ଜାଣନ୍ତୁ ରାଜସ୍ଥାନରେ BJP ପ୍ରାର୍ଥୀ ବସୁନ୍ଧରା ରାଜେଙ୍କ ନେଟୱର୍ଥ କେତେ? ପ୍ରାର୍ଥୀପତ୍ର ସହ ଦେଇଛନ୍ତି ସମ୍ପତ୍ତି ତାଲିକା
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ୨୦୨୩ ମସିହାରେ ୫କୋଟି ୫୦ଲକ୍ଷ ଟଙ୍କା ସମ୍ପତ୍ତିର ଅଧିକାରୀ। ରାଜସ୍ଥାନ ବିଧାନସଭା ନିର୍ବାଚନ ନିମନ୍ତେ ରାଜେ ଶନିବାର ଦାଖଲ କରିଥିବା ପ୍ରାର୍ଥୀ ପତ୍ରରେ ସେ ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ରାଜେଙ୍କର ୩ କେଜିରୁ ଅଧିକ ସୁନା ଥିବା ବେଳେ ୧୫ କେଜିରୁ ଅଧିକ ରୂପା ଓ ୨ଲକ୍ଷ ୫ ହଜାର ଟଙ୍କା ନଗଦ ଥିବା ଦର୍ଶାଇଛନ୍ତି। ଏହା ଛଡା ଜୟପୁର ଏସବିଆଇ ଶାଖାରେ ତାଙ୍କର ୧୧ଲକ୍ଷ ୫୮ ହଜାର ୫୫୫ ଟଙ୍କା ଜମା ମଧ୍ୟ ଥିବାର ସେ ସୂଚିତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବସୁନ୍ଧରା ରାଜେ ସିନ୍ଧିଆ ୪ ନଭେମ୍ବର ଶନିବାର ଝାଲାୱାଡ ଜିଲ୍ଲାର ତାଙ୍କ ପାରମ୍ପରିକ ଆସନ ଝାଲରପାଟନରୁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥି ପାଇଁ ସେ ନିର୍ବାଚନୀ ସତ୍ୟପାଠରେ ତାଙ୍କ ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି। ଏହି ତାଲିକା ଅନୁସାରେ ରାଜେଙ୍କର କୌଣସି ଯାନବାହନ ନାହିଁ, ସେହିପରି ସେ କୌଣସି ପ୍ରକାର ଋଣ ମଧ୍ୟ କରି ନାହାନ୍ତି। ଗତଥର ନିର୍ବାଚନ କାଳରେ ସେ ୫ ଲକ୍ଷ ଟଙ୍କାର ଋଣ ଥିବା କାଗଜପତ୍ରରେ ଦର୍ଶାଇଥିଲେ।
ବସୁନ୍ଧରା ରାଜେଙ୍କ ପାଖରେ ୩,୧୭୯ ଗ୍ରାମର ସ୍ୱର୍ଣ୍ଣାଳଙ୍କାର ରହିଛି। ଯାହାର ମୂଲ୍ୟ ୧ କୋଟି ୯୨ଲକ୍ଷ ୯୩ ହଜାର ୩୫୧ ଟଙ୍କା ହେବ। ସେହିପରି ରୌପ୍ୟ ଆଭୂଷଣ ଓ ବାସନକୁସନ ମୂଲ୍ୟ ୧୧ଲକ୍ଷ ୧୯ ହଜାର ଟଙ୍କା ବୋଲି ସେ ସୂଚିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବସୁନ୍ଧରା ରାଜେ ୨୦୧୮ ନିର୍ବାଚନ ସତ୍ୟପାଠରେ ତାଙ୍କ ପାଖରେ ୪ କୋଟି ୫୪ ଲକ୍ଷ ଟଙ୍କାର ସମ୍ପତ୍ତି ଥିବାର ସୂଚିତ କରିଥିଲେ। ଯାହା ୫ ବର୍ଷରେ ବଢି ୫ କୋଟି ଟଙ୍କାକୁ ପାର କରିଯାଇଛି। ସେତେବେଳେ ତାଙ୍କ ପାଖରେ ନଗଦ ୧ଲକ୍ଷ ୨୯ ହଜାର ଟଙ୍କା ଥିଲା ଯାହା ଏବେ ୨ଲକ୍ଷ ୫ ହଜାର ଟଙ୍କାକୁ ପହଞ୍ଚିଛି।
ବସୁନ୍ଧରା ରାଜେ ସିନ୍ଧିଆ ୨୦୦୩ ଓ ୨୦୧୩ରେ ଦୁଇଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିଲେ। ଝାଲରାପାଟନରୁ ସେ ୨୦୦୩ ମସିହାରୁ ଲଗାତାର ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହା ଛଡା ରାଜେ ଝାଲୱାଡାରୁ ସଂସଦକୁ ୫ ଥର ସାଂସଦ ନିର୍ବାଚିତ ମଧ୍ୟ ହୋଇଥିଲେ। ସେ ଏବେ ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବେଶ୍ ସକ୍ରିୟ ହୋଇଉଠିଛନ୍ତି। ତେବେ ପୂର୍ବରୁ ସେ ରାଜନୀତିରୁ ଅବସର ନେବାର ସମୟ ଆସିଯାଇଥିବା କହିଥିଲେ।