ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ; ଉତ୍ସବ ମୁଖର ସାରା କୋରାପୁଟ ପୁରପଲ୍ଲୀ
କୋରାପୁଟ : ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍ ମହତ୍ତ୍ୱ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ। ସବୁଠି ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ। ସାରା ଭାରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳିତ ହେଉଛି ଏହି ପର୍ବ l ଏହିଦିନ ଲୋକେ ଉପବାସ ରଖିଥାନ୍ତି ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ। ଲୋକମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି। ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ଭଜନ କୀର୍ତ୍ତନ କରିଥାନ୍ତି l ଆଜି କୋରାପୁଟର ରାଧାକୃଷ୍ଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାଆନନ୍ଦ ଉତ୍ସବର ସହ ପାଳିତ ହେଉଅଛି l ସହରର ବିଭିନ୍ନ ପ୍ରାନ୍ତରୁ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଅଛି l କଥାରେ ପ୍ରକଟ ଯେ ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବାମାତ୍ରେ ଭଗବାନ ଶନିଦେବ, ଭଗବାନ ଶ୍ରୀ ସୂର୍ଯ୍ୟଦେବ ଏବଂ ଭଗବାନ ପରଂବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ କୃପା ସାନିଧ୍ୟ ପ୍ରାପ୍ତି ହୋଇଥାଏ l ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କରି ଭକ୍ତ ବହୁ ଆନନ୍ଦିତ ହୋଇଥିବା ଦେଖାଦେଇଅଛି l