯ୍ୟରେ ବିଭିନ୍ନ ବିଭାଗର ପୁରାତନ ଛାତ୍ରଛାତ୍ରୀ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ପାଠପଢା ଦିନର ସ୍ମୃତିକୁ ମନେପକାଇଥିଲେ । ଏପରିକି ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଉଲ୍ଲେଖ କରି ଆଗାମୀ ଦିନରେ ଏ ଦିଗରେ ବ୍ରତୀ ହେବାକୁ ଶପଥ ନେଇଥିଲେ । ଅନେକ ଛାତ୍ରଛାତ୍ରୀ ଜୀବନାଦର୍ଶନ ଓ ମାନବିକ ମୂଲ୍ୟବୋଧ ଉପରେ ମଧ୍ୟ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏପରିକି ଏହି ବ୍ୟାଚର ଛାତ୍ରଛାତ୍ରୀ କିଭଳିଭାବେ ସୁଖଦୁଃଖରେ ପରସ୍ପର ସହିତ ବାନ୍ଧି ହୋଇ ରହିବେ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଅବସରରେ ଅଲିଭା ନାମ୍ନୀ ଜଣେ ପୁରାତନ ଛାତ୍ରୀ ନିଜର ସଂଗୀତ ଯାଦୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ତେବେ ଆସନ୍ତାବର୍ଷ ଡିସେମ୍ବର ମାସରେ ଦ୍ୱିତୀୟ ବନ୍ଧୁମିଳନକୁ ଧୁମଧାମରେ ଆୟୋଜନ କରିବାକୁ ବନ୍ଧୁମାନେ ପ୍ରସ୍ତାବ ଦେଇଥିଲେ । ଆଜିର ଏହି ବନ୍ଧୁମିଳନରେ ଅବିନାଶ ଦାସ, ତ୍ରିଲୋଚନ ବେହେରା, ଉତ୍ତମ କୁମାର ମହାନ୍ତି, ଅମିତ ଉପାଧ୍ୟାୟ, ସରୋଜ ସାହୁ, ଦେବୀଦତ୍ତରମଣୀ ରଞ୍ଜନ ସାହୁ, କୁବେର ମଲ୍ଲିକ, ରତନ ଆଚାର୍ଯ୍ୟ, କେଦାରସେନ ସାହୁ, ମଧୁସ୍ମିତା ସାହୁ, ସମ୍ବିତରେଖା ଜେନା, ସୀମାରାଣୀ ଭୋଇ, ସୁଜିତ ବେଉରା, ବିଚିତ୍ର ସେଠୀ, ଅଭିଶେଖ ଉପାଧ୍ୟାୟ, ଅମୀୟ କୁମାର ଦାସଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ସପରିବାର ଯୋଗଦେଇଥିଲେ ।