ଯୁଦ୍ଧ ବିରାମ ପାଇଁ ଭାରତ ମଧ୍ୟସ୍ଥତା କରୁ
( ବିଶ୍ୱ ଶାନ୍ତି ଓ ଜୟ ଜଗତ ଶୀର୍ଷକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରରେ ମତପ୍ରକାଶ)
ଭୁବନେଶ୍ୱର ତା ୧୫.୧୧.୨୦୨୩ : ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ ତଥା ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଭାରତରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୪୧ ତମ ପୁଣ୍ୟତିଥି ପାଳନ ଅବସରରେ "ବିଶ୍ଵଶାନ୍ତି ଓ ଜୟ ଜଗତ" ଶୀର୍ଷକ ଏକ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି। ବିନୋବା ସେବା ପ୍ରତିଷ୍ଠାନ ଓ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀରେ ଅନୁଷ୍ଠିତ ଏହି ଆଲୋଚନାରେ ବିଶିଷ୍ଟ ଶିକ୍ଷାବିତ ଡ଼ଃ ଭଗବାନ ପ୍ରକାଶ ଅଧ୍ୟକ୍ଷତା କରିଥିଲେ। ବିଶ୍ୱଗୁରୁ ଭାବେ ଭାରତ ବିଶ୍ୱରେ ଲାଗିଥିବା ଯୁଦ୍ଧ ବିରାମ ପାଇଁ ମଧ୍ୟସ୍ଥତା କରୁ ବୋଲି ସେ କହିଥିଲେ ।ବିନୋବା ସେବା ପ୍ରତିଷ୍ଠାନ ଓ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ମନୋଜ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରି ବିନୋବା ଭାବେଙ୍କ ସ୍ୱାଧୀନତା ଆନ୍ଦୋଳନ ଓ ସ୍ୱାଧୀନତା ପରେ ଦେଶକୁ ସ୍ୱାବଲମ୍ବନ ଗଢିବାରେ ତାଙ୍କର ବଳିଷ୍ଠ ଭୂମିକାକୁ ସ୍ମୃତି ଚାରଣ କରିବା ସହ ସମ୍ମିଳନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉଲ୍ଲେଖ କରିଥିଲେ।ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତ୍ରିପାଠୀ ଦେଶର ୨୪ଭାଗ ଲୋକ ଭୂମିହୀନ ଅଟନ୍ତି ଓ ମାତ୍ର ଏକ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୪୦ ପ୍ରତିଶତ ସମ୍ପତ୍ତି ଅଛି ଯାହା ଗାନ୍ଧୀ ବିନୋବା ଙ୍କ ବିଚାରର ପରିପନ୍ଥୀ ବୋଲି କରିଥିଲେ। ଗାନ୍ଧୀ ଓ ବିନୋବା ଭାବେଙ୍କ ବିଚାର ଧାରା ସର୍ବକାଳୀନ ଅଟେ ଏବଂ ପ୍ରତ୍ୟେକ ମନୁଷ୍ୟ ଆତ୍ମସମୀକ୍ଷା କରିବା ସମୟ ଆସିଛି ସେ ବୋଲି କହିଥିଲେ । ମଣିଷ ଭାଵନାର ପରିବର୍ତ୍ତନରେ ହିଁ ସମାଜର ପରିବର୍ତ୍ତନ ହେଇପାରିବ ବୋଲି ଅନ୍ୟତମ ସମ୍ମାନିତ ଅତିଥି ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢ଼ାଲି କହିଥିଲେ। ବିଶ୍ୱର ପ୍ରତ୍ୟେକ ଦେଶ ତାଙ୍କର ଡିଫେନସ ବଜେଟ ବଢ଼ାଇ ଚାଲିଛନ୍ତି ଯାହା ଚିନ୍ତାର ବିଷୟ ଅଟେ ବୋଲି ସେ କହିଥିଲେ। ପ୍ରତ୍ୟେକ ମହିଳାଙ୍କ ନାମରେ ଜମି ପଟ୍ଟା ରହିବା ଆବଶ୍ୟକ। ଏହା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସୃଷ୍ଟି କରିବା ସହିତ ଆତ୍ମନିର୍ଭର ହେବାରେ ସହାୟକ ହୋଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ବୋଲି ସମାଜ ବିଜ୍ଞାନୀ ତଥା ମହିଳା ଆତ୍ମ ନିର୍ଭର ଅଭିଯାନ ର ଅଧ୍ୟକ୍ଷା ଡ଼ଃ ରୀନା ରାଉତରାୟ ଉପସ୍ଥିତ ମହିଳା ମାନଙ୍କୁ ପ୍ରେରଣା ଦେଇଥିଲେ। ସାମ୍ବାଦିକ ତଥା ଯୁବ ଉଦ୍ୟୋଗୀ ଶ୍ରୀ ନୃସିଂହ ନାଥ ନନ୍ଦ ଯୁବ ପୀଢ଼ିଙ୍କ ଆହ୍ବାନ ଦେଇ କହିଥିଲେ ଯେ ସମାଜର ପରିବର୍ତ୍ତନ ପାଇଁ ଯୁବକ ମାନଙ୍କୁ ଆଗକୁ ଆସିବା ଦରକାର। ବିନୋବା ଭାବେଙ୍କ ବିଚାରଧାରା ଅନୁସରଣ କରି ପରିବର୍ତ୍ତନର ବାହକ ହେବା ଉଚିତ।
ପ୍ରତିଷ୍ଠାନର ସଂଯୋଜକ କାଳୀଚରଣଙ୍କ ସିଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଚ୍ଚିଦାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନିଳାଞ୍ଚଳ ପାତ୍ର, ସଂଗ୍ରାମ ସାମନ୍ତରାୟ, ମିନିରାଣୀ ସିଂ, ନିହାରରଞ୍ଜନ ସ୍ୱାଇଁ, ସୁକାନ୍ତ ରାଉତ, ଜଟାଧାରୀ ପ୍ରଧାନ, ବିଶ୍ୱଜିତ ଭୋଇ, ସରୋଜ ବିଶ୍ୱାଳ, ଭଗବାନ ଦାସ ଓ କଳିଙ୍ଗ ଆଡ଼ଭାଂଶ ପବ୍ଲିକ ସ୍କୁଲ କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସର୍ବସମ୍ମତି କ୍ରମେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ଦସ୍ତଖତ ସମ୍ବଳିତ ପତ୍ର ମାଧ୍ୟମରେ ଯୁଦ୍ଧ ବିରତି ପାଇଁ ଭାରତ ମଧ୍ୟସ୍ଥତା କରୁ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା।