ଜନ୍ମାଷ୍ଟମୀ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି
ପୁରୀ: ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ସାନ୍ଧ୍ୟ ଧୂପ ପରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରର ଜୟ ବିଜୟ ଦ୍ବାର ବନ୍ଦ କରାଯାଇ ଭଣ୍ଡାର ଘର ସମ୍ମୁଖ ଭାଗରେ ପୂଜାପଣ୍ଡା ସେବାୟତ ମାନେ ପଞ୍ଚବର୍ଣ୍ଣ ମୂରୁଜରେ ଜନ୍ମ ମଣ୍ଡଳୀ ଅଙ୍କନ କରିବେ। ସେଥିରେ ସୁନାର କୃଷ୍ଣ ମୂର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନ ମୋହନଙ୍କୁ ଅଣାଯିବ। ଦୁଇ ଜଣ ମହାଜନ ସେବକ ଦେବକୀ ଏବଂ ବାସୁଦେବ ଚରିତ୍ର ହୋଇ ଏହି ଜନ୍ମନୀତି ପାଳନ କରିବେ। ପରେ ମଦନ ମୋହନଙ୍କୁ ନାଭିକଟା ମଣ୍ଡପକୁ ନିଆଯାଇ କୃଷ୍ଣଜନ୍ମ ଠାରୁ ଉପନୟନ ପର୍ଯ୍ୟନ୍ତ ନୀତି ଅନୁଷ୍ଠିତ ହେବ। ସେଥିପାଇଁ ଜଗମୋହନ ନିକଟରେ ଏକ ଦୋଳିରେ ମଦନ ମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମ ନୀତି ଶେଷ କରାଯିବ। ଆଜି ଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ଆରମ୍ଭ ହୋଇ କଂସ ବଧ ଲୀଳା ପର୍ଯ୍ୟନ୍ତ ଚାଲିବ।