ବୃଦ୍ଧ ବ୍ୟକ୍ତିଙ୍କୁ ରକ୍ତଦାନ କରି ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

Jan 11, 2024 - 15:55
 69
ବୃଦ୍ଧ ବ୍ୟକ୍ତିଙ୍କୁ ରକ୍ତଦାନ କରି ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର: ଜଣେ ବୟସ୍କ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଖଣ୍ଡହାଟ ଗ୍ରାମର ସ୍ୱର୍ଗତ ବୃନ୍ଦାବନ ପ୍ରଧାନଙ୍କ ପୁଅ ବିଷ୍ଣୁ ପ୍ରଧାନ (୬୫ବର୍ଷ)ଗୁରୁତର ରକ୍ତହୀନତା ସହିତ କ୍ରୋନିକ କିଡନୀ ରୋଗରେ ପୀଡ଼ିତ ହୋଇ ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ସେଠାରେ ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କର ଚିକିତ୍ସା କରୁଥିବା ଡା.ଏ.କେ ରାଉତ ତୁରନ୍ତ ଏ’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଏହି ସମୟରେ ଉକ୍ତ ଡାକ୍ତରଖାନାରେ ସମାନ ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ଚିନ୍ତିତ ହୋଇପଡ଼ିଥିଲେ । ସମାନ ସମୟରେ ଚାରମାଳ ଅଂଚଳରୁ ଏକ ୧୦୮ ଆମ୍ବୁଲାନ୍ସ ଅନ୍ୟ ଜଣେ ରୋଗୀଙ୍କୁ ନେଇ ରେଢ଼ାଖୋଲ ଡାକ୍ତରଖାନାକୁ ଆସିଥିଲା ଏବଂ ଡାକ୍ତରଖାନାର ଜଣେ କର୍ମଚାରୀ ଉକ୍ତ ଆମ୍ବୁଲାନ୍ସର ସହାୟକ କ୍ଷିତିଶ ପ୍ରଧାନଙ୍କୁ ସେହି ରୋଗୀଙ୍କ ସମ୍ପର୍କରେ ଜଣାଇଥିଲେ । ସୌଭାଗ୍ୟବସତଃ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ଏ’ପଜିଟିଭ ଥିଲା । ତେଣୁ ରୋଗୀଙ୍କ ପରିବାର ଲୋକ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ରକ୍ତଦାନ କରିବା ଲାଗି ଅନୁରୋଧ କରିଥିଲେ । କୌଣସି ପ୍ରକାର ବିଳମ୍ବ ନକରି ଆମ୍ବୁଲାନ୍ସ କର୍ମଚାରୀ କ୍ଷିତିଶ ତୁରନ୍ତ ଆଗେଇ ଆସିଥିଲେ ଏବଂ ରକ୍ତଦାନ କଲେ । ତାଙ୍କର ଏହି ମାନବିକତା ପାଇଁ ଉକ୍ତ ରୋଗୀଙ୍କୁ ଏକ ନୂଆ ଜୀବନ ମିଳିପାରିଛି ।