ଦୀପାବଳୀ - ଆଲୋକ ଓ ଆନନ୍ଦର ପର୍ବ :

Nov 12, 2023 - 17:16
 152
ଦୀପାବଳୀ - ଆଲୋକ ଓ ଆନନ୍ଦର ପର୍ବ :

ଭାରତରେ ପାଳିତ ହେଉଥିବା ଅନେକ ପର୍ବପର୍ବାଣୀ ମଧ୍ୟରୁ ଦୀପାବଳୀର ମହତ୍ତ୍ୱ ସ୍ୱତନ୍ତ୍ର । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏହି ଉତ୍ସବକୁ ‘ଆଲୋକ ଆଗମନ ଦିବସ’ ଭାବେ ମହା ସମାରୋହରେ ପାଳନ କରାଯାଏ । ସ୍ଥାନ ଭେଦରେ ଲୋକେ ଏହାକୁ ‘ଦିଓ୍ୱାଲି’ ବା ‘ଦିଆଲି’ ମଧ୍ୟ କହନ୍ତି । ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟା ତିଥିରେ ଏହି ପର୍ବ ପାଳିତ ହୁଏ । ଦୀପାବଳୀର ଅର୍ଥ ପ୍ରଜ୍ଜଳିତ ଦୀପର ସମାହାର ଦ୍ୱାରା କୋଣ ଅନୁକୋଣ ଚତୁର୍ଦ୍ଦିଗ ଆଲୋକମୟ କରିବା ଓ ଅନ୍ଧକାରକୁ ସମ୍ପୂର୍ଣ୍ଣ ରୂପେ ଦୂରୀଭୂତ କରିବା । ଅନ୍ଧକାର ହେଉଛି ଅପବିତ୍ରତା, ଅଜ୍ଞାନ ଓ ପାପର ସୂଚକ -ଆଲୋକ ହେଉଛି ପବିତ୍ରତା, ସଦ୍ଜ୍ଞାନ, ଆନନ୍ଦ ଉଲ୍ଲାସ ଓ ସୁଖ ସମୃଦ୍ଧିର ସୂଚକ । ତେଣୁ ଦୀପାବଳୀହେଉଛି - ଅନ୍ଧକାର ଉପରେ ଆଲୋକର ରାଜତ୍ୱ । 

ଦୀପାବଳୀ ରାତିରେ ଶ୍ରୀ ଲକ୍ଷ୍ମୀ ତଥା ଶ୍ରୀ ଶ୍ୟାମା, ଅର୍ଥାତ୍ ମା’ କାଳୀଙ୍କର ପୂଜନ କରାଯାଏ । ଲକ୍ଷ୍ମୀ ହେଉଛନ୍ତି ଧନର ଅଧିଷ୍ଟାତ୍ରୀ । ଦୀପାବଳୀ ପୂର୍ବରୁ ସମସ୍ତେ ନିଜର ଘରଦ୍ୱାର, ଦୋକାନ, ଅନୁଷ୍ଠାନ ପରିଷ୍କାର ପରିଛନ୍ନ କରି  ଶ୍ରୀଲକ୍ଷ୍ମୀଙ୍କର ପୂଜନ ପାଇଁ ଆୟୋଜନ କରନ୍ତି  । ଦୀପାବଳୀ ଦିନ ଘରକୁ ଫୁଲ, ତୋରଣ ଦ୍ୱାରା ସଜ୍ଜିତ କରାଯାଏ ଓ ସର୍ବତ୍ର ଦୀପ ପ୍ରଜ୍ଜଳିତ କରି ଆଲୋକିତ କରାଯାଏ । ବ୍ୟବସାୟୀମାନେ ପୁରୁଣା ହିସାବ-କିତାବ ସମାପ୍ତ କରି ଏହି ଦିନଠାରୁ ନୂଆଁ ଖାତା ଆରମ୍ଭ କରନ୍ତି । 

ବିଭିନ୍ନ ପୌରାଣିକ ମତ ଓ ଧର୍ମୀୟ ବିଶ୍ୱାସ ସହ, ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ଏକ କୃଷିଭିତ୍ତିକ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ  । ପୂର୍ବକାଳରେ ରୋଗ ପୋକ ଦମନ ପାଇଁ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରାଯାଉଥିଲା । ସେଇଥିପାଇଁ ତ କୁହାଯାଇଛି –“ଅନଳ ଦେଖିଣ ପତଙ୍ଗ, ଧାବନ୍ତି ହୋଇ ଉଦବେଗ”। କାର୍ତ୍ତିକ ମାସର ଅମାବାସ୍ୟା ବେଳକୁ ଅମଳ ଋତୁରେ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଏ । ଅମାବାସ୍ୟା ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ । 

ବିଭିନ୍ନ ସମ୍ପ୍ରଦାୟର ଧାର୍ମିକ ବିଶ୍ୱାସ :  ଖ୍ରୀଷ୍ଟପୂର୍ବ ୫୨୭ରେ ୨୪ତମ ତୀର୍ଥଙ୍କର ମହାବୀରଙ୍କୁ ଏହି ଦିନରେ ନିର୍ବାଣ ପ୍ରାପ୍ତି ହୋଇଥିଲା । ସେହି ଦିନକୁ ସ୍ମରଣ କରିବା ପାଇଁ ଜୈନମାନେ ଦୀପାବଳୀ ପାଳନ କରନ୍ତି । ଶିଖ‌ ଧର୍ମର ଷଷ୍ଠଗୁରୁ ହରଗୋବିନ୍ଦ ସିଂହ ମୋଗଲ ସମ୍ରାଟ ଔରଙ୍ଗଦେବଙ୍କ ଦ୍ୱାରା ବନ୍ଦୀ ହୋଇ କାରା କୋଠରୀରେ ଆବଦ୍ଧ ଥିଲେ । ଏହି ଦୀପାବଳୀ ଦିନ ସେ କାରାମୁକ୍ତ ହୋଇ ଥିବାରୁ, ଏହି ଦିନଟିକୁ ଅନ୍ଧାରରୁ ଆଲୋକ ସନ୍ଧାନ ପ୍ରାପ୍ତିର ଦିବସ ରୂପେ ଶିଖ ସମ୍ପ୍ରଦାୟ ପାଳି ଆସୁଛନ୍ତି । ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀରେ ମା’ କାଳୀଙ୍କ ପୂଜା କରାଯାଏ । ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶାଙ୍କ ପୂଜା କରାଯାଏ ।

କିମ୍ବଦନ୍ତୀ : ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣବଧ ପୂର୍ବକ ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ଅବସରରେ ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ଉଲ୍ଲାସରେ ଆଲୋକ ପ୍ରଜ୍ୱଳିତ କରିଥିଲେ ଏବଂ ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । କଥିତ ଅଛି, ଘନ ଅନ୍ଧକାର କୃଷ୍ଣପକ୍ଷରେ ପ୍ରଭୁ ଶ୍ରୀରାମଙ୍କୁ, ଦୁର୍ଭାଗ୍ୟ କାଳସର୍ପ ରୂପେ ଆସି ଅମା ରାତିରେ ଦଂଶନ କରିବ ବୋଲି  ଜଣେ ଭବିଷ୍ୟଦ୍ରଷ୍ଟା ଭବିଷ୍ୟବାଣୀ କରିଥିଲେ । ସତର୍କତା ପୂର୍ବକ ଅଯୋଧ୍ୟା ନଗରୀରେ କୃଷ୍ଣପକ୍ଷ ରାତି ସାରା ଉଜ୍ଜଳ ଆଲୋକ ପ୍ରଜ୍ଜଳନ କରାଯାଇଥିଲା ଏବଂ କାଳସର୍ପ ଦଂଶନର ଚକ୍ରାନ୍ତ ପଣ୍ଡ ହୋଇଥିଲା । 

ଦୈତ୍ୟରାଜ ବଳି ମହାଦାନୀ ଥିଲେ । ସେ ଏପରି ଦାନ କଲେ ଯେ ସ୍ୱର୍ଗର ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲା - କାଳେ ନିଜ ପୂଣ୍ୟ ବଳରେ ସେ ସ୍ୱର୍ଗପୁରର ଅଧିକାରୀ ହୋଇଯାଇ ପାରନ୍ତି । ଦେବତାମାନଙ୍କ ଅନୁରୋଧ କ୍ରମେ ବିଷ୍ଣୁ ‘ବାମନ ଅବତାର’ ଗ୍ରହଣ କରି ବଳିରାଜଙ୍କୁ ତିନିପାଦ ଭୂମି ମାଗିଥିଲେ । ପ୍ରଥମ ପାଦରେ ପୃଥିବୀ, ଦ୍ଵିତୀୟ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦରେ ବଳି’ଙ୍କୁ ପାତାଳତଳକୁ ଚାପିଦେଲେ ଏବଂ ତାଙ୍କୁ ପାତାଳର ରାଜା କରିଦେଲେ ।  ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦେଖିବା ସକାଶେ ‘ବଳି’ ବର ମାଗନ୍ତେ ବିଷ୍ଣୁ ଏଥିରେ ସମ୍ମତି ଜଣାଇଲେ, ଏବଂ କାର୍ତ୍ତିକ ମାସର ଏହି ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ଅନୁମତି ଦେଲେ । ତେଣୁ ଉକ୍ତ ଦିନକୁ ସ୍ମରଣ କରି ମର୍ତ୍ତ୍ୟବାସୀ ଆନନ୍ଦର ଦୀପ ଜାଳି ଆଲୋକିତ କରନ୍ତି ।  

ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ ଚତୁର୍ଦ୍ଦଶୀ ଦିନ ବଧ କରିଥିଲେ, ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା । ଏହି ଦିନକୁ ‘ନରକ ଚତୁର୍ଦ୍ଦଶୀ’ କୁହଯାଏ । ରାକ୍ଷସ ନରକାସୁରକୁ ମାରି ଚଉଷଠି ସହସ୍ର ରାଜକନ୍ୟାଙ୍କୁ ଉଦ୍ଧାର କଲାପରେ ଶ୍ରୀକୃଷ୍ଣ, ନରକ ଦ୍ୱାରା ଅପହୃତ ମଣିକୁଣ୍ଡଳ ଇନ୍ଦ୍ରମାତାଙ୍କୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧ କ୍ରମେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲାବେଳେ ଇନ୍ଦ୍ରଙ୍କ ସହ ସମସ୍ତ ଦେବତା ବାଧା ଦେବାରୁ, ଶ୍ରୀକୃଷ୍ଣ ଏକାକୀ ସମସ୍ତ ଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହି ଦିବସରେ ଦ୍ୱାରକା ଫେରିଥିଲେ । ତେଣୁ ଦ୍ୱାରକାବାସୀ ପ୍ରଭୁଙ୍କୁ ସ୍ୱାଗତ ଜଣାଇ ସମଗ୍ର ନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । 

ଆମ ରାଜ୍ୟରେ ଦୀପାବଳୀ : ଓଡ଼ିଶାର ସାଂସ୍କୃତିକ ପରମ୍ପରା, ପ୍ରାଚୀନ ମୂଲ୍ୟବୋଧକୁ ରୁଦ୍ଧିମନ୍ତ କରିଥାଏ ଦୀପାବଳୀ ପର୍ବ । ଏହି ଦିବସରେ ପିତୃପୁରୁଷଙ୍କୁ ଦୀପଦାନ କରାଯାଇଥାଏ । ପିତୃପୁରୁଷଙ୍କୁ ଆଖୁ ଖଣ୍ଡ ଆଗରେ ସଳିତା ବାନ୍ଧି ବା କାଉଁରୀ କାଠି ଜାଳି ଆଲୋକ ଦେଖାଉଥିବାରୁ ଏହାକୁ ଅନେକ ‘ଡାଙ୍ଗ ଦେଖା’ ଅମାବାସ୍ୟା କହିଥାଆନ୍ତି । ଏହି ଅବସରରେ ବଡ଼ବଡୁଆଙ୍କୁ ଡକା ଯାଉଥିବାରୁ କିଛି ଅଞ୍ଚଳରେ ଏହା ‘ବଡ଼ବଡୁଆ ଅମାବାସ୍ୟା’ ଭାବେ ପରିଚିତ । ପୂର୍ବପୁରୁଷଙ୍କୁ ସ୍ନେହଶ୍ରଦ୍ଧା ସ୍ୱରୂପ ଏହି ଦିବସରେ ଆଲୋକ ବର୍ତ୍ତିକା ଧରି ଡାକନ୍ତି :

“ବଡ଼ବଡ଼ୁଆ ହୋ !
ଅନ୍ଧାରରେ ଆସି ଆଲୁଅରେ ଯାଅ - ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ,
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ, ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ”

ଏହି ଦିନ ଛଅ ପୁରୁଷଙ୍କୁ ଆବାହନ କରି ପିଣ୍ଡଦାନ କରିବା ସହ କୁହାଯାଏ - “ହେ ପିତୃଲୋକେ, ଆଶ୍ୱିନମାସ ମହାଳୟାରେ ଆଗମନ କରିଥିଲେ, ଦିବ୍ୟ ଆଲୋକର ଆଜିର ଏହି ପବିତ୍ର ଦିବସରେ ପିତୃଲୋକକୁ ପୁନର୍ବାର ଗମନ କରନ୍ତୁ” ।

ଶ୍ରୀମନ୍ଦିରରେ ଦୀପାବଳୀ - ହିନ୍ଦୁ ଧର୍ମ ଅନୁସାରେ ଯେମିତି ସାଧାରଣ ଲୋକମାନେ କାର୍ତ୍ତିକ ଅମାବାସ୍ୟା ତିଥିରେ ନିଜ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣା’ଦି ଦୀପଦାନ କରିଥାଆନ୍ତି, ଠିକ୍ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଲ ପ୍ରତିପଦା ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାଆନ୍ତି । ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାଆନ୍ତି ମହାପ୍ରଭୁ । ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ସହ, ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ଦେବକୀ, ବାସୁଦେବ,ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁମହାପ୍ରଭୁ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି । ଏହି ଦିନ ଗୁଡ଼ିକରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରିବା ସହ, ମହାଦୀପ ପ୍ରଜ୍ୱଳିତ ହୋଇଥାଏ । ତେଣୁ ଏହାକୁ ‘ଦେବ ଦୀପାବଳୀ’ କୁହାଯାଏ । ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାଆନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ହାତ, ଶ୍ରୀବଳଭଦ୍ର ୧୪ହାତ ଓ ଦେବୀ ସୁଭଦ୍ରା ୧୨ହାତ ଲମ୍ବ ବିଶିଷ୍ଟ ସୂତା ବସ୍ତ୍ର ବା ନାଗପୁରୀ ବସ୍ତ୍ର ପରିଧାନ କରିଥାଆନ୍ତି ।

ଦୀପାବଳୀର ଏହି ପବିତ୍ର ଅବସରରେ କେବଳ ମାଟିର ଦୀପ ନୁହେଁ, ଆତ୍ମା ରୁପୀ ଚୈତନ୍ୟ ଦୀପ ପ୍ରଜ୍ଜଳିତ କରି ପରମାତ୍ମାଙ୍କର ଦିବ୍ୟ ଆଲୋକରେ ପ୍ରଜ୍ୱଳିତ ହେବା ସକାଶେ ଆମେ ସମସ୍ତେ ବିନମ୍ର ପ୍ରାର୍ଥନା କରିବା : “ତମସୋ ମାଂ ଜ୍ୟୋତିର୍ଗମୟ”-  “ହେଜ  ଭଗବାନ ମୋତେ ଅନ୍ଧକାରରୁ ଆଲୋକକୁ ନେଇଯାଅ” ।