ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଚତୁର୍ଥ ଦିବସରେ ଅଭିନୟ ଓ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନ

ଭୁବନେଶ୍ୱର: - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଚତୁର୍ଥ ଦିବସ । ୧୮ତମ ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିନରେ ମଧ୍ୟ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଦେଖିବାକୁ ମିଳିଥିଲା ପ୍ରବାସୀ ଭାରତୀୟ ତଥା ପ୍ରତିନିଧିମାନଙ୍କ ଭିଡ଼ । ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଦଳଗତ ନୃତ୍ୟ ପର୍ଯ୍ୟାୟରେ ଲାସ୍ୟ ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ଶିବମ୍ଂଧିମହି ପରେ ପରେ ଏକକ ନୃତ୍ୟ ପର୍ଯ୍ୟାୟରେ ଇତିଶ୍ରୀ ପ୍ରୀୟଦର୍ଶନୀ ସିଂଙ୍କ ଦ୍ୱାରା ଅଭିନୟ ମଲ୍ଲୀ ମାଳ ଶ୍ୟାମକୁ ଦେବୀ । ପରବର୍ତ୍ତୀ ଦ୍ୱୈତ ନୃତ୍ୟ ପ୍ରସ୍ତୁତିରେ ମେଘନା ଦାସ ଓ ମେଘମାଳା ଘୋଷାଲଙ୍କ ଦ୍ୱାରା ପଲ୍ଲବୀ, ସୁମନ ମଣ୍ଡଳଙ୍କ ଦ୍ୱାରା କ୍ଷ ଚମ୍ପୁ, ଏକକ ନୃତରେ ସ୍ନେହା ଦୌଳୀଙ୍କ ଦ୍ୱାରା ଅଭିନୟ ଧ୍ୟାୟେତ୍ ସୂବର୍ଣ୍ଣ ବର୍ଣ୍ଣାଭ୍ୟାମ୍ ଏବଂ ଶେଷରେ ମୃଦୁଗୁଞ୍ଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟାଭିନୟ ଦଶ ମହାଭୂଜା ପରିବେଷିତ ହୋଇଥିଲା । ଅପରାହ୍ନ ଅଧିବେଶନର ପ୍ରଥମ ପ୍ରସ୍ତୁତି ଥିଲା ଶ୍ରୀଜନ ଛାନ୍ଦ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଗୁରୁ ବନ୍ଦନା, ପ୍ରୀନ୍ସ ପାଣିଗ୍ରାହୀ ଓ ପ୍ରତିକ୍ଷା ପ୍ରୀୟଙ୍କ ଦ୍ୱାରା ଅଭିନୟ କି ନାଦରେ ପ୍ରାଣ ସଙ୍ଗିନୀ, ଗାୟତ୍ରୀ ସାହୁଙ୍କ ଦ୍ୱାରା ଅଭିନୟ ପ୍ରଣମାମି ଶିବଂଶିବ କଳ୍ପତରୁ, ସ୍ୱାତି ପ୍ରଜ୍ଞା ଜେନା ଓ ମୋନାଲିସା ମହାରଣାଙ୍କ ଦ୍ୱାରା ପଲ୍ଲବୀ, ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଦ୍ୱାରା ଅଭିନୟ ନାଚନ୍ତି ରଙ୍ଗେ ଶ୍ରୀ କୁଞ୍ଜେ ବିହରି ଆନନ୍ଦେ ବ୍ରଜନାଗରୀ, ରୋଜୀ ସ୍ୱାଇଁ ଦ୍ୱାରା ଅଭିନୟ ସଜନୀ ମୋହନ ମୂରତୀ ଛଇଲୋ ଉପମା ଦେବାକୁ ନାହିଁ ଲୋ, ସୁଦୂର ଅଷ୍ଟ୍ରେଲିଆରୁ ଆସିଥିବା ବୈଜୟନ୍ତି ସିଂହଙ୍କ ଦ୍ୱାରା ଅଭିନୟ ସତେ କି ଭଙ୍ଗୀ କଲା ଓ ଶେଷରେ ଦେବଦାସୀ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଜଗନ୍ନାଥଷ୍ଠକମ୍ - କଦାଚିତ୍ କାଳନ୍ଦୀ ତଟ ବିପିନେ ପରିବେଷିତ ହୋଇଥିଲା । ଚତୁର୍ଥ ସଂଧ୍ୟାର ଅତିଥି ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଡ଼ଃ. ସ୍ନେହପ୍ରଭା ସାମନ୍ତରାୟ, ଓଡ଼ିଶାର ଲୋକନୃତ୍ୟ ଘୋଡ଼ାନାଚ ନୃତ୍ୟଗୁରୁ ଶ୍ରୀଯୁକ୍ତ ଉତ୍ସବ ଚରଣ ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର । ସଂଧ୍ୟା ଅଧିବେଶନର ପ୍ରଥମ ପ୍ରସ୍ତୁତିରେ ଥିଲା ବିଶିଷ୍ଟ ନୃତ୍ୟାଙ୍ଗନା ତଥା ଗୁରୁ କେଳୁଚରଣ ମହାପାତ୍ର ଓ ଗୁରୁ ପଙ୍କଜ ଚରଣ ଦାସଙ୍କ ଶିଷ୍ୟା ଗୁରୁ ଝେଲମ୍ ପରାନ୍ଜାପେଙ୍କ ଦ୍ୱାରା ଅଭିନୟ ଦ୍ରୌପଦୀ । ପରେ ପରେ ସୁଧା ମୁଖପାର୍ଦ୍ଧାୟଙ୍କ ଦ୍ୱାରା ଖମାଜ ପଲ୍ଲବୀ, ଅର୍ପିତା ସାମଲ ଓ ମୀରାବଳ ସାମନ୍ତରାୟଙ୍କ ଦ୍ୱାରା ଅଭିନୟ ମାନିନୀ, ମଣି କର୍ଣ୍ଣିକାଙ୍କ ଦ୍ୱାରା ଚାରୁକେଶୀ ପଲ୍ଲବୀ, ଜି.ନାଗେଶ୍ୱରୀଙ୍କ ଦ୍ୱାରା ଶିବାଷ୍ଟକ, ଅମୁଲ୍ୟ ରାଉତରାୟ ଓ ବଣ୍ଟି ମଣ୍ଡଳଙ୍କ ଦ୍ୱାରା ଦ୍ୱୈତ ନୃତ୍ୟ, ପ୍ରୀୟଙ୍କା ଜେନାଙ୍କ ଦ୍ୱାରା ତବ ବିରହେ ବନମାଳୀ, ମୁନମୁନ୍ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଅଭିନୟ ଅଷ୍ଟପଦୀ କୁରୁ ଯଦୁ ନନ୍ଦନ ଏବଂ ଶେଷରେ ଶଂଖନାଦ ନୃତ୍ୟାନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡକ୍ଟର ମୃତ୍ୟୁଞ୍ଜୟ ରଥ ।