ଇଂଗ୍ରେଜ ଅମଳରେ ଖନନ୍ କରାଯାଇଥିବା କେନାଲ ଜଳସେଚନ ବ୍ୟବସ୍ତା କ୍ରମେ ଭୂଷୁଡ଼ି ଯାଉଛି
ଭୁବନେଶ୍ୱର,17/09:(ଅମ୍ବିକା ପ୍ରସାଦ କାନୁନଗୋ)
ଓଡ଼ିଶାର ମୋଟ ଜନସଂଖ୍ୟାର ୭୬ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ରାଜ୍ୟର ମୋଟ ଚାଷ ଜମି ୮୭୪୬୦୦୦ ହେକ୍ଯର ହୋଇଥିଲାବେଳେ ସେଥିରୁ ମାତ୍ର ୧୮୭୯୦୦୦ ହେକ୍ଟର ଜମି ଜଳସେଚିତ ହୋଇ ପାରିଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦନର ୨୬ ପ୍ରତିଶତ କୃଷିକ୍ଷେତ୍ରରୁ ଆସିଥାଏ ବୋଲି ନୀତି ଆୟୋଗ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଓଡ଼ିଶା ମୁଖ୍ୟତଃ କୃଷି ପ୍ରଧାନ ରାଜ୍ୟ ଭାବେ ବେଶ୍ ପରିଚିତ। ରାଜ୍ୟରେ ଯେତେବେଳେ ଜଳସେଚନର କୌଣସି ସୁବିଧା ନଥିଲା ସେ ସମୟରେ ଚାଷ ପାଇଁ ମୁଖ୍ୟତଃ ବର୍ଷାଜଳ ଓ କେତେକ ସ୍ଥାନରେଥିବା ଛୋଟ ଛୋଟ ପୋଖରିର ପାଣି ଉପରେ ନିର୍ଭରକରି ଚାଷ କରାଯାଉଥିଲା। ଯେଉଁ ବର୍ଷ ଭଲ ବର୍ଷା ହେଉଥିଲା ସେବର୍ଷ ଭଲ ଅମଳ ହେଉଥିଲା ଏବଂ ବର୍ଷା ନହେଲେ ରାଜ୍ୟରେ ମରୁଡ଼ି ଜନୀତ ପରିସ୍ଥିତି ସୃଷ୍ଟି ହେଉଥିଲା।
୧୮୬୫ ମସିହା କଥା, ସେହିବର୍ଷ ଜୁନ୍ ମାସରୁ ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ବର୍ଷା ନହେବାରୁ ରାଜ୍ୟରେ ମରୁଡ଼ି ଜନୀତ ପରିସ୍ଥିତି ସୃଷ୍ଟି ହେଲା, ପରେ ତାହା ଭୟାବହ ଦୃର୍ଭିକ୍ଷର ରୂପନେଲା। ରାଜ୍ୟରେ ଅକ୍ଟୋବର ମାସରେ ଦୃର୍ଭିକ୍ଷର ପଦଚିହ୍ନ ପ୍ରଥମେ ଦେଖିବାକୁ ମିଳିଥିଲା, ପରେ ଭୟାବହତା କ୍ରମେ ବୃଦ୍ଧିପାଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲା। ଦୁର୍ଭିକ୍ଷ ଜନୀତ ପରିସ୍ଥିତି ୧୮୬୭ ମସିହା ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ଲାଗିରହିଲା। ଏହି ସମୟରେ ଲୋକେ ଖାଇବାକୁ ନପାଇ ପ୍ରାୟ ୧୦ଲକ୍ଷ ଲୋକ ପ୍ରାଣ ହରାଇଲେ, ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ଘରଦ୍ବାର ଛାଡ଼ି ବାହାର ରାଜ୍ୟକୁ ଚାଲିଗଲେ। ଦୃର୍ଭିକ୍ଷର କରୁଣ କାହାଣୀ ଦେଖି ତତ୍ କାଳୀନ ଇଂଗ୍ରେଜ ସରକାର ଚିନ୍ତାରେ ପଡ଼ିଗଲେ। ଏହିଭଳି ଭୟାବହ ମର୍ମନ୍ତୁଦ ଘଟଣାର ଯେପରି ପୁର୍ନାରାବୃତ୍ତି ନଘଟିବ ସେଥିପାଇଁ କେନାଲ ଖୋଳି ଚାଷଜମିକୁ ଜଳ ଯୋଗାଣ ପାଇଁ ସେତେବେଳେ ଇଂଗ୍ରେଜ ଶାସକ ନିଷ୍ପତ୍ତି ନେଇଥିଲେ। ଦୁର୍ଭିକ୍ଷ ସମୟରେ ଲୋକଙ୍କ ହାତକୁ କାମ ଯୋଗାଇ ଦେବାକୁ କେନାଲ ଖେଳିବା କାର୍ଯ୍ୟ ଆରମ୍ଭ କରିଦେଲେ। ପ୍ରଥମ ପର୍ଯ୍ୟାରେ ସେତେବେଳେ ୨୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। କେନାଲ ଖୋଳିବା ଅର୍ଥ ଯଦିଓ ବ୍ରିଟେନରୁ ମଞ୍ଜୁର କରାଯାଇଥିଲା କେନାଲ ଖୋଲିବା କାର୍ଯ୍ୟ “ଇଷ୍ଟ ଇଣ୍ଡିଆ ଏରିଗେସନ କେନାଲ କମ୍ପାନୀ” କରୁଥିଲା। ୧୮୬୭ ମସିହାର ଶେଷାର୍ଦ୍ଧରେ ମହାନଦୀ ଓ ବିରୂପା ନଦୀରେ ଲୁହାକବାଟ ନିର୍ମିତ ଦୁଇଟି ବ୍ୟାରେଜ ନିର୍ମାଣ କରାଯାଇଥିଲା। ନଦୀର ପାଣିକୁ ଅଟକାଇ ଜଳସେଚନ ପାଇଁ କେନାଲ ଛଡ଼ାଗଲା। ଜଳସେଚନର ସୁଫଳ ଚାଷକାର୍ଯ୍ୟରେ ପ୍ରତିଫଳିତ ହେଲା। ତେଣୁ କେନାଲ ଖୋଳା କାର୍ଯ୍ୟକୁ ସମ୍ପ୍ରସାରିତ କରାଗଲା। ୧୯୦୦ ମସିହା ସୁଦ୍ଧା କେନାଲ ଖୋଳାପାଇଁ ତତ୍-କାଳୀନ ଇଂଗ୍ରେଜ ସରକାର ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚକରିଥିଲେ। ଅନୁସନ୍ଧାନରୁ ଜଣାଯାଇଛିଯେ ତତ୍-କାଳୀନ ଇଂଗ୍ରେଜ ସରକାର ରାଜ୍ୟର ଉପକୂଳ ଜିଲ୍ଲାରେ ମୁଖ୍ୟକେନାଲ ଓ ଶାଖାନାଳ ଖୋଳିବାପାଇଁ ୧୯୪୧-୪୨ ମସିହା ସୁଦ୍ଧା ମୋଟ ୩ କୋଟି ୧୫ଲକ୍ଷ ୫୩୯୨ ଟଙ୍କା ବିନିଯୋଗକରି ୨୪୩ ମାଇଲ କେନାଲ ଖୋଲିଥିଲେ , ସେହିସବୁ କେନାଲଦ୍ବାରା ମୋଟ ୨ଲକ୍ଷ ୪୫ ହଜାର୬୯ ଏକର ଜମିକୁ ଜଳସେଚନ କରାଯାଇଥିଲା। ସେତେବେଳେ ଗମନା ଗମନ ପାଇଁ ରାସ୍ତାଘାଟର ବିଶେଷ ସୁବିଧା ନଥିଲା । ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ମାଲ ପରିବହନ କରାଯିବା କଷ୍ଟକର ହୋଇ ପଡ଼ୁଥିଲା। କେନାଲ ଖନନ ହେଲେ ଜଳସେଚନର ସୁବିଧା ମିଳିବା ସହିତ ଖୁବ୍ କମ୍ ଖର୍ଚ୍ଚରେ ନୌକା ସାହାର୍ଯ୍ୟରେ ମାଲ ପରିବହନ କରିବାର ଲକ୍ଷ୍ୟ ମଧ୍ୟ ରଖାଯାଇଥିଲା। ସେହି ଲକ୍ଷ୍ୟରଖି ଖନନ୍ ହେଲା କେନ୍ଦ୍ରାପଡ଼ା କେନାଲ, ପଟ୍ଟାମୁଣ୍ଡାଇ କେନାଲ, ତାଳଦଣ୍ଡା କେନାଲ, ମାଛଗାଁ କେନାଲ, ହାଇଲେବୁଲ କେନାଲ, ଯାଜପୁର କେନାଲ, ଗୋବରୀକେନାଲ, ଦୁଧେଇ ଶାଖାନାଳ ଏବଂ ଏହାର ସମସ୍ତ ଶାଖାନାଳ ଖୋଲିବା ପାଇଁ ମୋଟ ୩କୋଟି ୨୩ ଲକ୍ଷ ୧୫ ହଜାର ୮୪୫ ଟଙ୍କା ବିନିଯୋଗ କରାଯାଇଥିଲା। କେନାଲ। ଗୁଡ଼ିକ ଖୋଳାଯିବାପରେ ସେଥିରେ ପ୍ରବାହୀତ ଜଳ ଚାଷଜମିରେ ମାଡ଼ିଲା ଆଉ କେତେକ କେନାଲରେ କମ୍ ଖର୍ଚ୍ଚରେ ଡ଼ଙ୍ଗାରେ ମାଲ ପରିବହନ ସମ୍ଭବ ହେଲା। କେନ୍ଦ୍ର ଓ ରାଜ୍ୟ ସରକାର ଏବେ କୃଷକର ଆୟ ଦ୍ବିଗୁଣିତ କରିବାକୁ ଘୋଷଣା କରିଛନ୍ତି। ଓଡ଼ିଶା ସରକାର ୨୦୧୩-୧୪ ଆର୍ଥିକ ବର୍ଷଠାରୁ କୃଷି ପାଇଁ ପୃଥକ ବଜେଟ କରୁଛନ୍ତି, ମାତ୍ର ବିଟ୍ରିସ ସରକାରଙ୍କ ସମୟରେ ନିର୍ମିତ କେତେକ ପୁରୁଣା କେନାଲ ଗୁଡ଼ିକର ରକ୍ଷଣା ବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସେଥିରେ ଏବେ ଆଉ ଜଳସେଚନ ସମ୍ଭବପର ହୋଇ ପାରୁନାହିଁ। ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କେନାଲ ଗୁଡ଼ିକର ପୁର୍ନରୁଦ୍ଧାର ପାଇଁ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଜରୁରୀ ହୋଇପଡ଼ିଛି। ସେହିପରି କେତେକ କେନାଲର ବନ୍ଧ ଖାଇଯାଇ ଦୃର୍ବଳ ହୋଇ ପଡ଼ିଛିତ, କେତେକ କେନାଲରେ ଦଳ ମାଡ଼ିଯାଇ ଜଳପ୍ରବାହକୁ ରୋକୁଛି। ଅନେକ ମୁଖ୍ୟକେନାଲ ଓ ଶାଖାନାଳ ଗୁଡ଼ିକ ନିୟମିତ ସଫେଇ ଓ ଆବଶ୍ୟକୀୟ ମରାମତି ନହେବାରୁ ସେଥିରେ ଚାଷ ସମୟରେ ଦିଆଯାଉଥିବା ପାଣି ଆଖିର ମୁଣ୍ଡରେ ପହଞ୍ଚୁନାହିଁ, ତଥାପି ଚାଷୀଙ୍କଠାରୁ ଜଳକର ଆଦାୟ କରାଯାଉଛି। ବିପର୍ଯ୍ୟସ୍ତ ହାଇଲେବୁଲ କେନାଲ: କଟକ ଓ କଲିକତା ମଧ୍ୟରେ ଜଳପଥରେ ମାଲ ପରିବହନ ଓ କୃଷିକ୍ଷେତ୍ରକୁ ଜଳସେଚନ ପାଇଁ ୧୮୮୦-୮୧ ମସିହାରେ ହାଇଲେବୁଲ କେନାଲ ଖୋଳିବା କାର୍ଯ୍ୟ ଆରମ୍ଭ କରାଯାଇଥିଲା। କେନାଲ ଖୋଲିବା ପାଇଁ ସେତେବେଳେ ୪୪ ଲକ୍ଷ ୭୪ ହଜାର ୯୪୧ ଟଙ୍କା ମଞ୍ଜୁର କରାଯାଇଥିଲା। ଓଡ଼ିଶାରେ ତିନିଗୋଟି ପର୍ଯ୍ୟାୟରେ କେନାଲର ସମ୍ପ୍ରସାରଣ କରାଯାଇଥିଲାବେଳେ ପଶ୍ଚିବବଙ୍ଗରେ ଦୁଇଟି ପର୍ଯ୍ୟାରେ କେନାଲ ଖୋଳାଯାଇଥିଲା। ୧୮୮୪-୮୪ ସୁଦ୍ଧା ଏହି କେନାଲ ଖୋଲା ସମ୍ପୂର୍ଣ୍ଣ ହୋଇଥିଲା। ସେତେବେଳେ ଗମନା ଗମନ କିମ୍ବା ରେଳପଥର ସୁବିଧା ନଥିବାରୁ ଓଡ଼ିଶାର କେନ୍ଦୁପାଟଣା, ଦାନପୁରରୁ ଆଦି ସ୍ଥାନରୁ ଝୋଟ, କଲିକତା ଚଟକଳକୁ ଏବଂ ବାଲୋଶ୍ବରରୁ ଧୁ୍ଆଁପତ୍ର ଓ ଅନ୍ୟାନ ସାମଗ୍ରୀ ବଡ଼ ବଡ଼ ଡ଼ଙ୍ଗାରେ କଲିକତାକୁ ଯାଉଥିଲା। କଲିକତାରୁ ସେହିପରି ବିଭିନ୍ନ ସାମଗ୍ରୀ ଏହି କେନାଲ ପଥ ବ୍ୟବହାରକରି ଓଡ଼ିଶାକୁ ଆସୁଥିଲା। ୧୯୯୬ ମସିହାରେ ଓଡ଼ିଶା ଓ କଲିକତା ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହେବା ପରେ କେନାଲପଥରେ ମାଲପରିବହନ ବନ୍ଦ ହୋଇଗଲା। ଏହି କେନାଲଟି ସୁବର୍ଣ୍ଣରେଖା ଭଳି ବିଭିନ୍ନ ନଦୀ ସହିତ ସଂଯୋଗ ହୋଇଥିବାରୁ ସମୁଦ୍ରର ଜୁଆରିଆ ପାଣି କେନାଲକୁ ପଶିଆସିବା ଫଳରେ ଜଳସେଚନ ହୋଇପାରଲାନାହିଁ। କାଳକ୍ରମେ କେନାଲ ରକ୍ଷଣା ବେକ୍ଷଣ ନହେବା ଫଳରେ କେନାଲଟି ବିପର୍ଯ୍ୟସ୍ତ ହୋଇଛି। କେନାଲଟିର ପୁର୍ନରୁଦ୍ଧାର ପାଇଁ ଉଦ୍ୟମ ନହେବା ଦୃର୍ଭାଗ୍ୟ ଜନକ ଘଟଣା। କେନ୍ଦ୍ରାପଡ଼ା କେନାଲ: କେନ୍ଦ୍ରାପଡ଼ା କେନାଲର ଖୋଳାକାମ ୧୮୬୬ ମସିହାରେ ଆରମ୍ଭ ହୋଇଥିଲା। ବିରୁପା ଆନିକଟରୁ ମାର୍ଶାଘାଇ ପର୍ଯ୍ୟନ୍ତ ପ୍ରାୟ ୨୪୧ କିଲୋ ମିଟର ଲମ୍ବ ଏହି କେନାଲ ଓ ଶାଖାନାଳ ଖୋଳା କାମ ମେ ୧୮୬୯ ମସିହାରେ ଶେଷ ହୋଇଥିଲା। କେନ୍ଦ୍ରାପଡ଼ା କେନାଲ ଓ ଏହାର ଶାଖାନାଳ ଜରିଆରେ ୨୯ ହଜାର ହେକ୍ଟର ଚାଷ ଜମିରେ ଜଳସେଚନର ବ୍ୟବସ୍ଥା କରାଯାଇଲା। ଏହି କେନାଲରେ ନୌପରିବହନ ପାଇଁ ବାରବୋଡ଼ିଆ, କେନ୍ଦୁପାଟଣା, ଲୋକନାଥପୁର, ବାସୁପୁର, କଳପଡ଼ା, ମାର୍ଶାଘାଇ, ଜମ୍ବୁ, ସହିତ ଜଗତପୁର ଠାରେ କେନାଲରେ ଲକ୍ ରହିଥିଲା। ମାଲବାହୀ ଡ଼ଙ୍ଗାଗୁଡ଼ିକ ଶୁଳ୍କ ଦେଇ ଲକ୍ ପାର ହେଉଥିଲେ। ରାସ୍ତାଘାଟ ନିର୍ମାଣ ହୋଇଯିବାପରେ ଆଉ ନୌପରିବହନ ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯାଇଛି। କେନାଲର ରକ୍ଷଣା ବେକ୍ଷଣ ଅଭାବରୁ ଅନେକ ସ୍ଥାନରେ ଦଳ ମାଡ଼ିଗଲାଣି ଜଳ ପ୍ରବାହୀତ ହୋଇ ପାରୁନାହିଁ। କେନ୍ଦ୍ରାପଡ଼ା କେନାଲରୁ ବାହାରିଥିବା ଅନେକ ଶାଖାନାଳର ମରାମତି ଅଭାବରୁ ଚାଷଜମିକୁ ପାଣି ମାଡ଼ି ପାରୁନାହିଁ। ୨୯ ହଜାର ହେକ୍ଟର ଚାଷ ଜମି ମଧ୍ୟରୁ ଏବେ ପ୍ରାୟ ୧୪ରୁ ୧୫ ହଭାର ହେକ୍ଟର ଜମିରେ ପାଣି ମାଡ଼ୁଛି। ଅବଶିଷ୍ଟ ଜମିରେ ପାଣି ମାଡ଼ୁନହିଁ। ଚାଷୀ ଯେତେ ଦାବୀ କଲେବି କେନାଲ ସଫେଇ ଓ ଚାଷଜମିକୁ ଜଳଯୋଗାଣକଥା ଶୁଣିବାକୁ କେହିନାହିଁ। କେନାଲର ଆବଶ୍ୟକୀୟ ମରାମତି ନହେବା ଏବଂ ଗମନା ଗମନର ସୁବିଧା ହୋଇଯିବା ପରେ ଏହି କେନାଲ ଗୁଡ଼ିକରେ ଆଉ ମାଲ ପରିବହନ ହେଉନାହିଁ। ପଟ୍ଟମୁଣ୍ଡାଇ କେନାଲ:, ବିରୂପାନଦୀ ଆନିକଟରୁ ବାହାରିଥିବା କେନ୍ଦ୍ରାପଡା କେନାଲର ପ୍ରାୟ ୮୦୦ ମିଟର ତଳକୁ ଜଗତପୁରଠାରୁ ପଟ୍ଟାମୁଣ୍ଡାଇ କେନାଲ ବାହାରିଛି। ୮୦.୫ କିଲୋମିଟର ଲମ୍ବ ଏହି କେନାଲଟି ଇନ୍ଦୁପୁର ଦେଇ ଅଳଭା ଠାରେ ଗୋବରୀରେ ମିଶିଛି। ଜଗତପୁରଠାରୁ ଅଳଭା ପର୍ଯ୍ୟନ୍ତ ବ୍ୟାପକ ଅଞ୍ଚଳ ଜଳସେଚନ କରୁଥିବା ସହିତ ବିରୁପା-ଗେଙ୍ଗୁଟି ଦ୍ବିପାଞ୍ଚଳରେ ୨୮୬୯ ହେକ୍ଟର ଜମିକୁ ଚାଷପାଇଁ ଜଳଯୋଗାଣର ବ୍ୟବସ୍ଥା ରହିଛି। ସେହିପରି ଅନ୍ୟ ସମସ୍ତ କେନାଲ ଗୁଡ଼ିକରେ ଚାଷଜମିକୁ ଜଳଯୋଗାଣ ପାଇଁ ଆବଶ୍ୟକୀୟ ମରାମତି ଓ ଆଧୁନିକି କରଣ ଆବଶ୍ୟକତା ରହିଛି। ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯିବାର ଆବଶ୍ୟକତା ରହିଛି।
ସେହିପରି ଚାଷଜମିକୁ ଜଳ ଯୋଗାଣ ପାଇଁ ମୁଖ୍ୟକେନାଲରୁ ବାହାରିଥିବା ଶାଖାନାଳ ଗୁଡ଼ିକର ଅନୁରୂପ ଅବସ୍ତା ସୃଷ୍ଟିହୋଇଛି। ପୂର୍ବରୁ ଶାଖାନାଳ ଗୁଡ଼ିକର ରକ୍ଷଣା ବେକ୍ଷଣ ଦାୟିତ୍ବ ଜଳସେଜନ ବିଭାଗ ବୁଝୁଥିଲା। ବ୍ରିଟିସ ସରକାରଙ୍କ ସମୟରେ ପ୍ରତି କେନାଲ କୂଳରେ ଗୋଟିଏ ଗୋଟିଏ ସେକ୍ସନ ଅଫିସ କାର୍ଯ୍ୟକରୁଥିଲା। ସେଥିରେ ଜଣେ ସେକସନ ଅଫିସର, ୧୭ର ରୁ ୨୦ ଜଣ ଖଲାସି, ପେଟ୍ରୋଲ ପଦବୀରେ-୩ ରୁ ୪ଜଣ କର୍ମଚାରୀ ଓ ପିଅନ ରହୁଥିଲେ। ଚାଷ ସମୟରେ କେନାଲରେ ଜଳ ଛଡ଼ାଯିବା ସମୟରେ ପେଟ୍ରେଲ ପଦବୀରେଥିବା କର୍ମଚାରୀ ମାନେ ପେଟ୍ରୋଲିଂ କରି ବନ୍ଧ ଜଗୁଥିଲେ। ଖଲାସି କର୍ମଚାରୀ ମାନେ ପାଣି କିପରି ଚାଷ ଜମିରେ ପହଞ୍ଚିବ ତାହା ଦେଖୁଥିଲେ। ପ୍ରତିବର୍ଷ କେନାଲ ସଫା, ବନ୍ଧ ମରାମତି, କେନାଲ ସଫେଇ ଆଦି କାମ ସେକସନ ଅଫିସର ମାନେ ଦେଖୁଥିଲେ। ସେହି ସବୁ ଅଫିସରୁ କର୍ମଚାରୀ ମାନେ ଅବସର ନେବାପରେ ଖାଲି ପଡ଼ିଥିବା ପଦବୀ ପୁରଣ କରାଯାଉ ନାହିଁ।
ଅନ୍ୟପକ୍ଷରେ ୨୦୧୪ ମସିହାରୁ ସରକାର ପାଣିପଞ୍ଚାୟତ ଗଠନକରି ଜଳସେଚନ ଦାୟିତ୍ବ ଲୋକଙ୍କ ହାତକୁ ଦେଇ ଦେଲେ। ଅଧିକାଶଂ ପାଣିପଞ୍ଚାୟତ ଚାଷୀ ଭିତ୍ତିକ ନହୋଇ ରାଜନୈତିକ ଦୃଷ୍ଟିକୋଣରୁ ଗଠନ କରାଯାଇଛି ବୋଲି ଅଭିଯୋଗ ହୁଏ। ଆମ ଲୋକ ମାନେ ସମୁହ ସ୍ବାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ବାର୍ଥ ପ୍ରତି ଅଧିକ ଗୁରୁତ୍ବ ଦିଅନ୍ତି। କେନାଲ ସଫାପାଇଁ ପ୍ରତିବର୍ଷ ଯେଉଁ ଟଙ୍କା ମିଳିଲା ସେଥିରୁ କେତେ ଟଙ୍କା ଆତ୍ମସାତ କରିହେବ ତାହା ସମସ୍ତେ ଦେଖିଲେ। ଡ଼୍ରୋଜର ପୁରାଇ କେନାଲରୁ ପଟୁ ସଫାକଲେ। ଅଧିକାଂଶ ସ୍ଥାନରେ କେନାଲର ବେଡ଼ (ତଳ) ଚାଷ ଜମିର ଲେବୁଲ (ସ୍ତର) ଠାରୁ ତଳକୁ ଚାଲିଗଲା। ତେଣୁ ବିଲକୁ ପାଣି ଉଠିବ କିପରି? ଅଭିଯୋଗ କଲେ ଶୁଣିବାକୁ କେହି ନାହାନ୍ତି। ଚାଷ ଜମିରେ ପାଣି ମାଡ଼ିବ କିପରି? କୃଷିରେ ଓଡ଼ିଶା ଅତ୍ମନିର୍ଭରଶୀଳ ହେବ କିପରୀ? ଅନ୍ୟପକ୍ଷରେ ଜମିରେ ପାଣି ମାଡ଼ୁନଥିଲେବି ଚାଷୀ ଜଳକର ଦେଇ ଚାଲିଛି। ଚାଷୀର ବିକାଶ ହେବ କିପରି? ଏବେ ଏକଥା କିଏ ବୁଝିବ।