ପ୍ରେରଣା ୨୦୨୪' ରେ ରିଲିଜ୍ ହେଲା 'ସିନ୍ଦୂରା' ର ଟ୍ରେଲର୍

ଭୁବନେଶ୍ବର : ରାଜ୍ୟର ଅଗ୍ରଣୀ ଡିଜିଟାଲ୍ ମିଡ଼ିଆ ନେଟୱାର୍କ ପିପିଏଲ୍ ଓଡ଼ିଆ ତରଫରୁ ଅୟୋଜିତ 'ପ୍ରେରଣା-୨୦୨୪' କାର୍ଯ୍ୟକ୍ରମରେ ରିଲିଜ୍ ହେଲା ସୁପରହିଟ୍ ଓଡ଼ିଆ ସିନେମା 'ସିନ୍ଦୂରା' ର ଟ୍ରେଲର୍ | ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଗତକାଲି ହୋଟେଲ୍ ଏମ୍ପାୟାର୍ସ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏକ ନିଚ୍ଛକ କାହାଣୀ ଦର୍ଶକଙ୍କୁ ଭେଟି ଦେଇ ଅନେକ ପ୍ରଶଂସା ସାଉଁଟିବାକୁ ଯାଉଛି ଚଳଚ୍ଚିତ୍ର 'ସିନ୍ଦୂରା' | ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ଦ୍ଵାରା ପ୍ରଯୋଜିତ ଏହି ସିନେମାର ଟ୍ରେଲର ଦେଖି ଫିଲ୍ମ ଦେଖିବା ପାଇଁ ମନ ବଳାଇଛନ୍ତି ଉପସ୍ଥିତ ଥିବା ଦର୍ଶକ ମଣ୍ଡଳୀ | ଚାଷରେ ବ୍ୟବହାର କରାଯାଉଥିବା ପେଷ୍ଟିସାଇଡ କିପରି ମନୁଷ୍ୟର ଶରୀରକୁ କ୍ଷତି ପହଞ୍ଚାଉଛି, ସେହିଭଳି ଏକ ସୁନ୍ଦର କାହାଣୀ ଦର୍ଶକଙ୍କୁ ଭେଟି ଦେଉଛି ସିନ୍ଦୂରା | ମୁଖ୍ୟ ଚରିତ୍ର ରେ ଅଭିନେତା ଅଭିଷେକ ଓ ମୁଖ୍ୟ ନାୟିକା ଭାବେ ଓଲିଉଡ଼ କୁଇନ୍ ସୁପ୍ରିୟା ଙ୍କୁ ଦର୍ଶକ ଦେଖିବାକୁ ପାଇବେ | ଏହା ବ୍ୟତୀତ ବିଜୟ ଦାସଙ୍କ ହୃଦୟସ୍ପର୍ଶୀ ଗୀତ ସାଙ୍ଗକୁ ମ୍ୟୁଜିକର ବୈଜ୍ଞାନିକ ଭାବେ ଓଡ଼ିଆ ସିନେ ଇଣ୍ଡ୍ରଷ୍ଟିରେ ପରିଚିତ ପ୍ରେମାନନ୍ଦଙ୍କ ନିର୍ଦେଶନାରେ ହୋଇଥିବା ଗୀତ ଗୁଡିକ ଦର୍ଶକଙ୍କ ମନକୁ ଛୁଇଁବ | କ୍ରିଷ୍ଣା ବେଉରା, ଶଶାଙ୍କ ଶେଖର, କୁଳଦୀପ୍ ପଟ୍ଟନାୟକ, ସବିଶେଷ ଓ ଅନନ୍ୟା ଶ୍ରୀତମ ନନ୍ଦ ଙ୍କ ଭଳି ନାମୀଦାମୀ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି | ପ୍ରେରଣା ୨୦୨୪ କାର୍ଯ୍ୟକ୍ରମରେ ରିଲିଜ ହୋଇଥିବା ସିନ୍ଦୂରା ଚଳଚିତ୍ରର ଟ୍ରେଲରରେ ଅଭିନେତା ଅଭିଷେକ ଗିରି, କାର୍ଯ୍ୟକାରୀ ପ୍ରଯୋଜକ ଶାନ୍ତି ସ୍ୱରୂପ ଶତପଥୀ, ସଂଯୋଜକ ଅସୀତ କୁମାର ମଲ୍ଲିକ ପ୍ରମୂଖ ଉପସ୍ଥିତ ଥିଲେ | ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନସୂୟା ନାଥ, ସମ୍ବାଦ ର ସମ୍ପାଦକ ତନୟା ପଟ୍ଟନାୟକ, ପିପିଏଲ୍ ଓଡ଼ିଆ ର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ |ଦର୍ଶକ ମଣ୍ଡଳୀ ସିନ୍ଦୂରା ସିନେମାର ଟ୍ରେଲର୍ ଦେଖି ଏହାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହିଭଳି ଓଡ଼ିଆ ସିନେମା ଓଡ଼ିଆ ସିନେ ଜଗତକୁ ଗୋଟିଏ ନୂତନ ଦିଗ ଦେଖାଇବ ବୋଲି ମତ ଦେଇଥିଲେ |