ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଭୋର ସାଢେ ଚାରିରୁ ସମୀକ୍ଷା କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ

Nov 4, 2023 - 12:03
 7

ଭୁବନେଶ୍ବର : ନବୀନ ଓଡ଼ିଶା ଓ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ବଡିଭୋର ରୁ ପୁରୀ ଯାଇ ୪:୩୦ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡ଼ିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ 5T ଓ ନବୀନ ଓଡ଼ିଶା ଅଧକ୍ଷ ନିର୍ଦ୍ଦେଶ ଦେଇଥିଲେ । ପୁନରୁଦ୍ଧାର ସମୟରେ ମଠ ଗୁଡ଼ିକର ଇତିହାସ ଓ ପରମ୍ପରାକୁ ଗୁରୁତ୍ଵ ଦେଇ ସମସ୍ତ ଭାଗୀଦାର ମାନଙ୍କ ସହଯୋଗରେ କାମ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ । ପରିକ୍ରମା ପ୍ରକଳ୍ପ landscaping କାମରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ । ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ମନ୍ଦିରର କ୍ଷୁଦ୍ର ପ୍ରତିକୃତି ନିର୍ମାଣ କରିବା ପାଇଁ ମଧ୍ଯ ସେ ପରାମର୍ଶ ଦେଇଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀ ମାନେ ଯେପରି ସ୍ବଚ୍ଛନ୍ଦରେ ମନ୍ଦିର ରେ ପହଞ୍ଚି ପାରିବେ ସେଥିପାଇଁ ମନ୍ଦିର ସଂଯୁକ୍ତ ରାସ୍ତାକୁ ଅବରୋଧ ମୁକ୍ତ ରଖିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ଲୋକ ତଥା ସେବାୟତ ମାନଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡ଼ିର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ମେଘନାଦ ପାଚେରୀ ପାଖରୁ ବିଭିନ୍ନ utilities ଗୁଡ଼ିକର ସ୍ଥାନାନ୍ତର, ପରିକ୍ରମା ପ୍ରକଳ୍ପ ର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ । ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀ ମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧା ର ବିକାଶ, ପ୍ରମୋଦ ଉଦ୍ୟାନ ଓ ଶ୍ରୀ ସେତୁ କାମର ଅଗ୍ରଗତି ମଧ୍ଯ ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ ।