ଚାରି ଦଶନ୍ଧି ଧରି ପ୍ରତାରଣାର ଶୀକାର, ଓଡ଼ିଶାର ସାମ୍ୱାଦିକମାନଙ୍କୁ ପେନସନ୍ ଓ ସୁରକ୍ଷା ପ୍ରତିଶ୍ରୁତି ପାଣିରେ ଗାର
ରବି ରଥ
ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଦୀର୍ଘବର୍ଷ ଧରି ରାଜ୍ୟର ସାମ୍ୱାଦିକମାନେ ଅବହେଳିତ, ଉପେକ୍ଷିତ ଓ ନିର୍ଯ୍ୟାତିତ ହୋଇ ଆସୁଛନ୍ତି । ବିଭିନ୍ନ ସମୟରେ ସାମ୍ୱାଦିକମାନଙ୍କ ପକ୍ଷରୁ ବିଭିନ୍ନ ସାମ୍ୱାଦିକ ସଂଘ ଦ୍ଵାରା ସମସ୍ୟାର ସମାଧାନ ଲାଗି ବିଭିନ୍ନ ମଞ୍ଚରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇଥିବା ଏବଂ ବିଭିନ୍ନ ଦାବି ଉପସ୍ଥାପିତ କରାଯାଉଥିଲେ ମଧ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ବର୍ଷ ବର୍ଷ ଧରି ବହୁ ବର୍ଷ ବିତିଯାଇଥିଲେ ସୁଦ୍ଧା କୌଣସି ପ୍ରତିକାର କରାଯାଉନାହିଁ । ଯଦିବା ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀମାନେ ବିଭିନ୍ନ ସମୟରେ ସାମ୍ୱାଦିକମାନଙ୍କ ସମସ୍ୟାକୁ ନେଇ ଗଭୀର ଉଦବେଗମାନ ପ୍ରକାଶ କରୁଥିବା ଓ ବାରମ୍ୱାର ନିର୍ଭର ପ୍ରତିଶ୍ରୁତି ଦେଇ ଆସୁଥିଲେ ମଧ୍ୟ ପ୍ରତିଶ୍ରୁତି ସବୁ ପାଣିର ଗାର ସଦ୍ୟଶ ହୋଇଯାଉଥିବା ଯୋଗୁଁ ରାଜ୍ୟର ସାମ୍ୱାଦିକମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ, ନିରାଶ ଓ ହତାଶ ମନୋଭାବ ପ୍ରକାଶ ପାଇବାରେ ଲାଗିଛି ।
ଏପରିକି ଗତ ବିଧାନସଭା ଅଧିବେଶନ ବେଳେ ଅର୍ଥାତ୍? 5.4.2012 ଓ 6.4.2013 ତାରିଖ ଦୁଇଦିନ ଧରି ବିଧାନସଭା ଗୃହରେ ଓଡ଼ିଶାର ସାମ୍ୱାଦିକମାନଙ୍କ ବହୁବିଧ ସମସ୍ୟାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିବା ଓ ସମସ୍ତ ରାଜନୈତିକ ଦଳର ମାନ୍ୟବର ବିଧାୟକମାନେ ଗଭୀର ଉଦବେଗ ପ୍ରକାଶ କରି ରାଜ୍ୟ ସରକାର ସାମ୍ୱାଦିକମାନଙ୍କ ସମସ୍ୟା ଯଥାଶୀଘ୍ର ପୂରଣ କରିବା ପାଇଁ ଦୃଢ଼ ଦାବି କରିବା ପରେ ବାସ୍ତବ ଅବସ୍ଥା ହୃଦୟଙ୍ଗମ କରି ସାମ୍ୱାଦିକମାନଙ୍କ ପାଇଁ ପେନସନର ବ୍ୟବସ୍ଥା, କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ସରକାରୀ ବାସଗୃହ ଯୋଗାଣ, ସାମ୍ୱାଦିକ କଲ୍ୟାଣ ପାଣ୍ଠିର ସରଳୀକରଣ, ସାମ୍ୱାଦିକମାନଙ୍କୁ ସୁରକ୍ଷା ପ୍ରଦାନ ସମେତ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକ ତୁରନ୍ତ ଦୂର କରିବା ଲାଗି ବିଧାନସଭା ଗୃହରେ ମାନ୍ୟବର ବାଚସ୍ପତି ଶ୍ରୀ ପ୍ରଦୀପ କୁମାର ଅମାତ ସରକାର ପଦକ୍ଷେପ ନେବା ପାଇଁ ଏକ ରୁଲିଂ ଦ୍ଵାରା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବିଧାନସଭା ଗୃହରେ ମାନ୍ୟବର ବାଚସ୍ପତି ଯେଉଁ ରୁଲିଂ ଦେଉଛନ୍ତି ତାକୁ ସରକାର ଠିକ୍ ଭାବେ ପାନଳ କରୁନାହାନ୍ତି ବୋଲି ମାନ୍ୟବର ବିଧାୟକମାନେ ମତବ୍ୟକ୍ତ କରି, ଏ ଦିଗରେ ମାନ୍ୟବର ବାଚସ୍ପତି ତୁରନ୍ତ ଧ୍ୟାନ ଦେବା ପାଇଁ ସବୁ ରାଜନୈତିକ ଦଳର ମାନ୍ୟବର ବିଧାୟକମାନେ ଦାବି କରିଥିଲେ । କିନ୍ତୁ ବାଚସ୍ପତିଙ୍କ ରୁଲିଂ ଦେଇଥିଲେ ମଧ୍ୟ ସାମ୍ୱାଦିକମାନଙ୍କ ସମସ୍ୟା ଦୂର କରିବା ଦିଗରେ ସରକାର କାଣିଚାଏ ମଧ୍ୟ ପଦକ୍ଷେପ ନେଇନଥିବା ଯୋଗୁଁ ବିଧାନସଭାର ଆଲୋଚନା ବେଳେ ବାଚସ୍ପତିଙ୍କ ରୁଲିଂକୁ ନେଇ ବାଚସ୍ପତିଙ୍କ ରୁଲିଂ ଫୁସୁକେଇ ନଯାଉ ବୋଲି ଯେଉଁ ଆଶଙ୍କା ପ୍ରକଟ କରିଥିଲେ ଏବେ ସେହି ଆଶଙ୍କା ସତ୍ୟରେ ପରିଣତ ହୋଇଛି ବୋଲି ରାଜ୍ୟର ସାମ୍ୱାଦିକମାନଙ୍କ ମଧ୍ୟରେ ମତ ପ୍ରକାଶ ପାଇବାରେ ଲାଗିଛି ।
ବିଭିନ୍ନ ସମୟରେ ବିଧାନସଭାରେ ଆଲୋଚନା ହୋଇଛି। ସଦସ୍ୟମାନଙ୍କ ଉଦବେଗ ଥିଲା ବାଚସ୍ପତି ଯେଉଁ ରୁଲିଂ ଦେଉଛନ୍ତି ତାକୁ ସରକାର ଠିକ୍ ଭାବେ ପାଳନ କରୁନାହାନ୍ତି । ତେଣୁ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି ଏବଂ ଗୃହର ମର୍ଯ୍ୟାଦା ହାନୀ ହେଉଛି । ବାଚସ୍ପତି ଗତକାଲି ଦେଇଥିବା ନିର୍ଦ୍ଦେଶ ଯେପରି ଠିକ୍ ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ଉଭୟ ଶାସକ ଓ ବିରୋଧୀ ସାହାଯ୍ୟ ଦାବି କରିଥିଲେ ।
ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ ସାମ୍ୱାଦିକମାନଙ୍କ ପ୍ରସଙ୍ଗ ଉଠାଇ କହିଥିଲେ ଯେ, କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉ, ଚଳିତ ଆର୍ଥିକ ବର୍ଷରୁ ପେନସନ୍ ପ୍ରଦାନ, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଓ କଲ୍ୟାଣ ପାଣ୍ଠି ନିୟମ ସରଳୀକରଣ ପାଇଁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମସ୍ତଙ୍କ ଦାବୀ ପୂରଣ କରୁଛନ୍ତି । ସାମ୍ୱାଦିକମାନଙ୍କୁ ଅବହେଳା କରିବା ଆଦୌ ଉଚିତ ନୁହେଁ । ସେ କହିଥିଲେ ଯେ, ସାମ୍ୱାଦିକମାନେ ନ୍ୟାଯ୍ୟ ଦାବି ଉପସ୍ଥାପନ କରୁଛନ୍ତି । ମାନ୍ୟବର ବାଚସ୍ପତି ମଧ୍ୟ ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାଚସ୍ପତିଙ୍କ ଏହି ନିର୍ଦ୍ଦେଶ ଫୁସକି ନଯାଉ । ଏହାକୁ ସରକାର କାର୍ଯ୍ୟକାରୀ କରାନ୍ତୁ । ଅପରାହ୍ନ ଅଧିବେଶନରେ ବିରୋଧୀ ଦଳ ନେତା ଭୁପିନ୍ଦର ସିଂହ ପୁନର୍ବାର ଏହି ପ୍ରସଙ୍ଗ ଉଠାଇ ସରକାର ସାମ୍ୱାଦିକମାନଙ୍କ ଦାବି ଉପରେ କଣ ପଦକ୍ଷେପ ନେଉଚନ୍ତି ତାହା ଜାଣିବାକୁ ଚାହିଁଥିଲେ । ସେ କହିଥିଲେ ଯେ, ବିଧାନସଭା ଅଧିବେଶନ ଆଜି ଶେଷ ହେଉଛି । ସରକାର ସାମ୍ୱାଦିକମାନଙ୍କ ସମସ୍ୟା ପ୍ରତି କେତେ ସମ୍ୱେଦନଶୀଳ ତାହା ପ୍ରକାଶ କରନ୍ତୁ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଥିଲେ ଯେ, ଉଭୟ ପ୍ରିଣ୍ଟ ଓ ଇଲେକ୍ଟେ୍ରାନିକ୍? ଗଣମାଧ୍ୟମର ପ୍ରତିନିଧିମାନେ ଗତ 13 ବର୍ଷ ହେଲା ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ସେମାନଙ୍କୁ ସରକାରୀ ବାସଗୃହ ଯୋଗାଇଦେବା କ୍ଷେତ୍ରରେ ସରକାର ନୂଆ ନୀତି କରାଯିବା ଆଳ କରି ସରକାର ସବୁ ପ୍ରକ୍ରିୟା ବନ୍ଦ ରଖିଛନ୍ତି । କେତେଦିନ ଏମିତି ସରକାର ସାମ୍ୱାଦିକମାନଙ୍କୁ ବାସଗୃହ ସୁବିଧାରୁ ବଂଚିତ କରିବେ ? ଶ୍ରୀ ହରିଚନ୍ଦନ କହିଥିଲେ ଯେ, ପ୍ରଚଳିତ ନୀତି ଅନୁସାରେ ସରକାର ସାମ୍ୱାଦିକମାନଙ୍କୁ ବାସଗୃହ ତୁରନ୍ତ ଯୋଗାଇ ଦିଅନ୍ତୁ ଓ ପେନସନ୍ ପ୍ରଦାନ ସହିତ ସାମ୍ୱାଦିକ କଲ୍ୟାଣ ପାଣ୍ଠିର ନିୟମ ସଂଶୋଧନ କରନ୍ତୁ ।
ଅବସରପ୍ରାପ୍ତ ତଥା ବୟୋବୃଦ୍ଧ ସାମ୍ୱାଦିକମାନଙ୍କୁ ତୁରନ୍ତ ପେନସନ୍ ଦେବା ବ୍ୟବସ୍ଥା କରିବା, ସାମ୍ୱାଦିକମାନଙ୍କ ବୃତ୍ତିଗତ ଓ ସାମାଜିକ ସୁରକ୍ଷା ନେଇ ସ୍ଵତନ୍ତ୍ର ଆଇନ ପ୍ରଣୟନ କରିବା, ସାମ୍ୱାଦିକ ଚିହ୍ନଟ ପ୍ରକିୟା ତୁରନ୍ତ ଶେଷ କରିବା, ସାମ୍ୱାଦିକମାନଙ୍କୁ ବୀମାଭୁକ୍ତ କରିବା, ବ୍ଳକରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ସାମ୍ୱାଦିକମାନଙ୍କୁ ଆବାସିକ ସୁବିଧା ଦେବା, ରାଜ୍ୟରେ ଏକ ପ୍ରେସ୍ ଏକାଡ଼େମୀ ଗଠନ କରିବା, ସାମ୍ୱାଦିକ କଲ୍ୟାଣ ପାଣ୍ଠିକୁ ସରଳୀକରଣ କରିବା ପ୍ରଭୃତି ବିଭିନ୍ନ ଦାବି ନେଇ ବହୁ ବର୍ଷ ହେଲା ସରକାରଙ୍କ ଠାରେ ଦାବି ହୋଇଆସୁଛି ।
ସାମ୍ୱାଦିକ ପେନସନକୁ ନେଇ 40 ବର୍ଷ ଧରି ପ୍ରତାରଣା :
ରାଜ୍ୟର ଅବସରପ୍ରାପ୍ତ ସାମ୍ୱାଦିକମାନଙ୍କୁ ସାମାଜିକ ସୁରକ୍ଷ ପ୍ରଦାନ ଲାଗି ମାସିକ ପେନସନ୍ ଦେବା ସକାଶେ ଦୀର୍ଘ 40 ବର୍ଷ ଧରି ରାଜ୍ୟ ସରକାର ଅବିଚାର କରିଆସୁଛନ୍ତି । ଓଡ଼ିଶା ବ୍ୟତିତ ଦେଶର ବିଭିନ୍ନ ରାଜ୍ୟ ସରକାରମାନେ ସଂପୃକ୍ତ ରାଜ୍ୟର ସାମ୍ୱାଦିକ ତଥା ଅବସରପ୍ରାପ୍ତ ସାମ୍ୱାଦିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଲାଗି ବିଭିନ୍ନ ସୁବିଧା ସୁଯୋଗ ଦେଇ, ବହୁବିଧ ପଦକ୍ଷେପମାନ ନେଇ ଆସିଥିବା, ଏପରିକି ତାମିଲନାଡ଼ୁ ରାଜ୍ୟ ସରକାର ସଂପୃକ୍ତ ରାଜ୍ୟର ସବୁ ଶ୍ରେଣୀର ସାମ୍ୱାଦିକମାନଙ୍କୁ ମାସିକ 5 ହଜାର ଟଙ୍କା ପେନସନ୍ ଦେଉଥିବା ଏବଂ ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସରକାର କେବଳ ସରକାରୀ ସ୍ଵୀକୃତିପ୍ରାପ୍ତ ସାମ୍ୱାଦିକମାନଙ୍କୁ ମାସିକ 2 ହଜାର ଟଙ୍କା ପେନସନ୍ ଦେଇ ଆସୁଛନ୍ତି । ତେବେ ଓଡ଼ିଶା ରାଜ୍ୟ ସରକାର ବିଗତ 40 ବର୍ଷ ଧରି ଅବସରପ୍ରାପ୍ତ ସାମ୍ୱାଦିକମାନଙ୍କୁ ପେନସନ ଦେବା କ୍ଷେତ୍ରରେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ଆସୁଛନ୍ତି ।
1975 ମସିହା ଠାରୁ 2013 ମସିହା ପର୍ଯ୍ୟନ୍ତ ଦୀର୍ଘ 38 ବର୍ଷ ଧରି ରାଜ୍ୟରେ ଏକ ସାମ୍ୱାଦିକ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ସାମ୍ୱାଦିକ ସଂଗଠନ ପକ୍ଷରୁ ଲଗାତାର ଦାବି ହୋଇଆସିଛି । 1981 ମସିହା ଠାରୁ 2000 ମସିହା ମଧ୍ୟରେ ଚାରି ଚାରି ଜଣ ମୁଖ୍ୟମନ୍ତ୍ରୀ ଏଥିପାଇଁ ପ୍ରତିଶ୍ରୁତି ଦେଇଆସିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ସର୍ବପ୍ରଥମେ 1981 ମସିହାରେ ତା. 15.3.1981 ରିଖରେ ଭୁବନେଶ୍ଵର ଠାରେ ଅନୁଷ୍ଠିତ ଉକଳ ସାମ୍ୱାଦିକ ସଂଘର 28ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତକାଳୀନ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଅବସରପ୍ରାପ୍ତ ସାମ୍ୱାଦିକମାନଙ୍କୁ ପେନସନ ଦେବା ପାଇଁ ପଦକ୍ଷେପ ନେଉଛନ୍ତି ଓ ଏହା ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । 1991 ମସିହାରେ ତା. 12.1.1991 ରିଖ ତକାଳୀନ ରାଜ୍ୟ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଆସିକା ଚିନିଶିଳ୍ପ ଅତିଥି ଭବନରେ ଅନୁଷ୍ଠିତ ମିଟ୍ ଦି ପ୍ରେସ୍? କାର୍ଯ୍ୟକ୍ରମରେ ଓଡ଼ିଶାର ପେସାଦାର ସାମ୍ୱାଦିକମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପେନସନ୍? ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଥିଲେ । 2000 ମସିହାରେ ନୂଆବର୍ଷ ଉପଲକ୍ଷେ 1.1.2000 ତାରିଖରେ ତକାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ହେମାନନ୍ଦ ବିଶ୍ଵାଳ ଏକ ସରକାରୀ ବିଜ୍ଞପ୍ତିରେ (ବିଭିନ୍ନ ସମ୍ୱାଦପତ୍ରରେ ବିଜ୍ଞାପନ ରୂପେ ପ୍ରକାଶ ପାଇଥିଲା) ସାମ୍ୱାଦିକ ପେନସନ୍ ଯୋଜନା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଘୋଷଣା କରିଥିଲେ । ତେବେ ଏସବୁ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଥିଲା । ସେହି 2000 ମସିହା ତା. 1.5.2000 ତାରିଖରେ ମଇ ମାସ 1 ତାରିଖରେ ବିଶ୍ଵ ଶ୍ରମିକ ଦିବସ ଉପଲକ୍ଷେ ଭୁବନେଶ୍ଵର ଠାରେ ଉକଳ ସାମ୍ୱାଦିକ ସଂଘ ପକ୍ଷରୁ ଅନୁଷ୍ଠିତ ଶ୍ରମିକ ଦିବସ ଉତ୍ସବରେ ତକାଳୀନ ମୁଖ୍ୟମନ୍ତ୍ରୀ ତଥା ଆଜିର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସାମ୍ୱାଦିକମାନଙ୍କ ପାଇଁ ପେନସନ୍? ଯୋଜନା କାର୍ଯ୍ୟକାରୀ କରିବା ସକାଶେ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ଘୋଷଣା କରିଥିଲେ । ତେବେ ଦୀର୍ଘ 13 ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏଥି ମଧ୍ୟରେ ରାଜ୍ୟର ବହୁ ସାମ୍ୱାଦିକ ବୃଦ୍ଧାବସ୍ଥାରେ ନାନା ପ୍ରକାର ଆର୍ଥିକ ଅନାଟନ ଓ ରୋଗ ବ୍ୟାଧୀରେ ପଡ଼ି ମରି ହଜିଗଲେଣି । ସାମ୍ୱାଦିକମାନଙ୍କ ଲଗାତାର ଦାବି ଫଳରେ ସାମ୍ୱାଦିକମାନଙ୍କୁ ପେନସନ୍ ଦେବା ସକାଶେ ସରକାରୀ ସ୍ତରରେ ଗତ 1.1.2005 ତାରିଖରେ ଏକ ସାମ୍ୱିଧାନିକ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା । ସାମ୍ୱାଦିକଙ୍କୁ ପେନସନ୍ ଦେବା ପରାମର୍ଶଦାତା କମିଟିରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଚେୟାରମ୍ୟାନ୍ ରୂପେ ରହିଥିଲା ବେଳେ ଅର୍ଥ ବିଭାଗ ସଚିବ, ଶ୍ରମ ବିଭାଗର ସଚିବ, ସୂଚନା ଓ ଲୋକ ସଂପର୍କ ବିଭାଗର ସଚିବ ଏବଂ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଏହି ସାମ୍ୱାଦିକ ପେନସନ୍ କମିଟିରେ ସରକାରୀ ସଭ୍ୟ ରୂପେ ନିଯୁକ୍ତି ପାଇଥିଲା ବେଳେ, ବେସରକାରୀ ସଭ୍ୟ ରୂପେ ଧରିତ୍ରୀର ସଂପାଦକ ତଥାଗତ ଶତପଥୀ, ପ୍ରଜାତନ୍ତ୍ର ପ୍ରଚାର ସମିତିର ଚେୟାରମ୍ୟାନ୍ ଭର୍ତ୍ତୃହରି ମହତାବ, ପ୍ରଗତିବାଦୀରୁ ଲଳିତ ମୋହନ ପାଟ୍ଟଯୋଶୀ, ସମୟରୁ କେନ୍ଦ୍ର ମୁଖ୍ୟ ଅମ୍ୱିକା ପ୍ରସାଦ ଦାଶଙ୍କୁ ନେଇ ଏକ 9 ଜଣିଆ କମିଟି ସରକାର ଗଠନ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ଗଠିତ ଏହି କମିଟି ସଂପର୍କରେ ସୂଚନା ଓ ଲୋକ ସଂପର୍କ ବିଭାଗର ନୋଟିଫିକେସନ୍ ନଂ.27082-ପିସି/33/2005 ଆଇପିଆରରେ ଘୋଷଣା କରାଯାଇଥିଲା ବେଳେ ରାଜ୍ୟ ସରକାରଙ୍କ ଅତିରିକ୍ତ ଓଡ଼ିଶା ଗେଜେଟରେ ମଧ୍ୟରେ ପ୍ରକାଶ ପାଇଥିଲା । ରାଜ୍ୟର ଅବସରପ୍ରାପ୍ତ ସାମ୍ୱାଦିକମାନଙ୍କୁ ସରକାର ପେନସନ୍ ଦେବା ପାଇଁ, ଏହି ପରାମର୍ଶଦାତା କମିଟି ଗଠନ କରିଥିଲେ ମଧ୍ୟ ଗଠିତ କମିଟିର ଆନ୍ତରିକତା ଅଭାବରୁ ଏହା ସ୍ଥାରୁ ପାଲଟିଗଲା ।
ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ ସାମ୍ୱାଦିକ ସଂଗଠନ ପକ୍ଷରୁ ପୁଣି ପେନସନ ଯୋଜନାକୁ ନେଇ ଦାବି ହେବା ଫଳରେ 22.5.2007 ତାରିଖରେ ତକାଳୀନ ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ଦେବାଶିଷ ନାୟକଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ସାମ୍ୱାଦିକମାନଙ୍କୁ ଦିଆଯାଉଥିବା ପେନସନ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ପେନସନ୍ ସଂପର୍କରେ ଅନୁଧ୍ୟାନ କରି ଫେରିଥିଲେ । ତେବେ କ୍ଷୋଭର କଥା କମ୍ପୁ୍ୟଟର ମାଧ୍ୟମରେ ୱେବସାଇଟ୍ ଦ୍ଵାରା ବିଭିନ୍ନ ରାଜ୍ୟରେ ସାମ୍ୱାଦିକମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ସଂପର୍କରେ ତତ୍?କ୍ଷଣାତ୍? ଉପଲବ୍ଧି ହେଉଥିଲେ ମଧ୍ୟ ଓଡ଼ିଶା ସରକାର ତାହା ନକରି ଅଯଥା ସରକାରୀ ଅର୍ଥ ଶ୍ରାଦ୍ଧ କରି ବିଭାଗୀୟ ମନ୍ତ୍ରୀଙ୍କ ନେତୃତ୍ଵରେ ଏକ ପ୍ରତିିନିଧି ଦଳ ବିଭିନ୍ନ ରାଜ୍ୟ ଗସ୍ତ କରି ଫେରିଲେ ଓ ସରକାରଙ୍କ ସେମାନଙ୍କ ଅନୁଧ୍ୟାନ ରିପୋର୍ଟ ମଧ୍ୟ ଦେଲେ । ଅଥଚ ସରକାର କିମ୍ୱା ସରକାରଙ୍କ ପେନସନ୍ କମିଟି କୌଣସି ପଦକ୍ଷେପ ନନେଇ ନୀରବ ରହିଲେ । ପରବର୍ତ୍ତୀ ଅବସ୍ଥାରେ ଗତ 2010-11 ବର୍ଷ ପାଇଁ 2010 ମାର୍ଚ୍ଚ ମାସରେ ଅନୁଷ୍ଠିତ ବିଧାନସଭାର ଆର୍ଥିକ ବଜେଟରେ ରାଜ୍ୟ ସରକାର ସାମ୍ୱାଦିକମାନଙ୍କୁ ପେନସନ୍ ଦେବା ଓ ସ୍ଵାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିବା ସକାଶେ 20 ଲକ୍ଷ ଟଙ୍କା ଆର୍ଥିକ ବଜେଟରେ ପ୍ରଦାନ କଲେ ଅଥଚ ବଜେଟରେ 20 ଲକ୍ଷ ଟଙ୍କା ମଞ୍ଜୁର ହେବାର 3 ବର୍ଷ ବିତିଯାଇଥିଲେ ମଧ୍ୟ ପେନସନ୍ ଯୋଜନା କାର୍ଯ୍ୟକାରୀ ହେଲା ନାହିଁ । ପରବର୍ତ୍ତୀ ଅବସ୍ଥାରେ ସାମ୍ୱାଦିକମାନଙ୍କ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀସ୍ତରୀୟ ବୈଠକ ଖୁବ୍ଶୀଘ୍ର ଡ଼କାଯିବ ବୋଲି ତକାଳୀନ ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଘୋଷଣା କରିଥିଲେ ମଧ୍ୟ ମନ୍ତ୍ରୀସ୍ତରୀୟ ବୈଠକ ଡ଼କାଗଲା ନାହିଁ । 2010 ମସିହା ଡ଼ିସେମ୍ୱର ମାସ 15 ତାରିଖରେ ଅନୁଷ୍ଠିତ ବିଧାନସଭାରେ ସାମ୍ୱାଦିକମାନଙ୍କ ସମସ୍ୟା ତୁରନ୍ତ ଦୂର କରି ପେନସନ୍ ଦେବା ପାଇଁ ବିରୋଧୀ ଦଳ ନେତା ଭୁପିନ୍ଦର ସିଂଙ୍କ ସମେତ ବହୁ ମାନ୍ୟବର ସରକାରୀ ଓ ବିରୋଧ ଦଳର ବିଧାୟକ ବୃନ୍ଦ ବିଧାନସଭାରେ ସରଗରମ ଆଲୋଚନା କରି ସରକାର ତୁରନ୍ତ ଏକ ଗୃହ କମିଟି ଗଠନ କରିବା ପାଇଁ ମଧ୍ୟ ଦାବି କଲେ । ଅଥଚ ସରକାର ସୁଣ୍ଢି କାନ ପରି ସବୁ ଶୁଣି ସବୁ ଜାଣି ଅଜଣା ହୋଇ ରହିଲେ । ଚଷୁକୁଟା ହିଁ ସାର ହେଲା । ରାଜ୍ୟ ସରକାରଙ୍କ ଏହିପରି ନୀରବତା ରାଜ୍ୟର ବହୁ ଅବସରପ୍ରାପ୍ତ ସାମ୍ୱାଦିକମାନଙ୍କ ମନକୁ ଗଭୀର ଆଘାତ ଦେଇଥିଲା ବେଳେ ହତାଶ ମନୋଭାବ ସୃଷ୍ଟି କଲା ।
ରାଜ୍ୟ ସରକାରଙ୍କ ଏପରି ନୀରବତା ଅବଲମ୍ୱନ କରିଥିଲା ବେଳେ ତାମିଲନାଡ଼ୁ ସରକାର ସେହି ରାଜ୍ୟର ସବୁ ଶ୍ରେଣୀର ସାମ୍ୱାଦିକମାନଙ୍କୁ ଅର୍ଥାତ୍ ଖବରକାଗଜର ସଂପାଦକ, ସହ ସଂପାଦକ, ବାର୍ତ୍ତା ସଂପାଦକ, ସାମ୍ୱାଦିକ, ପ୍ରେସ ଫଟୋଗ୍ରାଫର, ପ୍ରୁଫ ରିଡ଼ର ଶ୍ରେଣୀର ସମସ୍ତ ସାମ୍ୱାଦିକମାନଙ୍କୁ ଯେଉଁ ମାନଙ୍କର ବୟସ 58 ବର୍ଷ ହୋଇଥିବ ଏବଂ 20 ବର୍ଷ ସାମ୍ୱାଦିକତା କରିଥିବେ, ସେମାନଙ୍କୁ ତାମିଲନାଡ଼ୁ ସରକାର ମାସିକ 5 ହଜାର ଟଙ୍କା ପେନସନ ଦେଉଛନ୍ତି । ଏହା ବ୍ୟତୀତ ପରିବାର ପେନସନ୍ ଦେବା ସଂଗେ ସଂଗେ 20 ବର୍ଷ କାର୍ଯ୍ୟ କରିଥିବା କୌଣସି ସାମ୍ୱାଦିକ ଯଦି ପ୍ରାଣ ହରାନ୍ତି ତେବେ ତାଙ୍କ ପରିବାରଙ୍କୁ 2 ଲକ୍ଷ ଟଙ୍କା, 15 ବର୍ଷ କାର୍ଯ୍ୟ କରିଥିବା ସାମ୍ୱାଦିକ ଯଦି ପ୍ରାଣ ହରାନ୍ତି ତେବେ 1 ଲକ୍ଷ 50 ହଜାର ଟଙ୍କା, 10 ବର୍ଷ ସାମ୍ୱାଦିକତା କ୍ଷେତ୍ରରେ 1 ଲକ୍ଷ ଟଙ୍କା ଏକ୍ସଗ୍ରାସିଆ ପ୍ରଦାନ କରୁଛନ୍ତି । ତାମିଲନାଡ଼ୁରେ ପେନସନ୍ ପାଇବାକୁ ଯୋଗ୍ୟ ବିବେଚିତ ସାମ୍ୱାଦିକମାନେ ଆବଶ୍ୟକୀୟ ପ୍ରମାଣପତ୍ର ସହ ସିଧାସଳଖ ସେଠିକାର ନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ ବିଭାଗକୁ ଆବେଦନ କରିପାରିବେ ଓ ବିଭାଗୀୟ କର୍ତ୍ତୃପକ୍ଷ ଜିଲ୍ଲାପାଳ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଅଫିସରଙ୍କ ଦ୍ଵାରା ଦରଖାସ୍ତ ଗୁଡ଼ିକର ଯାଞ୍ଚ ପରେ ସେମାନଙ୍କ ସୁପାରିଶ କ୍ରମେ ତାମିଲନାଡ଼ୁ ସରକାର ସବୁ ଶ୍ରେଣୀର ସାମ୍ୱାଦିକମାନଙ୍କୁ ବର୍ତ୍ତମାନ ମାସିକ 5 ହଜାର ଟଙ୍କା ପେନସନ ଦେଇ ଆସୁଛନ୍ତି । ଯାହାକି ତାମିଲନାଡ଼ୁ ସରକାର ସୂଚନା, ପର୍ଯ୍ୟଟନ ଓ ଲୋକସଂପର୍କ ବିଭାଗ ଜିଓ -ଏମ୍ଏସ୍ ନଂ.98 ତା. 17.4.1997ରେ ସରକାରୀ ନୋଟିଫିକେସନ୍?ରେ ଘୋଷଣା କରାଯାଇଛି । ସେହିଭଳି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ପଶ୍ଚିମବଙ୍ଗ ରାଜ୍ୟ ସରକାର ସୂଚନା ଓ ସଂସ୍କୃତି ବିଭାଗ ପକ୍ଷରୁ ନୋଟିଫିକେସନ୍ ନଂ.2725/ଆଇସିଏ ତା. 13.10.2010ରେ ଘୋଷଣା କରାଯାଇଥିବା ନୋଟିଫିକେସନ୍? ନଂ.3219 ଆଇସିଏ ତା. 09.12.2010ରେ ପଶ୍ଚିମବଙ୍ଗ ରାଜ୍ୟରେ କେବଳ ସରକାରୀ ସ୍ଵୀକୃତିପ୍ରାପ୍ତ ସାମ୍ୱାଦିକ, ପ୍ରେସ୍? ଫଟୋଗ୍ରାଫର ଯେଉଁମାନଙ୍କ ବୟସ 60 ବର୍ଷ ହୋଇଥିବ ଏବଂ ସରକାରୀ ସ୍ଵୀକୃତିପ୍ରାପ୍ତ ସାମ୍ୱାଦିକ ଭାବେ ଅନ୍ତତଃ 10 ବର୍ଷ ସାମ୍ୱାଦିକତା କରିଥିବେ ସେମାନଙ୍କୁ 01.04.2006 ମସିହା ଠାରୁ ମାସିକ 2 ହଜାର ଟଙ୍କା ପେନସନ ଦେବା ପାଇଁ ସରକାରୀ ଘୋଷଣା କରାଯାଇ ସେହି ଅନୁକ୍ରମରେ ସମସ୍ତ ସରକାରୀ ସ୍ଵୀକୃତିପ୍ରାପ୍ତ ଅବସରପ୍ରାପ୍ତ ସାମ୍ୱାଦିକମାନଙ୍କୁ 2006 ମସିହାରୁ ମାସିକ 2 ହଜାର ଟଙ୍କା ପେନସନ ଦିଆଯାଉଛି । ଏପରି କ୍ଷେତ୍ରରେ ଓଡ଼ିଶା ରାଜ୍ୟ ସରକାର ସାମ୍ୱାଦିକମାନଙ୍କୁ ପେନସନ୍ ଦେବାକୁ ନେଇ ଦୀର୍ଘ 35 ବର୍ଷ ଧରି ଯେପରି ଟାଳଟୁଳ ନୀତି ଅବଲମ୍ୱନ କରିଆସୁଛନ୍ତି ଏପରିକି 2010 ମସିହା ମାର୍ଚ୍ଚ ମାସର ବଜେଟରେ ସାମ୍ୱାଦିକଙ୍କୁ ପେନସନ ଦେବା ସକାଶେ 20 ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଥିଲେ ମଧ୍ୟ ରାଜ୍ୟର ଅବସରପ୍ରାପ୍ତ ବୃଦ୍ଧ ସାମ୍ୱାଦିକ ମାନଙ୍କୁ କାହିଁକି ଯେ, ପେନସନ୍ ଦିଆଯାଇପାରୁ ନାହିଁ ତାହା ସାମ୍ୱାଦିକ ମହଲରେ ବିସ୍ମୟ ସୃଷ୍ଟି କରିଥିବା ସଂଗେ ସଂଗେ ହତାଶ ମନୋଭାବ ସୃଷ୍ଟି କରିଛି । 2012 ମସିହା ମଇ ପହିଲାରେ ମଇ ଦିବସ ଉପଲକ୍ଷେ କଟକ ପ୍ରେସ କ୍ଲବରେ ଅନୁଷ୍ଠିତ ଶ୍ରମଜୀବୀ ସାମ୍ୱାଦିକମାନଙ୍କ ଏକ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ତତ୍କାଳୀନ ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବହୁ ସାମ୍ୱାଦିକ, ବହୁ ବିଧାୟକ, ବହୁ ଶ୍ରମିକ ନେତାମାନଙ୍କ ଉପସ୍ଥିତିରେ ଘୋଷଣା କରିଥିଲେ ଯେ, ରାଜ୍ୟର ଅବସରପ୍ରାପ୍ତ ପେଷାଦାର ସାମ୍ୱାଦିକମାନଙ୍କୁ ମାସିକ ପେନସନ୍ ପ୍ରଦାନ ବ୍ୟବସ୍ଥା କରିବାକୁ ଆଉ ମାତ୍ର ଦୁଇ ମାସ ମଧ୍ୟରେ ସରକାର ଚୁଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଏଥିମଧ୍ୟରେ 14 ମାସ ବିତିଯାଇଥିଲେ ସୁଦ୍ଧା ତାହା ହାତୀ-ପା-ଫୁ ହେଲା ସିନା ସାମ୍ୱାଦିକ ପେନସନ ଯୋଜନା କାର୍ଯ୍ୟକାରୀ ହେଲା ନାହିଁ କିମ୍ୱା ପେନସନ୍ ଯୋଜନାକୁ ନେଇ କେହି ନାମଗନ୍ଧ ମଧ୍ୟ ନେଲେ ନାହିଁ । ତେବେ ବହୁ ବିଳମ୍ୱରେ ହେଲେ ମଧ୍ୟ ବର୍ତ୍ତମାନ ରାଜ୍ୟ ସରକାର ତାମିଲନାଡ଼ୁ ସରକାର କିମ୍ୱା ପଶ୍ଚିମବଙ୍ଗ ସରକାରଙ୍କ ସାମ୍ୱାଦିକ ପେନସନ୍ ଯୋଜନା ଅନୁଯାୟୀ ସେହି ପଦାଙ୍କ ଅନୁସରଣ କରି ତୁରନ୍ତ ଓଡ଼ିଶାର ଅବସରପ୍ରାପ୍ତ ବୃଦ୍ଧ ସାମ୍ୱାଦିକମାନଙ୍କୁ ପେନସନ୍ ଦେବା ବ୍ୟବସ୍ଥା କରନ୍ତୁ । ବର୍ତ୍ତମାନ ଯେଉଁ ସାମ୍ୱାଦିକମାନେ ବାର୍ଦ୍ଧକ୍ୟ ତାଡ଼ନା, ଉପାର୍ଜନ ଅସମର୍ଥତା ଯୋଗୁଁ ଆର୍ଥିକ ଅନାଟନ, ରୋଗବ୍ୟାଧିରେ ଓ ନାନା ଦୁର୍ଦ୍ଦଶାରେ ବଂଚି ରହିଛନ୍ତି ସେହି ଅବସରପ୍ରାପ୍ତ ସାମ୍ୱାଦିକମାନଙ୍କୁ ତାମିଲନାଡ଼ୁ ସରକାରଙ୍କ ସାମ୍ୱାଦିକ ପେନସନ୍ ଯୋଜନା ଅନୁଯାୟୀ ଯେଉଁମାନେ ଅନ୍ତତଃ 10 ବର୍ଷ ସରକାରୀ ସ୍ଵୀକୃତିପ୍ରାପ୍ତ ସାମ୍ୱାଦିକ ରୂପେ କାର୍ଯ୍ୟ କରିଥିବେ ସେମାନଙ୍କୁ ମାସିକ 5 ହଜାର ଟଙ୍କା ପେନସନ୍ ଦେବା ବ୍ୟବସ୍ଥା ତୁରନ୍ତ କରନ୍ତୁ । ଏହାଛଡ଼ା ରାଜ୍ୟର ସାମ୍ୱାଦିକ ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ତ୍ଵରାନ୍ୱିତ କରାଯାଇ ସାମ୍ୱାଦିକମାନଙ୍କ ନାମତାଲିକା ଘୋଷଣା କରିବା ସଂଗେ ସଂଗେ ସାମ୍ୱାଦିକମାନଙ୍କ ସାମାଜିକ ସୁରକ୍ଷା ପ୍ରଦାନର ବ୍ୟବସ୍ଥା, ସବୁ ଶ୍ରେଣୀର ସାମ୍ୱାଦିକମାନଙ୍କୁ ବ୍ଲକ ଠାରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ସରକାରୀ ବାସଗୃହ ଯୋଗାଇବା ବ୍ୟବସ୍ଥା, ସାମ୍ୱାଦିକମାନଙ୍କ ବୀମା ବ୍ୟବସ୍ଥା, ସାମ୍ୱାଦିକ କଲ୍ୟାଣ ପାଣ୍ଠିର ସରଳୀକରଣ ବ୍ୟବସ୍ଥା, କାର୍ଯ୍ୟକ୍ଷେତ୍ରକୁ ଗଳାବେଳେ ସରକାରୀ ଓ ଘରୋଇ ଯାତ୍ରୀବାହୀ ବସରେ ମାଗଣା ଯାତାୟତର ବ୍ୟବସ୍ଥା, ସରକାର ତୁରନ୍ତ ଅଧୀସ୍ଵୀକୃତି କମିଟି ଗଠନ କରିବା ଓ ସେଥିରେ ବିଭିନ୍ନ ସାମ୍ୱାଦିକ ସଂଗଠନ ଗୁଡ଼ିକର ପ୍ରତିନିଧିମାନଙ୍କୁ କମିଟିର ସଭ୍ୟ ରୂପେ ରଖିବା, ପ୍ରତେ୍ୟକ ସରକାରୀ ହସ୍ପିଟାଲରେ ଅଗ୍ରାଧିକାର ଭିତ୍ତିରେ ମାଗଣା ଚିକିତ୍ସା ବ୍ୟବସ୍ଥା ସହ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକ ତୁରନ୍ତ ଦୂର କରିବା ପାଇଁ ସାମ୍ୱାଦିକ ମାନଙ୍କ ମହଲରେ ଦୃଢ଼ ଦାବି ହୋଇଆସୁଛି । ପୂର୍ବରୁ ରାଜ୍ୟର ସାମ୍ୱାଦିକମାନଙ୍କ ସମସ୍ୟା ଓ ପ୍ରତିକାର ପାଇଁ ଏକ ଖୋଲାଚିଠି ମାଧ୍ୟମରେ ମୁଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ପରବର୍ତ୍ତୀ ସମୟରେ ବର୍ତ୍ତମାନର ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ ଏବଂ ବିରୋଧୀ ଦଳ ନେତା ଶ୍ରୀ ଭୁପୁନ୍ଦର ସିଂହଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ କ୍ଷୋଭର କଥା ଖୋଦ୍ ମୁଖ୍ୟମନ୍ତ୍ରୀ ଓ ସୂଚନା ଏବଂ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ଦ୍ଵୟ ସାମ୍ୱାଦିକମାନଙ୍କ ସମସ୍ୟା ଦୂର କରିବା ଦିଗରେ ପଦକ୍ଷେପ ନେବା ତ ଦୂରର କଥା ମୋ ଦ୍ଵାରା ପ୍ରେରିତ ଖୋଲାଚିଠିର ପ୍ରାପ୍ତି ସ୍ଵୀକାର ମଧ୍ୟ କଲେ ନାହିଁ । ତେବେ ବିରୋଧୀ ଦଳ ନେତା ଶ୍ରୀ ଭୁପିନ୍ଦର ସିଂହଙ୍କ ଠାରୁ ପ୍ରାପ୍ତିସ୍ଵୀକାର ସହ ରାଜ୍ୟର ସାମ୍ୱାଦିକ ମାନଙ୍କ ସମସ୍ୟା ଦୂର କରିବା ଲାଗି ମୋ ଦ୍ଵାରା ପ୍ରେରିତ ଖୋଲାଚିଠିକୁ ସୁପାରିଶ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ମଧ୍ୟ ଦାବି କରିଥିଲେ । କିନ୍ତୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭାଗୀୟ ମନ୍ତ୍ରୀ ଦ୍ଵୟ କୌଣସି ପ୍ରତିକାର କଲେ ନାହିଁ । ସେ ଯାହା ହେଉ ବହୁ ବିଳମ୍ୱରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କୁ ମାନ୍ୟବର ବାଚସ୍ପତି ଶ୍ରୀ ପ୍ରଦୀପ କୁମାର ଅମାତ ରାଜ୍ୟର ସାମ୍ୱାଦିକମାନଙ୍କ ବିଭିନ୍ନ ସମସ୍ୟା ତୁରନ୍ତ ଦୂର କରିବା ପାଇଁ ରୁଲିଂ ମାଧ୍ୟମରେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ବିଧାନସଭାର ଗାରିମା ଏବଂ ବାଚସ୍ପତିଙ୍କ ରୁଲିଂକୁ ସମ୍ମାନ ଦେଇ ଯଥାଶୀଘ୍ର ପଦକ୍ଷେପ ନେଲେ ଦୀର୍ଘଦିନ ଧରି ଅବହେଳିତ, ଉପେକ୍ଷିତ ସାମ୍ୱାଦିକମାନେ ଉପକୃତ ହୁଅନ୍ତେ ଓ ଅନ୍ୟ ରାଜ୍ୟର ସାମ୍ୱାଦିକମାନଙ୍କ ସହ ଆମ ରାଜ୍ୟର ସାମ୍ୱାଦିକମାନେ ସମକକ୍ଷ ହୁଅନ୍ତେ ।
ଏଠାରେ ଉଲ୍ଲେଖ କରାଯାଇପାରେ, ଭାରତ ବର୍ଷର 14ଟି ରାଜ୍ୟରେ ସାମ୍ୱାଦିକତ ପେନସନ ବ୍ୟବସ୍ଥା ପ୍ରଚଳନ ହୋଇଛି। ଓଡ଼ିଶାରେ ନୂତନ ଭାବେ ଭାଜପା ନେତୃତ୍ଵରେ ସରକାର ଗଠନ ହେବା ପରେ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସ ଓ ବାଚସ୍ପତି ସୁରମା ପାଢ଼ୀ ଗତ ନଭେମ୍ୱର 16 ତାରିଖ ଜାତୀୟ ପେସ ଦିବସ ପାଳନ ଅବସରରେ ଓଡ଼ିଶାରେ ଖୁବଶୀଘ୍ର ସାମ୍ୱାଦିକ ପେନସନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ପ୍ରକାଶ କରିଥିଲେ । ଅଦ୍ୟାବଧି ଏ ସମ୍ପର୍କରେ କୌଣସି ନିଷ୍କର୍ଷ ବାହାରିପାରିନାହିଁ ।
ସମ୍ପାଦକ -ନବୀନ