୨୦ତମ ସଙ୍ଗମ ଉତ୍ସବ ୨୦୨୪ରେ ଦେଖିବାକୁ ମିଳିଥିଲା କଥକ ଏବଂ ଓଡ଼ିଶୀ ନୃତ୍ୟର ସମାରୋହ

Sep 21, 2024 - 22:56
 4
୨୦ତମ ସଙ୍ଗମ ଉତ୍ସବ ୨୦୨୪ରେ ଦେଖିବାକୁ ମିଳିଥିଲା କଥକ ଏବଂ ଓଡ଼ିଶୀ ନୃତ୍ୟର ସମାରୋହ

ଭୁବନେଶ୍ୱର: ୨୦୦୫ ମସିହାରୁ ଡ଼ଃ ଇଲିଆନା ସିତାରିଷ୍ଟୀଙ୍କ ନେତୃତ୍ୱରେ ଆର୍ଟ ଭିଜନ ସଙ୍ଗମ ଉତ୍ସବ ଆୟୋଜନ କରିଆସୁଅଛି । ଏହି ବର୍ଷ ୨୦ ତମ ସଙ୍ଗମ ଉତ୍ସବ ୨୦୨୪ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାନ ସନ୍ଧ୍ୟାରେ ଗୋଟିଏ ମଞ୍ଜରେ ଦୁଇଟି ଶାସ୍ତ୍ରୀୟ ନୃତ୍ୟ ଶୈଳୀକୁ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରିବା । ବିଗତ ବର୍ଷଗୁଡିକରେ ଭାରତର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ନୃତ୍ୟଶିଳ୍ପୀମାନେ ଭାରତନାଟ୍ୟମ୍‌, କଥକ, ମୋହିନିଆଟମ୍‌, କୁଚିପୁଡି ଏବଂ ସମସାମୟିକ ନୃତ୍ୟର ବିଭିନ୍ନ ଶାସ୍ତ୍ରୀୟ ଶୈଳୀକୁ ଦଳଗତ ନୃତ୍ୟ ଭାବରେ ଏହି ଉତ୍ସବରେ ପରିବେଷଣ କରିଥିଲେ । ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱୋଳନ ପୂର୍ବକ ଏହି ଉତ୍ସବର ଉଦଘାଟନ କରାଯାଇଥିଲା । ସଂଧ୍ୟାର ଅତିଥିମାନେ ଥିଲେ ଓଡ଼ିଶାର ପୂର୍ବତନ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଡ଼ଃ. ପ୍ରୟମ୍ବଦା ମହାନ୍ତି ହେଜମାଦି; ବିଶିଷ୍ଟ ଭାଷାବିତ୍‍ ପ୍ରଫେସର ଶ୍ରୀଯୁକ୍ତ ଦେବୀ ପ୍ରସନ୍ନ ପଟ୍ଟନାୟକ; ପେନ୍‍ ଇନ୍‍ ବୁକ୍‍ର ପ୍ରକାଶକ ଶ୍ରୀଯୁକ୍ତ ଶୁଭ୍ରାଂସୁ ପଣ୍ଡା; ବିଶିଷ୍ଟ ଲେଖକ ଡକ୍ଟର ହିରଣ୍ମୟୀ ମିଶ୍ର ଏବଂ ଆର୍ଟ ଭିଜନର ସଚିବ ଗୁରୁ (ଡକ୍ଟର) ଇଲିଆନା ସିତାରିଷ୍ଟୀ । ଏହି ଅବସରରେ ବିଶିଷ୍ଟ ଲେଖକ ଡକ୍ଟର ପ୍ରିୟମ୍ବଦା ମହାନ୍ତି ହେଜମାଦୀ ଇଲିଆନା ସିତାରିଷ୍ଟୀଙ୍କ ଆତ୍ମଜୀବନୀ “ଗୋଟିଏ ଜୀବନ ଦୁଇ ଜନମ” ଶିର୍ଷକ ଓଡ଼ିଆ ଅନୁବାଦକୁ ଉନ୍ମୋଚନ କରିଥିଲେ । ଏହି ପୁସ୍ତକଟି ହିରଣ୍ମୟୀ ମିଶ୍ରଙ୍କ ଦ୍ୱାରା ମୂଳ ଇଂରାଜୀ ସଂସ୍କରଣ “ମାଇଁ ଜର୍ଣ୍ଣି ଏ ଟେଲ୍‍ ଅଫ୍‍ ଟୁ ବାର୍ଥ”ରୁ ଅନୁବାଦ ହୋଇ ଭୁବନେଶ୍ୱରର ପେନ୍‍ ଇନ୍‍ ବୁକ୍‍ ଦ୍ୱାରା ପ୍ରକାଶିତ ହୋଇଥିଲା । ସନ୍ଧ୍ୟାର ପ୍ରଥମ ନୃତ୍ୟ ଉପସ୍ଥାପନା ଥିଲା ଡ଼ଃ ଇଲିଆନା ସିତାରିଷ୍ଟିଙ୍କ ନେତୃତ୍ୱରେ ଆର୍ଟ ଭିଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ସେମାନେ ଗୁରୁ (ଡକ୍ଟର) ଇଲିଆନା ସିତାରିଷ୍ଟିଙ୍କ ଦ୍ୱାରା ନୃତ୍ୟ ସଂରଚିତ ହୋଇଥିବା ଦୁଇଟି ପ୍ରଯୋଜନା ପରିବେଷଣ କରିଥିଲେ ଏବଂ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଅନ୍ତର୍ଗତ ପାରମ୍ପାରିକ ରାଗର ସୌନ୍ଦର୍ଯ୍ୟ ଓ ସୁମଧୁର ସମୃଦ୍ଧିକୁ ସମର୍ପିତ କରିଥିଲେ । ସେମାନଙ୍କର ପ୍ରଥମ ପ୍ରସ୍ତୁତିଟି ଥିଲ ସପ୍ତସ୍ୱର ଯାହା ପ୍ରାଣୀ ଜଗତରୁ ଆସିଥିବା ସାତୋଟି ବାଦ୍ୟର ଉତ୍ପତିକୁ ବର୍ଣ୍ଣନା କରାଯାଇଥିଲା ବେଳେ ଓଡ଼ିଆ ସାହିତ୍ୟରୁ ଆସିଥିବା ପାରମ୍ପାରିକ କବିତା ଉପରେ ଆଧାରିତ ଥିଲା । ଦ୍ୱିତୀୟ ପ୍ରସ୍ତୁତିରେ ଥିଲା ବଚନିକା ଯାହା ରଥଯାତ୍ରାର ଶେଷ ଦିନରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା ଦିନ ଲକ୍ଷ୍ମୀ ଓ ଜଗନ୍ନାଥଙ୍କ ମଧ୍ୟରେ ହୋଇଥିବା ବାକ୍ୟୁଦ୍ଧର ବର୍ଣ୍ଣନା ରହିଥିଲା । ସନ୍ଧ୍ୟାର ପରବର୍ତ୍ତୀ ତଥା ଅନ୍ତିମ ଉପସ୍ଥାପନା ଥିଲା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ନୃତ୍ୟ ଯୋଡ଼ି ଶ୍ରୀମତୀ ନିରୁପମା ରାଜେନ୍ଦ୍ର ଓ ଶ୍ରୀ ଟି.ଡ଼ି ରାଜେନ୍ଦ୍ର ତଥା ସେମାନଙ୍କର ନୃତ୍ୟାନୁଷ୍ଠାନ ଅଭିନବ ଡ୍ୟାନ୍ସ କମ୍ପାନୀ ଦ୍ୱାରା କଥକ ନୃତ୍ୟ । ସେମାନଙ୍କ ପ୍ରସ୍ତୁତିରେ ଥିଲା ହରି ହର ଯାହା କଥକ ଓ ଭାରତନାଟ୍ୟମ ଶାସ୍ତ୍ରୀୟ ଶୈଳୀରେ ଉପସ୍ଥାପିତ ହୋଇଥିଲା । ଯୁଗଳବନ୍ଦୀ ନୃତ୍ୟ ମାଧ୍ୟମରେ ହରି (ବିଷ୍ଣୁ) ଏବଂ ହର (ଶିବ)ଙ୍କର ବିଭିନ୍ନ ବୈଶିଷ୍ଟ୍ୟକୁ ପ୍ରଦର୍ଶିତ କରାଯାଇଥିଲା ଯାହାର ପରିକଳ୍ପନା, କଳାତ୍ମକ ନିର୍ଦ୍ଦେଶନା ଓ ନୃତ୍ୟ ସଂଯୋଜନା ନିରୁପମା ରାଜେନ୍ଦ୍ର ଓ ଟି.ଡ଼ି ରାଜେନ୍ଦ୍ର କରିଥିଲେ । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡକ୍ଟର ସଙ୍ଗୀତା ଗୋସାଇଁ ।