ପୁରୀଠାରେ ଶ୍ରୀଜଗନ୍ନାଥ ବିଶ୍ଵ ଆଧ୍ୟାତ୍ମିକ ସମାବେଶ

Jan 7, 2025 - 22:43
 4
ପୁରୀଠାରେ ଶ୍ରୀଜଗନ୍ନାଥ ବିଶ୍ଵ ଆଧ୍ୟାତ୍ମିକ ସମାବେଶ

ପୁରୀ: ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଓ୍ୱାଇଡ୍ ତରଫରୁ ଶ୍ରୀଜଗନ୍ନାଥ ଧାମ ପୁରୀଠାରେ ତ୍ରିବିସୀୟ ଶ୍ରୀଜଗନ୍ନାଥ ବିଶ୍ଵ ଆଧ୍ୟାତ୍ମିକ ସମାବେଶ ତା.୦୭.୦୧.୨୦୨୫ଦିନ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନହଲଠାରେ ଆରମ୍ଭ ହୋଇଛି । ଏହାର ବିଷୟବସ୍ତୁ ହେଉଛି ଚିନ୍ତନ ଓ ଚେତନାରେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏହାର ପ୍ରଥମ ଦିନ ସକାଳ ୬ଘଂଟା ୩୦ମିନିଟ ସମୟରେ ଶ୍ରୀମନ୍ଦିର ପରିକ୍ରମା ସହିତ ସଂକୀର୍ତନ ଆରମ୍ଭ ହୋଇ ସିଂହଦ୍ଵାରଠାରୁ ଆସି ଟାଉନହଲଠାରେ ପହଂଚିଥିଲା । ଏହାପରେ ଶ୍ରୀ ମୂରଲୀଧର ପଲାଇ ଓ ତାଙ୍କ ସାଥଙ୍କ ଦ୍ବାରା ଶ୍ରୀଜଗନ୍ନାଥ ସହସ୍ରନାମ ପାଠ ଓ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଦ୍ବାରା ବେଦପାଠ ସହିତ ଚତୁର୍ଦ୍ଧାମୂର୍ତୀଙ୍କୁ ଆବାହନ କରାଯାଇଥିଲା । ଏହାପରେ ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀ ଓ କ୍ରିଷ୍ଣା ଶତପଥୀଙ୍କ ଦ୍ୱାରା ପାରମ୍ପରିକ ଭଜନ, ନୃତ୍ୟଶିଳ୍ପୀ ରୋଜି ସ୍ବାଇଁଙ୍କ ଦ୍ବାରା ଓଡିଶୀନୃତ୍ୟ ମଙ୍ଗଳାଚରଣ ଏବଂ ଶ୍ରୀ ନରେନ୍ଦ୍ର ନାୟକଙ୍କ ତତ୍ବାବଧାନରେ ଶ୍ରୀଜଗନ୍ନାଥଙ୍କ ନାମ ସଂକୀର୍ତନ କରାଯାଇଥିଲା। ସମାବେଶର ମୁଖ୍ୟ ଆୟୋଜକ ଡ. ଭଗବାନ ପଣ୍ଡାଙ୍କ ସ୍ବାଗତ ଭାଷଣ ପରେ ଦିବ୍ୟ ଜୀବନ ସଂଘ ଋଷିକେଷର ଉପାଧ୍ୟକ୍ଷ ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ବତୀ ଓ ଅନ୍ୟାନ୍ୟ ସାଧୁସନ୍ଧିଙ୍କ ଉପସ୍ଥିତିରେ ସମାବେଶର ଉଦ୍‌ଘାଟନ ହୋଇଥିଲା । ମ୍ୟାନେଜି' ଟ୍ରଷ୍ଟି ଶ୍ରୀ ରମେଶ ଚନ୍ଦ୍ର ବିଶ୍ବାଳଙ୍କ ଦ୍ବାରା ଗଜପତି ମହାରାଜାଙ୍କ ବାର୍ତା ପଠନ ପରେ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟନାୟକଙ୍କ ଦ୍ବାରା ସଂପାଦିତ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଓ୍ୱାଇଡ୍‌ର ସ୍ମରଣୀକା ‘ଦାରୁବ୍ରହ୍ମ' ଉନ୍ମୋଚିତ ହୋଇଥିଲା । ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ବତୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଭଗବତ ଦର୍ଶନ ଓ ସଂସାରରୁ ମୁକ୍ତି ପାଇଁ ଭକ୍ତି ହିଁ ଏକମାତ୍ର ମାଧ୍ୟମ । ଦିବ୍ୟ ଜୀବନ ସଂଘର ସ୍ବାମୀ ଶିବଚିଦାନନ୍ଦ ସରସ୍ବତୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରିଦେଲେ ଜୀବାତ୍ମା ପରମାତ୍ମାଙ୍କ ସହ ଏକାକାର ହୋଇଯାଏ। ସେ ବହିଃମୂଖୀ ଚେତନାକୁ ଅନ୍ତର୍ମୁଖୀ କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ । ବିଶ୍ବାତ୍ମା ଚେତନା ପରିଷଦ, ବଲାଙ୍ଗୀରର ଅଧ୍ୟକ୍ଷ ପୂଜ୍ୟ ପରମହଂସ ସ୍ବାମୀ ସତ୍ୟପ୍ରଜ୍ଞାନାନନ୍ଦ ସରସ୍ବତୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କ ଲୌକିକ ସ୍ବରୂପ ଅପେକ୍ଷା ତାଙ୍କର ଆଧ୍ୟାତ୍ମିକ ସ୍ବରୂପକୁ ଅଧିକ ମହତ୍ଵ ଦେବା ଆବଶ୍ୟକ । ସେ ମଧ୍ୟ କହିଥିଲେ ଯେ ଜଗତର ଚିନ୍ତନ ତ୍ୟାଗ କଲେ ଶ୍ରୀଜଗନ୍ନାଥଙ୍କ ଚିନ୍ତନ ଆରମ୍ଭ ହୁଏ । ଡ. ଗୁରୁ ପ୍ରସାଦ ମହାପାତ୍ର ଓ ତାପସ ରାଜଙ୍କ ସଂଯୋଜନାରେ ଏହି ଅଧିବେଶନରେ ଶ୍ରୀ ସଂଗ୍ରାମ କେଶରୀ ପଟନାୟକ (ନାଇଜେରିଆ), ଡ. ହର ପ୍ରସନ୍ନ ଦାସ (ଭାରତ), ଶ୍ରୀ ସୁକାନ୍ତ ସାହୁ (ଲଣ୍ଡନ), ଡ. ଆଦିତ୍ୟ ପରିଡା (ସ୍ପିଡେନ) ଓ ଶ୍ରୀ କୁନା ଦାଶ (ଜାପାନ) ନିଜର ବକ୍ତବ୍ୟ ରଖୁଥିଲେ । ଅପରାହ୍ନ ଅଧିବେଶନରେ ରାମକୃଷ୍ଣ ମିଶନର ପୂଜ୍ୟ ସ୍ବାମୀ ଅଭୟାନନ୍ଦ ମହାରାଜ ଓ ପୁରୀଧାମର ପୂଜ୍ୟ ସ୍ବାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ବତୀ ହୃଦୟରେ ଶ୍ରୀଜଗନ୍ନାଥଙ୍କୁ ଅନୁଭବ କରିବା ଉପରେ ଗୁରୁତ୍ବ ଦେଇଥିଲେ । ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଓ୍ୱାଇଡ୍‌ର କର୍ମକର୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଦିନର ଶେଷ ଅଧିବେଶନରେ ଶ୍ରୀ ତରୁଣ ଅଗସ୍ତି (ଅଷ୍ଟ୍ରେଲିଆ), ଶ୍ରୀ ଅନନ୍ତ ସାବତ (ନାଇଜେରିଆ), ଶ୍ରୀ ସୁକାନ୍ତ ସାହୁ (ଲଣ୍ଡନ) ଓ ଶ୍ରୀ କାଳୀପଦ ତ୍ରୀପାଠୀ (ଜାପାନ) ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମାବେଶରେ ୪୩ଟି ଦେଶର ଜଗନ୍ନାଥ ପ୍ରେମୀଓ ପ୍ରସାରକମାନେ ଯୋଗଦାନ କରିଥିଲେ । ଏହି ଅବସରରେ ବାଲୁକାଶିଳ୍ପୀ ଶ୍ରୀ ସୁଦାମ ପ୍ରଧାନଙ୍କ ଦ୍ବାରା ଶ୍ରୀଜଗନ୍ନାଥଙ୍କ ବାଲୁକାମୂର୍ତୀ ପ୍ରଦର୍ଶୀତ ହୋଇଥିଲା।