ହନିଟ୍ରାପ ନା ମନିଟ୍ରାପ.??

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ହରିୟାଣାର ଜ୍ୟୋତି ମଲାହୋତ୍ରାଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ମଇ ୧୬, ୨୦୨୫ରେ ଗିରଫ କରିବା ପରେ ଓଡ଼ିଶା ସହ ତାଙ୍କର ସମ୍ପର୍କକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।
ଅଭିଯୋଗ ଅନୁଯାୟୀ, ଜ୍ୟୋତି ଭାରତୀୟ ସେନାର ଗତିବିଧି, କ୍ଷେପଣାସ୍ତ୍ର ଘାଟି, ଅସ୍ତ୍ରାଗାର ଓ ପ୍ରତିରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନୀ ଗୁପ୍ତଚର ସଂସ୍ଥା (ISI) କୁ ଯୋଗାଉଥିଲେ। ଜ୍ୟୋତିଙ୍କର ‘Travel with JO’ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି, ଯେଉଁଥିରେ ସେ ଦେଶ-ବିଦେଶର ପର୍ଯ୍ୟଟନ ସ୍ଥଳୀ, ଖାଦ୍ୟ, ସଂସ୍କୃତି ଓ ଜୀବନଶୈଳୀ ଉପରେ ଭିଡ଼ିଓ ପ୍ରସ୍ତୁତ କରି ଅପଲୋଡ୍ କରୁଥିଲେ।
୨୦୨୪ ସେପ୍ଟେମ୍ବରରେ ଜ୍ୟୋତି ଓଡ଼ିଶା ଆସିଥିଲେ । ପୁରୀର ଜଗନ୍ନାଥବଲ୍ଲଭ ମଠରେ ତିନି ଦିନର ରହଣି ଭିତରେ ସେ ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ସହ ପୁରୀ ଜଗନ୍ନାଥ ମନ୍ଦିର, ସମୁଦ୍ର ବେଳାଭୂମି, ଚିଲିକା ଓ ସାତପଡ଼ା ବୁଲିବାକୁ ଯାଇଥିଲେ । ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ଅଭିଯୋଗରେ ପୁରୀ ପୋଲିସ ଜ୍ୟୋତିଙ୍କୁ ଅଟକ କରିଥିଲା, ପରେ ପ୍ରିୟଙ୍କାଙ୍କ ଅନୁରୋଧକ୍ରମେ ତାଙ୍କୁ ଛାଡ଼ି ଦିଆଯାଇଥିଲା।
ଯଦିଓ ଜ୍ୟୋତିଙ୍କ ଭିଡ଼ିଓରେ ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଓଡ଼ିଶାର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ବିଷୟରେ ଆଲୋଚନା କରୁଥିବା ଦେଖାଯାଉଛି, ତେବେ ସେସବୁ ସ୍ଥାନକୁ ପ୍ରକୃତରେ ସେ ଯାଇଛନ୍ତି କି ନାହିଁ, ତାହା ତଦନ୍ତସାପେକ୍ଷ।
ପ୍ରିୟଙ୍କାଙ୍କ ବାପା ରାଜକିଶୋର ସେନାପତିଙ୍କ କହିବା ମୁତାବକ, ସେପ୍ଟେମ୍ବର, ୨୦୨୪ରେ ଜ୍ୟୋତି ଓଡ଼ିଶା ଆସିବା ଅବସରରେ ପ୍ରିୟଙ୍କାଙ୍କ ସହ ତାଙ୍କର ପ୍ରଥମ ଦେଖାସାକ୍ଷାତ ହୋଇଥିଲା । ହେଲେ ଜ୍ୟୋତିଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଉପଲବ୍ଧ ଭିଡ଼ିଓ ଅନୁଯାୟୀ, ପ୍ରିୟଙ୍କା ବିଭିନ୍ନ ସମୟରେ ଜ୍ୟୋତିଙ୍କ ସହ ଦିଲ୍ଲୀ, କେରଳ, ଜମ୍ମୁ କାଶ୍ମୀର ବୁଲିବାକୁ ଯାଇଛନ୍ତି।
ଡିସେମ୍ବର, ୨୦୨୪ରେ ଜ୍ୟୋତି ଓ ପ୍ରିୟଙ୍କା ଉଭୟେ କାଶ୍ମୀରର ପହଲଗାମ, ସୋନମାର୍ଗ, ଗୁଲମାର୍ଗ ଏବଂ କୋକରନାଗ ଏବଂ ବୈସରନ ଘାଟି ବୁଲିବାକୁ ଯାଇଥିଲେ। ମାର୍ଚ୍ଚ, ୨୦୨୫ରେ ଉଭୟ କର୍ତ୍ତାରପୁର କରିଡର ଦେଇ ପାକିସ୍ତାନ ଗସ୍ତ କରିଥିଲେ ।
ଏସବୁ ଗସ୍ତ ସମୟରେ ଉଭୟେ ବିଳାସପୂର୍ଣ୍ଣ ହୋଟେଲରେ ରହୁଥିଲେ, ଫ୍ଲାଇଟରେ ଯାତ୍ରା କରୁଥିଲେ, ଦାମୀ ଗାଡ଼ି ଚଢ଼ୁଥିଲେ । ଉଭୟଙ୍କ ୟୁଟ୍ୟୁବ ଚ୍ୟାନେଲର ଆୟକୁ ପାଞ୍ଚ ଥର ମିଶାଇଲେ ମଧ୍ୟ ଏଭଳି ସୌଖିନ ଜୀବନଚର୍ଯ୍ୟା ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ।
ପ୍ରଶ୍ନ ଉଠେ, ଏତେ ଟଙ୍କା ଆସୁଥିଲା କେଉଁଠୁ.?
୧. ପ୍ରିୟଙ୍କା ଯୁକ୍ତ ତିନି ବର୍ଷର ଛାତ୍ରୀ। ତାଙ୍କର ନିଜସ୍ୱ କୌଣସି ଆୟର ସ୍ରୋତ ନଥିଲା। ୟୁଟ୍ୟୁବ ଚ୍ୟାନେଲରୁ ମଧ୍ୟ ସେ ବିଶେଷ ଲାଭବାନ ହୋଇପାରିନାହାନ୍ତି। ତେବେ କେବଳ ଭିଡ଼ିଓ କରିବା ପାଇଁ ସେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଭାରତର ପ୍ରାୟ ସବୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରୁଥିଲେ.???
୨. କାହା ପ୍ରରୋଚନାରେ ଏବଂ କାହିଁକି ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ବ୍ଲଗିଂ ପାଇଁ ବାଛିଥିଲେ ପ୍ରିୟଙ୍କା.? କାହା ଇଙ୍ଗିତରେ ସେ ପାକିସ୍ତାନର ଭୁରି ଭୁରି ପ୍ରଶଂସା କରୁଥିଲେ.?
ଏଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରିବା ସ୍ୱାଭାବିକ। ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଫୋଟୋ ଓ ଭିଡ଼ିଓକୁ ଦେଖିଲେ ଜ୍ୟୋତି ଓ ପ୍ରିୟଙ୍କାଙ୍କ ବନ୍ଧୁତା ଖୁବ ନିବିଡ଼ ଏବଂ ଘନିଷ୍ଠ ମନେ ହୁଏ। ତେଣୁ ପ୍ରିୟଙ୍କା ନିଜକୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଦାବି କରିବା ଆଦୌ ଗ୍ରହଣୀୟ ନୁହେଁ। ତଥାପି ଅଧିକ ତଦନ୍ତ ହେଉ, ସତ୍ୟାସତ୍ୟ ପଦାକୁ ଆସୁ।
.............................................................................
।।ଜ୍ୟୋତି ମଲହୋତ୍ରା ।।
ଏପ୍ରିଲ, ୨୦୨୩ ବୈଶାଖୀ ଉତ୍ସବରେ ଯୋଗ ଦେବା ପାଇଁ ଜ୍ୟୋତି ପ୍ରଥମ ଥର ପାକିସ୍ତାନ ଗସ୍ତ କରିଥିଲେ । ଏହି ଅବସରରେ ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନରଙ୍କ ଅଫିସକୁ ଭିସା ପାଇଁ ଯାଇଥିବା ସମୟରେ ସେଠାରେ ତାଙ୍କର ଏହସାନ-ଉର-ରହିମ ଓରଫ୍ ଡାନିଶ ସହ ପରିଚୟ ହୋଇଥିଲା । ଏହା ପରେ ଜ୍ୟୋତି ବାରମ୍ବାର ହାଇକମିଶନର ଅଫିସକୁ ଯିବା ଆସିବା କରୁଥିଲେ । ଡାନିଶଙ୍କ ସହ କ୍ରମଶଃ ତାଙ୍କର ବନ୍ଧୁତା ବଢ଼ିବାକୁ ଲାଗିଥିଲା । ପରବର୍ତ୍ତୀ ସମୟରେ ଡାନିଶ ଜ୍ୟୋତିଙ୍କୁ ଅନ୍ୟ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କ ସହ ପରିଚୟ କରାଇଥିଲେ ।
ଏପ୍ରିଲ, ୨୦୨୪ ପୁଣିଥରେ ବୈଶାଖୀ ଉତ୍ସବରେ ଯୋଗଦେବା ପାଇଁ ଜ୍ୟୋତି ପାକିସ୍ତାନ ଗସ୍ତ କରିଥିଲେ। ଏହା ଥିଲା ତାଙ୍କର ଦ୍ବିତୀୟ ଗସ୍ତ, ହେଲେ ଏଥର ସେ ଏପ୍ରିଲ ୧୭ ରୁ ମେ ୨୫, ପ୍ରାୟ ମାସାଧିକ କାଳ ପାକିସ୍ତାନରେ ରହିଥିଲେ। ଏହି ସମୟରେ ସେ ପାକିସ୍ତାନର ପ୍ରମୁଖ ସହର ଭ୍ରମଣ କରି ମନ୍ଦିର, ମସଜିଦ, ରେଳ ଷ୍ଟେସନ, ବସଷ୍ଟାଣ୍ଡ ବଜାର ହାଟ, ଖାଦ୍ୟ ପେୟ ଇତ୍ୟାଦି ଉପରେ ୧୮ରୁ ଉର୍ଦ୍ଧ୍ବ ଭିଡ଼ିଓ ପ୍ରସ୍ତୁତ କରି ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କଲେ।
ତେବେ ମାର୍ଚ୍ଚ, ୨୦୨୫ ସେ ଶେଷ ଥର ପାଇଁ ପାକିସ୍ତାନ ଯାଇଥିଲେ। ଏହି ଅବସରରେ ସେ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ନୱାଜ ସରିଫଙ୍କ ଝିଅ ମରିଅମ୍ ନୱାଜ ଏବଂ ପାକିସ୍ତାନ ଗୁପ୍ତଚର ସଂସ୍ଥାର କିଛି ବରିଷ୍ଠ ଅଧିକାରୀଙ୍କ ସହ ଦେଖା ସାକ୍ଷାତ କରିଥିଲେ ।
ପାକିସ୍ତାନରୁ ଫେରିବା ପରେ ସେ ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇ କମିଶନର ଅଫିସରେ ରମଜାନ ରାତ୍ରିଭୋଜରେ ମଧ୍ୟ ଯୋଗ ଦେଇଥିଲେ ।
ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସିଥିବା ଜ୍ୟୋତି ମାତ୍ର ଦୁଇ ବର୍ଷ ଭିତରେ ପାକିସ୍ତାନ, ବାଂଲାଦେଶ, ଚାଇନା, ନେପାଳ, ଭୁଟାନ, ଦୁବାଇ, ଜାକର୍ତ୍ତା, ଥାଇଲାଣ୍ଡ ଓ ଇଣ୍ଡୋନେସିଆ ଆଦି ଦେଶ ଭ୍ରମଣ କରିବା ଏବଂ ବିଶେଷ କରି ପାକିସ୍ତାନରେ ଉଚ୍ଚପଦସ୍ଥ ଅଧିକାରୀ, ନେତା ଓ ମନ୍ତ୍ରୀଙ୍କ ସହ ସାକ୍ଷାତ କରିବା, ସରକାରୀ ଉତ୍ସବରେ ଯୋଗଦେବା କ'ଣ ସହଜ କଥା.? ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ଓ ରାଜନୈତିକ ପୃଷ୍ଠପୋଷକତା ବିନା କ'ଣ ଏହା ସମ୍ଭବ.?
ମିଳିଥିବା ସୂଚନା ମୁତାବକ, ଜ୍ୟୋତିଙ୍କର ପାକିସ୍ତାନ ହାଇକମିଶନର ଅଧିକାରୀଙ୍କ ସହ ଘନିଷ୍ଠ ସଂପର୍କ ରହିଥିଲା। ନଚେତ୍ ଜଣେ ସାଧାରଣ ୟୁଟ୍ୟୁବରକୁ ପାକିସ୍ତାନ ସରକାର ଅଧିକାରୀସ୍ତରୀୟ ସୁରକ୍ଷା ଓ ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରଶ୍ନ ଉଠୁନି।
ଗସ୍ତ ସମୟରେ ଜ୍ୟୋତି ପାକିସ୍ତାନ ସମ୍ପର୍କରେ ଭୁରି ଭୁରି ପ୍ରଶଂସା କରିବା ସହ ଭାରତୀୟ ନାଗରିକଙ୍କ ମନରେ ପାକିସ୍ତାନକୁ ନେଇ ଏକ ସକାରାତ୍ମକ ଦୃଷ୍ଟିକୋଣ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ । କହିବା ବାହୁଲ୍ୟ, ISI ଜ୍ୟୋତିଙ୍କୁ ବ୍ୟବହାର କରି ଭାରତରେ ପାକିସ୍ତାନ ସପକ୍ଷବାଦୀ ଗୋଷ୍ଠୀ ତିଆରି କରିବା ଏବଂ ସେମାନଙ୍କୁ ଭାରତ ବିରୋଧୀ କାର୍ଯ୍ୟକଳାପରେ ନିୟୋଜିତ କରିବା ଯୋଜନାରେ ଥିଲା ।
ପହେଲଗାମ୍ ଆକ୍ରମଣ ପରେ, ଅପରେସନ ସିନ୍ଦୂର ସମୟରେ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଜ୍ୟୋତି ପାକିସ୍ତାନୀ ଏଜେଣ୍ଟଙ୍କ ସହ ନିୟମିତ ସମ୍ପର୍କରେ ଥିଲେ । ହ୍ୱାଟ୍ସଆପ, ଟେଲିଗ୍ରାମ, ଏବଂ ସ୍ନାପଚାଟ ଜରିଆରେ ସେନାର ଗତିବିଧି, କ୍ଷେପଣାସ୍ତ୍ର ଘାଟିର ଠିକଣା, ଭାରତ ସରକାରଙ୍କ ରଣନୀତି ସମ୍ବନ୍ଧୀୟ ଅନେକ ସମ୍ବେଦନଶୀଳ ତଥ୍ୟ ISI ଏଜେଣ୍ଟମାନଙ୍କ ସହ ସେୟାର କରିଥିବା କଥା ସ୍ବୀକାର କରିଛନ୍ତି।ହେଲେ ଆଶ୍ଚର୍ୟ୍ଯ, ପହେଲଗାମ୍ ଆକ୍ରମଣ ପରେ ଅତି ନିଲ୍ଲଜ ଭାବରେ ସେ ଦେଶବାସୀଙ୍କୁ ଏ ଘଟଣା ପାଇଁ ଦାୟୀ କରୁଥିଲେ, ନିଜକୁ ପରମଦେଶଭକ୍ତ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରୁଥିଲେ ।
ଜ୍ୟୋତିଙ୍କ ସମେତ ହରିଆଣା ଏବଂ ପଞ୍ଜାବରୁ ପ୍ରାୟ ୧୧ ଜଣଙ୍କୁ ସମାନ ଅଭିଯୋଗରେ ପୋଲିସ ଗିରଫ କରିଛି। ଏଭଳି ଦେଶଦ୍ରୋହୀ ମାନଙ୍କୁ କଠୋରରୁ କଠୋରତମ ସଜା ହେଉ । ଦେଶର ସୁରକ୍ଷା ଓ ଅଖଣ୍ଡତା ପ୍ରତି ବିଶ୍ୱାସଘାତକତା କରିଥିବା ନାଗରିକକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରାଯାଉ।
।। ଜୟ ଭାରତ।।
..............................................................................
।। ଓଡ଼ିଶାରେ ଗୁପ୍ତଚର ।।
ଗତ କିଛି ବର୍ଷ ଭିତରେ, ଜାତୀୟ ତଦନ୍ତକାରୀ ସଂସ୍ଥା ଏବଂ ପୋଲିସ ଓଡିଶାରୁ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା (ISI) ପାଇଁ କାମ କରୁଥିବା ଅଭିଯୋଗରେ ଗିରଫ କରିଛନ୍ତି ।
୧. ୨୦୧୪ - DRDO - ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଫୋଟୋଗ୍ରାଫର୍ ଭାବେ କାର୍ଯ୍ୟରତ ଈଶ୍ୱର ଚନ୍ଦ୍ର ବେହେରା, ପାକିସ୍ତାନୀ ଗୁପ୍ତଚର ସଂସ୍ଥା (ISI)କୁ ଯୁଦ୍ଧାସ୍ତ୍ର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିଲା ।
୨. ୨୦୨୦ - ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ISI କୁ ଦେବା ଅଭିଯୋଗରେ ଓଡ଼ିଆ ଯବାନ ବିଚିତ୍ର ବେହେରାଙ୍କୁ ପୋଲିସ ଗିରଫ କରିଥିଲା ।
୩. ୨୦୨୧ - DRDO - ପାକିସ୍ତାନକୁ ଗୋପନୀୟ ତଥ୍ୟ ଦେଉଥିବା ଅଭିଯୋଗରେ ସଚିନ କୁମାରଙ୍କ (ଡ୍ରାଇଭର) ସମେତ ୫ଜଣ ଯୁବକଙ୍କୁ ଗିରଫ କରିଥିଲା ପୋଲିସ ।
୪. ୨୦୨୨ - DRDO - ISI ସହ ସମ୍ପର୍କରେ ଥିବା ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ଗୁପ୍ତ ତଥ୍ୟ ପ୍ରେରଣ କରିବା ଅଭିଯୋଗରେ ବସନ୍ତ ବେହେରା, ପ୍ରକାଶ ବେହେରା ଏବଂ ଶେଖ୍ ମୁସାଖକୁ ବାଲେଶ୍ଵର ସ୍ପେଶିଆଲ ସ୍କ୍ୱାର୍ଡ ଗିରଫ କରିଥିଲା । ଏମାନେ ସମସ୍ତେ ଠିକା ଶ୍ରମିକ ଭାବେ DRDOରେ କାର୍ଯ୍ୟ କରୁଥିଲେ ।
୪. ୨୦୨୩ - DRDO - ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ ହନିଟ୍ରାପ୍ ର ଶିକାର ହୋଇ ପାକିସ୍ତାନୀ ଗୁପ୍ତଚର ସଂସ୍ଥାକୁ ଅନେକ ଗୁରୁତ୍ଵପୂର୍ଣ୍ଣ ମିଶନ, ମିସାଇଲ ଟେଷ୍ଟ ଏବଂ ଯୁଦ୍ଧାସ୍ତ୍ର ସମ୍ବନ୍ଧୀୟ ଫୋଟୋ, ଭିଡ଼ିଓ ଓ ତଥ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିଲେ।
୫. ୨୦୨୪- ଯାଜପୁରର ପ୍ରୀତମ୍ କର ଓଡ଼ିଶାର ୧୦୦୦ରୁ ଉର୍ଦ୍ଧ୍ବ ସକ୍ରିୟ ସିମ୍ କାର୍ଡ ପାକିସ୍ତାନୀ ଗୁପ୍ତଚର ସଂସ୍ଥାକୁ ଯୋଗାଇଥିଲା। ପ୍ରୀତମ୍ ISI ସହ ସିଧାସଳଖ ଯୋଗାଯୋଗରେ ଥିଲା। ମାଙ୍ଗଲୋର ବୋମା ବିସ୍ଫୋରଣ ଘଟଣାରେ ତା'ର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ନେଇ ତଦନ୍ତରୁ ଜଣା ପଡ଼ିଥିବା ପୋଲିସ କହିଛି।
ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଯାବତ କୌଣସି ଆତଙ୍କବାଦୀ ଆକ୍ରମଣ ନେଇ ଠୋସ ସୂଚନା ମିଳି ନଥିଲେ ମଧ୍ୟ, ଜ୍ୟୋତି ମଲହୋତ୍ରାଙ୍କ ପୁରୀ ଗସ୍ତ ଏବଂ ପାକିସ୍ତାନ ଗୁପ୍ତଚର ସଂସ୍ଥା ସହ ତାଙ୍କର ସମ୍ପର୍କ ପ୍ରଘଟ ହେବା ପରେ ପୋଲିସ ଓ ଗୁଇନ୍ଦା ବିଭାଗ ବିଶେଷ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।
ଆଗକୁ ରଥଯାତ୍ରା ଆସୁଛି । ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଏଭଳି ପରିସ୍ଥିତିର କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ରାଜ୍ୟ ସରକାର ଏବଂ ପୁରୀ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରନ୍ତୁ। ସହର, ଗଳିକନ୍ଦି, ହୋଟେଲ, ଲଜରେ ନିୟମିତ ଯାଞ୍ଚ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ତୁରନ୍ତ ହେପାଜତକୁ ନିଆଯାଉ ।
ବେଆଇନ ଅନୁପ୍ରବେଶକାରୀଙ୍କ ଉପରେ ବିଶେଷ ନଜର ରଖାଯାଉ ।
।। ଜୟ ଜଗନ୍ନାଥ ।।
...................................................................
ହିରୋ ନା ଜିରୋ.?
ଭାରତର ବିଶିଷ୍ଟ ଅଭିନେତା-ଅଭିନେତ୍ରୀ, ଖେଳାଳୀ, ଗାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନେକ ସମୟରେ ପାକିସ୍ତାନକୁ ସୁହାଇବା ଭଳି ମତ ଓ ମନ୍ତବ୍ୟ ଦେଇଥାନ୍ତି । ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ପାକିସ୍ତାନ ଭଳି ଏକ ଦେବାଳିଆ ଏବଂ ଆତଙ୍କୀ ରାଷ୍ଟ୍ରର କଳାକାରମାନେ ସରକାର ଏବଂ ସେନା ସହ ଦୃଢ଼ ଭାବରେ ଠିଆ ହୋଇଥିଲେ । ଅର୍ନ୍ତଜାତୀୟ ଗଣମାଧ୍ୟମରେ ଭାରତ ବିରୋଧରେ ମିଛ ଅପପ୍ରଚାରରେ ମାତିଥିଲେ । ହେଲେ ଆଶ୍ଚର୍ଯ୍ୟ, ଭାରତୀୟ କଳାକାର, ଖେଳାଳୀ ପଦେ ହେଲେ କିଛି କହିଲେନି.!! ଏ ନୀରବତା କେବଳ ବେପାର ବୁଡ଼ିଯିବା ଭୟରେ ନା ଆଉ କିଛି.??
କେନ୍ଦ୍ର ଗୃହ ବିଭାଗ ଏବଂ ଗୁଇନ୍ଦା ସଂସ୍ଥା ଏମାନଙ୍କ ଉପରେ ତୀକ୍ଷଣ ନଜର ରଖିବାର ଆବଶ୍ୟକତା ରହିଛି।